ଅସହଯୋଗୀର ଆତ୍ମକଥା

 

 

 

 

 

 

 

 

 

 

 

ଅସହଯୋଗୀର ଆତ୍ମକଥା

ଲକ୍ଷ୍ମୀକାନ୍ତ ମହାପାତ୍ର

 

ମୁଁ ଥିଲି ତମ ଆମ ଭଳିଆ ଖାଲି ମଣିଷ, କର୍ମ ଗୁଣରେ ହୋଇ ପଡ଼ିଲି ନନ୍‌କୋଅପରେଟର୍‍ । ଯେପରି ଗୋଟିପୋକ ଦେହରେ ଡେଣା ବାହାରିଲେ ସେ ପ୍ରଜାପତି ହୋଇଥାଏ, ସେହିପରି ମୁଁ ଖଦଡ଼ ପକ୍ଷ ଲଗାଇ ପୁରା ଦସ୍ତୁର ଭଲିଣ୍ଟିଅର୍‌ ହୋଇଗଲି । ଅସହଣି ଲୋକେ ଟାପରା କରିବେ ‘ପିମ୍ପୁଡ଼ି ଦେହରେ ଡେଣା ହେଲା’ ବୋଲି । କିନ୍ତୁ ଆମର ଡେଣା ହେବାଟା evolution ନୁହେଁ–revolution । ଠିକ୍‌ କରି କହିବାକୁ ଗଲେ metamorphosis । ଏ metamorphosis ଟା କିପରି ହେଲା ଜାଣନ୍ତି ? ‘ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ।’

 

ସେତେବେଳେ ପଢ଼ୁଥାଏଁ ସେକେଣ୍ଡ କ୍ଳାସ୍‌ରେ; ଦେଶରେ ଗାନ୍ଧିଗୋଳ ଲାଗିଲା । ସମସ୍ତେ କହିଲେ କି, ସ୍କୁଲ ଉଠିଯିବ, ସରକାର ଉଠିଯିବ, ରେଲ ଉଠିଯିବ, ଟେଲିଗ୍ରାଫ୍‌, ମଟର, ଘଡ଼ି, ସାଇକଲ, ସବୁ ଉଠିଯିବ, ଲୋକେ ଚାହାଳୀ ଟୋଲ୍‌ରେ ପାଠ ପଢ଼ିବେ, ପୟଦଲ୍‌ରେ ବାଟ ଚାଲିବେ, ଜଳଯନ୍ତ୍ରରେ ସମୟ ଜାଣିବେ, ସ୍ୱାଭାବିକ ଜୀବନଯାପନ କରି ଲଙ୍ଗଳା ହୋଇ ରହିବେ । ଫଳକଥା–ସତ୍ୟଯୁଗ ଫେରିଆସିବ, ଅତଏବ ବେଳଥାଉଁ ଆପଣା ଆପଣାର କିନାରା କଟକଣା କରିନିଅ । ଏ କଥାରେ ବୋକାଲୋକେ wait and see ନୀତିଧରି ଜଳକାଙ୍କଭଳି ଚାହିଁ ରହିଲେ, ଆଉ ଆମ ଭଳିଆ ଚଲାଖ ପିଲାଏ ନିଜ ନିଜର ରାହା ଉଣ୍ଡି ନେଲେ । ମୁଁ ଠିକ୍‌ ବୁଝି ନେଇଥିଲି ଯେ ‘‘ଜୋର ଯା’ର ମୁଲକ ତା’ର’’ ଦିନ ଆସୁଛି ।

 

ମନଟା ବଡ଼ ଖୁସିଥାଏ କି, ଆଉ ଯାହାହେଉ ପଛକେ, ନଗଦ ଲାଭ ଉପରେ କ୍ଳାସ୍‌ଉଠା ପରୀକ୍ଷାରୁ ଖଲାସ । କେବଳ ଦୁଃଖ ମୋ ସାଇକେଲ୍‌ଟା ସକାଶେ । ମନ ଭିତରେ ଠାକୁରଙ୍କୁ ଡାକୁଥାଏ କି, ରେଳଟା ଉଠିଯାଉ ପଛକେ ଏକା ରେଳବାଇ ହୋଟେଲଟି ଚିରଜୀବୀ ହୋଇଥାଉ ।

 

ମୋର ଭାରି ଅହନ୍ତା ଥିଲା ଆମ ଆସିଷ୍ଟାଣ୍ଟ୍‍ ହେଡ଼୍‍ମାଷ୍ଟର ଅନାଦିବାବୁ ଉପରେ । ସେ ମୋତେ ମୂଳରୁ ଦେଖିପାରେ ନାହିଁ । ମୁଁ ଯେପରି ତା’ର ଦି’ ଆଖିର ବିଷ । ତା ଠିଆଠିଆ କଳା ନିଶ ଯୋଡ଼ାକ ଆଉ ତା’ ତଳେ ଅଧା ନାଲି ଅଧା ଧଳା ଫାଙ୍କଫାଙ୍କ ଦାନ୍ତ ପାଛିଆକ ଘେନି ଆମ ଭଳିଆ ନିରୀହ ପିଲାଙ୍କର ସେଇଟା ଥିଲା ଗୋଟାଏ ମୂର୍ତ୍ତିମାନ୍‍ ଯମ । ଟିକିଏ ହସେ ନାହିଁ, ମୁହଁଟା କରିଥାଏ ସବୁବେଳେ ଦରଗଢ଼ା ହାଣ୍ଡିଟାପରି । ଯେପରି ତା’ ବାପ ଗୋସବାପ ଚୌଦ ପୁରୁଷର ଶହେ ଷାଠିଏ ବୁଜୁଳା କିଏ ଖାଇଛି ! ମୁଁ ମନେମନେ ଠିକ୍‌ କରିନେଲି କି ସରକାରଟା ଉଠିଗଲେ ସେ ଅନାଦିଆ ମାଷ୍ଟର୍‌କୁ, ଆଉ ମୋ ନାଁରେ ସେଦିନ ଗୁହା ଗୁଜୁରିଥିଲା ଯେଉଁ ନବା, ତାକୁ ଆଚ୍ଛାକରି ଶିଳେଇଦେବି ଦିନେ । ଦେଖି ନେବି, ମୋତେ ବାପୁଡ଼ା କିମିତି ରଷ୍ଟିକେଟ୍‌ କରିବାକୁ ବସିଥିଲା । ଗାନ୍ଧିଙ୍କ ମୁଖରେ ଫୁଲ ଚନ୍ଦନ ପଡ଼ୁ, ଏ କାମଟା କିମିତି ସଫଳ ହୋଇଯାଉ । ତେବେ ଆମପରି ଟୋକାଏ ମନପ୍ରାଣ ଖରଚକରି ଲାଗି ନପଡ଼ିଲେ ସେ ଏକୁଟିଆ ବା କରିବେ କ’ଣ ?

 

ଏହିପରି ସାତ ପାଞ୍ଚ ଭାବିଚିନ୍ତି ଆମେ କେତେଜଣ ବିଚାରସାର ହୋଇ ଦିନେ ଅନାଦିବାବୁ ଯେତେବେଳେ କ୍ଳାସରେ ପଢ଼ାଉଥାଏ ସେତିକିବେଳେ ହଠାତ୍‌ ‘‘ଜୟ ଗାନ୍ଧିମହାରାଜ୍‌ କି ଜୟ’’ ବୋଲି ବୋବାଳି ଉଠିଲୁଁ । ଅନାଦିର ତ ଅକଲ ଗୁଡ଼ୁମ୍‌ । ତାର ସେ କଳା ମଚମଚ ଗମ୍ଭୀର ମୁହଁଟାରେ କିଏ ଯେପରି ଗଇଣ୍ଠା ପାଉଁଶ ଲେପି ଦେଇଗଲା । ସେ ତା’ର ଲାଲ୍‌ଲାଲ୍‌ ଆଖି ଯୋଡ଼ାକ ତଳକୁ କରି–ମୁଁ ତ’ ଗଡ଼ ଜିତିଲାପରି ବହିଗୁଡ଼ାକ କଚାଡ଼ି ଦେଇ କ୍ଲାସରୁ ବାହାରି ଆସିଲି; ମୋ ପଛେପଛେ ଆହୁରି କେତେଜଣ ବି ବାହାରି ଆସିଲେ । ଅନାଦିବାବୁଙ୍କୁ ଏପରି ଭେଳେକା ମାରି ଯାଇଥିଲା, ତା’ର ସେ ତେଜ–ଫୁର୍ତ୍ତି ତ’ କୁଆଡ଼େ ଗଲା, ସେ ବର୍ତ୍ତମାନ କ’ଣ କରିବ କିଛି ବୁଝଇ ନପାରି ଆଖି ବୁଜିଦେଇ ତଳକୁ ମୁହଁପୋତି କାଠ ହୋଇ ବସିଗଲା । ସେତେବେଳେ ତା’ଗାଲ ବା ପିଠି କୁଣ୍ଡାଇ ହେଉଥିଲା କି ନାହିଁ କେଜାଣି । ବୀରତ୍ୱର ପ୍ରଥମ ପରୀକ୍ଷାରେ ପାସ୍‌କରି–ଆପଣା ମନରେ ଗଦାଏ ବଳ ଆସିଲା ମୋର । ଧନ୍ୟ ଗାନ୍ଧିଙ୍କ ମହିମା !

 

ଆମ ଗୋଳ ଶୁଣି ଇସ୍କୁଲର ଅପର କ୍ଲାସ୍‌ମାନଙ୍କରୁ ଆହୁରି ଅନେକ ପିଲାଏ ବାହାରି ଆସିଲେ । ଫାଟକ ପାଖରେ ସମସ୍ତେ ଗୋଟାଏ ଧାଡ଼ିକରି ଛିଡ଼ା ହେଲୁଁ, ଆଉ ‘ବନ୍ଦେ ମାତରମ୍‌’ କହି ମାର୍ଚ୍ଚକରି ଚାଲିଲୁ । ଆଗଭର ହୋଇ Lead କରୁଥାଏ ମୁଁ । ଏକା କଣେଇ କଣେଇ ଚାହୁଁଥାଏ ଟିକିଏ ସ୍କୁଲଆଡ଼କୁ । ବାରଣ୍ଡାରେ ହେଡ଼୍‍ମାଷ୍ଟର ଛିଡ଼ା ହୋଇ ମୁରୁକିମୁରୁକି ହସୁଥାଏ । ସେଦିନ ଆମେ ସହର ଯାକ Procession କରି ବୁଲିଲୁ । ଅନେକ ପିଲା ଆସି ଆମ ସାଙ୍ଗରେ ମିଶିଲେ । ବଜାରୀ ଟୋକା ବି କେତେ ମିଶିଲେ; ଦେଖଣାହାରୀ କେତେ ବି ମିଶିଲେ । ଏହିପରି ଆମ ଶୋଭାଯାତ୍ରାଦଳ ମସ୍ତ ଲମ୍ବ ହୋଇଗଲା । ସନ୍ଧ୍ୟା ସରିକି ସମସ୍ତେ ଯାଇଁ ପହଞ୍ଚିଲୁ ଆଶ୍ରମରେ-। ଆଶ୍ରମର ବଡ଼ବଡ଼ ଦାଢ଼ିଆ ମୁନି ଓ ବ୍ରହ୍ମଚାରୀମାନେ ଆମକୁ Welcome–ନା ନା, ଏଇଟା ବିଦେଶୀ ଶବ୍ଦପରା–ଆମକୁ ସବୁ ପାଛୋଟି ବା ସଙ୍ଖୋଳି ନେଲେ । ଆମ Honourରେ ସେଠେଇଁ ଗୋଟାଏ meeting ହେଲା (କ୍ଷମା କରିବେ, ଏପରି ଗୋଟାଏ ଗୋଟାଏ ଶବ୍ଦ ଆମ ସ୍ୱରାଜ୍ୟ ସେରସ୍ତାରେ ଚଳେ) ସେଠାରେ ଆମେ ସମସ୍ତେ ଗୋଟିଗୋଟି କରି vow ଗ୍ରହଣ କରି ଆମର ଧନ, ମନ, ପ୍ରାଣ, ମାନ ସବୁ ଦେଶ ସେବାରେ ଉତ୍ସର୍ଗ କଲୁଁ ଓ ଦେଶପଣ୍ଡା ବା ପୂଜାରୀମାନଙ୍କ ହସ୍ତରେ ଆତ୍ମ-ସମର୍ପଣ କଲୁଁ ।

 

ଏହି ହେଲା ଆମର ଦୀକ୍ଷା ଗ୍ରହଣ । ଏହି ଉତ୍ସବ ମଜଲିସିରେ ବହୁତବହୁତ ଗଳାବାଜି ହେଲା । ନବୀନ ସନ୍ନ୍ୟାସୀ ଆମ୍ଭେମାନେ ଧାଡ଼ିଧରି ଛିଡ଼ାହୋଇ ଜାତୀୟ ସଙ୍ଗୀତ ଗାଇଲୁଁ । ଓଃ, ସେଦିନ ମନରେ କି ଆନନ୍ଦ, ପ୍ରାଣରେ କି ସ୍ପୁର୍ତ୍ତି, ଅନ୍ତରରେ କି ଆବେଗପୂର୍ଣ୍ଣ ସ୍ପନ୍ଦନ ! ସେଦିନ ଯେ, କି ସ୍ୱାଧୀନତା କି ମୁକ୍ତିର ଝଞ୍ଜା ଅନୁଭବ କରୁଥାଏ ସେ କଥା କ’ଣ କହିବି ! ଏ ସୟତାନୀ ଶାସନ ଧୂଳିସାତ୍‌ କରିବାକୁ ହେବ । ଏ ସୟତାନୀ ଶିକ୍ଷା ପ୍ରଣାଳୀ ଭାଙ୍ଗି ଚୂର୍‌ମାର୍‌ କରିଦେବାକୁ ହେବ । ଧ୍ୱଂସ ଧ୍ୱଂସ । ଆଗେ ଧ୍ୱଂସ ନହେଲେ ସୃଷ୍ଟି ଆସିବ କାହୁଁ ? ବିନାଶ ନ ହେଲେ ଗଠନ ଆସିବ କାହୁଁ ? ମିଥ୍ୟା ଓ ଜୁଆଚୋରୀର ଭିତ୍ତି ଉପରେ ପ୍ରତିଷ୍ଠିତ ଏ ଭଣ୍ଡ ସରକାର ସହିତ ସମସ୍ତ ସମ୍ପର୍କ ତ୍ୟାଗକରି ପ୍ରାୟଶ୍ଚିତ୍ତଦ୍ୱାରା ଅଙ୍ଗଶୋଧନକରି ନୂତନ ସତ୍ୟରାଜ୍ୟ ପ୍ରବର୍ତ୍ତନ କରିବାକୁ ହେବ । କରିବ କିଏ ? ନା–ଆମେ ! ‘ଆମେ’ ବୋଇଲେ ‘ମୁଁ’ । କାରଣ ମୁଁ ହେଲି ଏ କାର୍ଯ୍ୟରେ Pioneer–ଅର୍ଥ ଆଗୁଆ । ସେଦିନ ଆଉ ବସାକୁଯିବା ହେଲାନାହିଁ । ତହିଁ ଆରଦିନ ଦୋଳାଚଳ ଚିତ୍ତବୃତ୍ତି ହୋଇ ଧୀରେଧୀରେ ବସାଆଡ଼କୁ ଚାଲିଲି । ବସାରେ ନନାଥିଲେ । ସାନ ଭାଇଟିଏ ଥିଲା-। ନନା ଆଗରୁ ସବୁ ଶୁଣି ସାରିଥିଲେ ଆମର କୀର୍ତ୍ତିକଳାପ । ମୋ ଉପରେ ନଜର ପଡ଼ିଲା କ୍ଷଣି ତ ଦାନ୍ତକାମୁଡ଼ି ଭୀମମୂର୍ତ୍ତି ହୋଇ ଆସିଲେ । ଏକଦମ୍‌ କଡ଼ା ହୁକୁମ ହେଲା କି, ‘‘ୟାକୁ ଏଠୁ ବାହାର କରିଦିଅ, ମୁଁ ଆଉ ୟା ମୁହଁ ଚାହିଁବି ନାହିଁ ।’’ ମୁଁ ବି ସେଇୟା ଖୋଜୁଥିଲି, ସାଙ୍ଗେସାଙ୍ଗେ ବାହାରି ଚାଲିଆସିଲି । ଏ ସୁବିଧା ଛାଡ଼େ କିଏ ? ବାଟେବାଟେ ଆସି ଆଶ୍ରମରେ ଦାଖଲ । ହେଠି ତ ସେତେବେଳେ ଅବାରିତ ଦ୍ୱାର । ଯେ ଆସିବ ‘ସ୍ୱାଗତମ୍‌’ । ଚୂଡ଼ା ଚାଉଳର ତ’ ଅଭାବ ନାହିଁ-। ତହିଁ ଉପରେ ଯେ, ନେଇଆଣି ଥୋଇ ପାରିଲେ ତା’ର ଚବ୍ୟଚୋଷ୍ୟାଦି ବା ପଚାରେ କିଏ !

 

ମୋର ପିନ୍ଧାଥିଲା ବିଲାତି ଧୋତି ଓ ପଞ୍ଜାବୀ–ତାକୁ ସବୁ ଅଗ୍ନିରେ ଉଝାଇ ଦେବାକୁ ପଡ଼ିଲା । ତତ୍‌କ୍ଷଣାତ୍‌ ନୂଆ ଭେକ ଧାରଣ କଲୁଁ । କେବଳ ଲଣ୍ଡା ହେବାକୁ ପଡ଼ିନାହିଁ । ଆମର ବାରିଷ୍ଟରୀ ଛାଁଟ୍‌ ଟୋପର ବାଳଟା ରହିଗଲା । ହଁ, ଦୀକ୍ଷା ନେବାଟା ସିନା ସରିଥିଲା, ଗୁରୁ ଉପଦେଶ ତ’ ହୋଇନଥିଲା । ନିତ୍ୟାଚାର ପଦ୍ଧତିଗୁଡ଼ିକ ନଜାଣିଲେ ଚଳିବ କିପରି ? ଦେଖିଲି ଯେ, ସେଠି ଗୁରୁ ଅନେକ । ସମସ୍ତେ ସମସ୍ତଙ୍କର ଗୁରୁ ଓ ସମସ୍ତେ ସମସ୍ତଙ୍କର ଚେଲା । ଅର୍ଥାତ୍‌ ‘‘କେହି କାହାରି ଗୁରୁନୁହେଁ କି କେହି କାହାରି ଚେଲାନୁହେଁ !’’ ଏପରା ହେଲା ସାମ୍ୟ, ମୈତ୍ରୀ, ସ୍ୱାଧୀନତାର ପୀଠ ! ସବୁ ଭାଇ ଭଗିନୀ । ଭାଗ୍ୟକୁ ବାପା ଏଠି member ନଥିଲେ । ଯାହାହେଉ ବଡ଼ବଡ଼ କେତେଜଣ ବସି ଆମକୁ ଅନେକ ରକମ ବୁଝାଇଲେ । ଏ କାର୍ଯ୍ୟରେ କିପରି ଦମ୍ଭ, କିପରି ସତ୍‌ସାହସ, କିପରି ଏକାଗ୍ରତା, କିପରି ସ୍ୱାର୍ଥତ୍ୟାଗ ପ୍ରଭୃତି ଦରକାର, ତାହା ସବୁ ଅନେକ ପ୍ରକାର ବଖାଣି କହିଲେ । ଆମେ କାକୁସ୍ଥ ହୋଇ ସବୁ ଶୁଣି ଗଲୁଁ । ମନଟା ଏକା ଭ୍ରମୁଥାଏ କୁଆଡ଼େ ବୋଲି କୁଆଡ଼େ । କାରଣ ସବୁକଥା ଆମେ ବୁଝିପାରୁ ନଥାଉଁ । ସାରକଥା ଏତିକି ବୁଝିଲୁ ଯେ ଆମକୁ ‘ଅସହଯୋଗ’ କରିବାକୁ ହେବ, ଓ ସତ୍ୟାଗ୍ରହ କରିବାକୁ ହେବ । ଏ ଅସହଯୋଗଟା କିପରି ନା, ହାଲକୁ ପାଠପଢ଼ା ଛାଡ଼ିବୁ, ଆଉ ବାବା ଓ ନନାଙ୍କ କଥା ମାନିବୁ ନାହିଁ-। ସୟତାନୀ ନୀତିର ପରିପୋଷକ ଯେ ତା’ର ଅନୁବର୍ତ୍ତନ କରିବାହିଁ ମହାପାପ, କାରଣ ତାହା ଆମ ଭିତରେ ଯେଉଁ ବିବେକରୂପୀ ପରମାତ୍ମାପୁରୁଷ ଅଛନ୍ତି ତାଙ୍କ ସହିତ ବିଦ୍ରୋହାଚରଣ । ଆଉ ସତ୍ୟାଗ୍ରହଟା କ’ଣ ନା ଯିଶୁଙ୍କ ପରି ଏ ଗାଲରେ ଚାପୁଡ଼ା ଖାଇ ସେ ଗାଲ ଦେଖାଇ ଦେବାକୁ ଦେବ–କିମ୍ବା ନିତ୍ୟାନନ୍ଦଙ୍କ ଭଳି ‘ମାର୍‌ ଖେୟେ ପ୍ରେମ ବିଲାଇବା’ ଏହିପରି କେତେ କ’ଣ ଉପଦେଶାମୃତ ପାନ କରୁକରୁ ତଦ୍‌ଗତ ହୋଇ ଶୋଇ ପଡ଼ଲି ।

 

ଆଶ୍ରମରେ ମୋର ରହଣି ହୋଇଗଲା । ବଡ଼ ଆନନ୍ଦରେ ଦିନ କଟୁଥାଏ ପହିଲୁ ସହିଲୁ-। ଚାରିଆଡ଼େ ‘ବାହାବା, ବାହାବା’ ଚାରିଆଡ଼େ ‘ଆଦର ଗଉରବ’ । ଖବରକାଗଜମାନଙ୍କରେ ଆମ ନାଁ’ରେ ଡିବି ଡିବି ବାଜିଲା । ତହିଁ ମଧ୍ୟରେ ମୋ ନାଁ’ଟା ପ୍ରଧାନ । ଓଃ କି ଜ୍ୱଳନ୍ତ ତ୍ୟାଗ, କି ଜୀବନ୍ତ ଦେଶଭକ୍ତି ! ଆମ କୀର୍ତ୍ତିକଳାପ ସମସ୍ତ ଛାତ୍ରଙ୍କର ideal (ଆଦର୍ଶ) । ଏହିପରି ପ୍ରଶଂସା ଶୁଣୁଶୁଣୁ ଛାତି କୁଣ୍ଢେମୋଟ ହୋଇଗଲା, ମନମୋହନର ପେଟ ଫାମ୍ପି ଫାଟିଯିବାକୁ ବସିଲା ! ମୁଁ କେଜାଣି ଗୋଟାଏ କ’ଣ । ‘ମୋ’ରି ଦେହରେ ପୁଣି ଏତେଗୁଡ଼ାଏ ଗୁଣଥିଲା ! ଆଗରୁ ଏଥିରୁ ଟିକିଏ ଜଣା ପଡ଼ିଥିଲେ କି ଅନାଦିବାବୁ ମୋତେ ଏତେସରି କରିଥାନ୍ତା-! ଏହିକ୍ଷଣି ସେ କେଉଁଠି, ଆଉ ମୁଁ କେଉଁଠି ? ସେ କରୁଛି–ଗୋଲାମଗିରି ଆଉ ମୁଁ-? ମୁଁ ଜନନୀ ଜନ୍ମଭୂମିର ଉଦ୍ଧାର ନିମନ୍ତେ ଦେଶର ସ୍ୱାଧୀନତାର ବିଜୟ ବୈଜୟନ୍ତୀ ଉଡ଼ାଇଛି, ଭାରତମାତାର ଦୁର୍ଦ୍ଦଶା ମୋଚନ କରିବାପାଇଁ ଦୁନ୍ଦୁଭିନିନାଦରେ ଜଗତ କମ୍ପାଉଛି । ସମଗ୍ର ଦେଶଟାକୁ ପରାଧୀନତା–ସମୁଦ୍ରପାର କରାଇବା ସକାଶେ କର୍ଣ୍ଣଧାର ରୂପରେ ବୋଇତ ଘେନି ଛିଡ଼ା ହୋଇଛି-! ଆଉ ସେ ନବାଟା କଥା ? ଛି–ମୁଁ ଗୋଟାଏ ଆଉ ସେ ଗୋଟାଏ !

 

ଆଶ୍ରମରେ ଆମେ ଥାଉଁ ଭଲଣ୍ଟିୟର୍‍ ଅନେକଗୁଡ଼ିଏ । ଆମର ଆଶ୍ରମର ନାମ ହେଲା workers ବା କର୍ମୀ; ଲୋକେ କିଏ କେତେପ୍ରକାର କହନ୍ତି । କର୍ମୀଙ୍କର ପ୍ରଧାନତଃ ଦୁଇଟା ବିଭାଗ । ପ୍ରଥମ ଦଳର କାର୍ଯ୍ୟ ସ୍ୱରାଜ–ଭିକ୍ଷା, ଆଉ ଦ୍ୱତୀୟ ଦଳର କାର୍ଯ୍ୟ ଖଦି ପ୍ରଚାର ଓ ଲୋକଶିକ୍ଷା । ପ୍ରଥମ ଦଳ ଯେ, ପ୍ରଚାର କାର୍ଯ୍ୟ ବା propaganda କାମ ନକରିବେ, ଏହା ନୁହେଁ; ତଥାପି ଭିକ୍ଷା ସଂଗ୍ରହ ତାଙ୍କର ପ୍ରଧାନ କାର୍ଯ୍ୟ । ସେହିପରି ଦ୍ୱିତୀୟଦଳ ପ୍ରଚାର propaganda ବା picketing ଯାହା କରନ୍ତୁ ପଛକେ କିଛି ହାତ ପଇଠ ହେବାର ଦେଖିଲେ ଛାଡ଼ିବେ ନାହିଁ । ଏଣେ ସମସ୍ତେ ଆମେ ସତ୍ୟାଗ୍ରହୀ ବା passive resisters ଅର୍ଥାତ୍‌ ବିଧା ବସିଲେ ପିଠି ଦେଖାଇବା ବାଲା ।

 

ପ୍ରଥମ ଦଳର କଥାଟା ଆଗେ କହିବି । ଏହି ଭିକ୍ଷୁକ ଦଳଙ୍କ କାନ୍ଧରେ ଗୋଟାଏ ଲେଖାଏଁ ଝୁଲା । ‘ଭିକ୍ଷାଂ ଦେହି ଭିକ୍ଷାଂ ଦେହି’ ବୋଲି କହି ଭିକ୍ଷା ମାଗିବା ଆମର ଧର୍ମ ବିରୁଦ୍ଧ–ଆମେ ଆତ୍ମଶକ୍ତି ଉପରେ ନିର୍ଭର କରୁ । ଏ କଥା ନିଜେ ମହାତ୍ମାଜୀ କହିଛନ୍ତି । ସେଥିପାଇଁ ସରକାରଙ୍କୁ ଆମେ କିଛି ମାଗୁନାହିଁ । କିନ୍ତୁ ଆପଣାର ଭାଇ ଭଉଣୀଙ୍କ ପାଖରେ ଲାଜ ସରମ କ’ଣ-? ଚକୁଳିଆପଣ୍ଡା ଦେଖିଥିବେ; ସେ ‘ଦେ’ ପଦ କହେ ନାହିଁ, କିନ୍ତୁ ରଡ଼ିମାନ ଛାଡ଼ି ଦୁଆର ଦୁଆର ଥାଳ ପତାଇ ବୁଲୁଥାଏ । ତା’ ଭିତରେ ଯେ, ଦେଲା ତ’ ଭଲ, ଯେ, ନ ଦେଲା ତାକୁ କିଛି ନମାଗି, ଗୀତରେ ଗୁଡ଼ାଏ ଗାଳିଗୁଲଜ କରି ଚାଲିଯାଏ । ଆମେ ସେହିପରି ଝୁଲିଟି ଦେଖାଇ ଛିଡ଼ା ହେଉଁ-। ଆମ ଗାନ୍ଧି ଟୋପି ଓ ଖଦଡ଼ ପୋଷାକ ଦେଖି ଲୋକେ ବୁଝନ୍ତି, ଯେ ନବୁଝି ପଚାରେ ତାକୁ ‘‘ସ୍ୱରାଜ ଭିକ୍ଷା’’ ବୋଲି ଜଣାଇ ଦେଉଁ । ସମସ୍ତେ ମୁଠାଏ ମୁଠାଏ ପକାଇ ଦିଅନ୍ତି । ବଜାରର ଦୋକାନୀମାନେ କିଏ ଚାଉଳ, କିଏ ଡାଲି, କିଏ ପନିପରିବା, କିଏ ପିଆଜ, ଲଙ୍କାମରିଚ ଦିଅନ୍ତି-। କେହି କେହି ପଇସା ପକାନ୍ତି । ଏ ହେଲା ସାଧାରଣ ଭିକ୍ଷା ବା ମୁଷ୍ଠିଭିକ୍ଷା । ଏହାଛଡ଼ା ଆମର ଆହୁରି ରକମେ ଭିକ୍ଷା ଅଛି । ସେଇଟା ଅସାଧାରଣ ବା Special ଭିକ୍ଷା, ଅର୍ଥାତ୍‌ କୌଣସି ଗୋଟିଏ ବିଶିଷ୍ଟ କାରଣ ଘେନି । ନିତି ଭିକ୍ଷା ହେଲା ପେଟ ପୋଷିବା ସକାଶେ । ଆଉ ବିଶିଷ୍ଟ ଭିକ୍ଷାଟା ଅନ୍ୟାନ୍ୟ ବିଶିଷ୍ଟ ଖରଚ ନିମନ୍ତେ । ଗୋଟାଏ କୌଣସି ବିଶିଷ୍ଟ ଘଟନା ବା କାର୍ଯ୍ୟ ଉପଲକ୍ଷ୍ୟରେ ବା ବିଶିଷ୍ଟ ବ୍ୟକ୍ତିର ନାମ ଜୋରରେ ଏ ଭିକ୍ଷା ହୁଏ । ଯଥା–ତିଳକଙ୍କ ଜନ୍ମଦିନ–ଦିଅ ଚାନ୍ଦା, ଆଜି ଗାନ୍ଧି ଦିବସ–ଦିଅ ଚାନ୍ଦା, ଆଜି ଅମୁକ ଜେଲ ଗଲେ–ଦିଅ ଚାନ୍ଦା, ଆଜି ଅମୁକ ଜି ଆସିଛନ୍ତି–ଦିଅ ଚାନ୍ଦା । ଏହିପରି କେତେ କହିବି । ଏହାଛଡ଼ା ଆମର ନିଜର ବା ସ୍ଥାନୀୟ କାମ କେତେଗୁଡ଼ିଏ ମଧ୍ୟ ଥାଏ । ସେ ଗୁଡ଼ାକ ଯଥା–ଆଜି ଅମୁକ ସ୍ଥାନରେ ସମ୍ମିଳନୀ ହେବ, ଢମୁକ ପଡ଼ିଆରୁ ପଟୁଆରା ବାହାରିବ, ଢମୁକ ସ୍ଥାନରେ ଜାତୀୟ ବିଦ୍ୟାଳୟ ବସିବ, ସମୁକ ଯାଗାରେ ଅରଟ କିଣା ଓ ଖଦଡ଼ ପ୍ରଚାର ହେବ, ଇତ୍ୟାଦି । ଏସବୁ କାମରେ ମାତବ୍‌ବୁର ଲୋକେ ବାହାରନ୍ତି-। ଯଥା–ମୁଁ । କାରଣ ଭିଖ ମାଗିବାର ଯେଉଁ art ବା କାଏଦା ଅଛି ଏ କ୍ଷେତ୍ରରେ ସେଇଟା ବେଶି ଲୋଡ଼ା ପଡ଼େ । ଆମେ ପରୀକ୍ଷା କରି ଦେଖିଛୁ, ଯେଉଁମାନେ ଏଇ ମାଗନ୍ତା ବିଦ୍ୟାଟା ଭଲରୂପେ ହାସଲ କରି ଅଛନ୍ତି, ସେମାନେ ଗଲେ ଅଧିକ ଆୟ କରନ୍ତି । ମାଗିବାର ସାଧାରଣ ନିୟମ ହେଉଛି କାକୁତି, ମିନତି କରିବା ଓ ଦରକାର ପଡ଼ିଲେ ଗୋଡ଼ତଳେ ପଡ଼ିଯିବା-। ଏଥିରେ ଭଲ ପଇସା ମିଳେ । କୌଣସି କୌଣସି ସ୍ଥାନରେ ଫସଲ ମିଳିଯାଏ ମଧ୍ୟ । ଏ ସମସ୍ତର ହିସାବପତ୍ର ରୀତିମତ ଥାଏ । କିନ୍ତୁ ଥାଏ ନାହିଁ ଗୋଟାଏ କଥା–Check । ଆଉ କହିବାକୁ ଗଲେ Check କରିବାର ବା ଉପାୟ କ’ଣ ? ଅନେକ ସରକାରୀ ବ୍ୟକ୍ତି ବା ଜମିଦାର ଶ୍ରେଣୀର ଲୋକେ ଅଛନ୍ତି । ଯେଉଁମାନେ ପୁଲିସକୁ ଭୟ କରନ୍ତି; ସେମାନେ ଚାନ୍ଦା ଦେଲାବେଳେ ନାମ ଲେଖିବାକୁ ମଙ୍ଗନ୍ତି ନାହିଁ । ଏପରି କି ‘ଜଣେ ଦାତା’ ‘କୌଣସି ବନ୍ଧୁ’ ବୋଲି ଲେଖିବାକୁ ସୁଦ୍ଧା ନାସ୍ତି କରନ୍ତି । ଅତଏବ ତାହା ଲେଖିବା ବା ନଲେଖିବା ଆମ ପେନ୍‍ସିଲ୍‍ର ଖୁସି ଉପରେ ନିର୍ଭର କରେ-

 

ଗାନ୍ଧିଙ୍କ ନାଁ’ଟା ଏକା ଏପରି ମନ୍ତ୍ରଶକ୍ତିବତ୍‌ କାର୍ଯ୍ୟ କରୁଥାଏ ଯେ, ଗାନ୍ଧିଲୋକ ଆସିଛନ୍ତି ବୋଇଲେ ଅଦିଆ ବ୍ୟକ୍ତିସୁଦ୍ଧା ପକେଟ ଅଣ୍ଡାଳି ପକାଏ । ଏହାଛଡ଼ା ଉର୍ବର ମସ୍ତିଷ୍କ ନେତାମାନେ ସାଧାରଣ ଲୋକଙ୍କ ମନରେ ଏହି ଗାନ୍ଧି ଭକ୍ତିଟା ଉଦ୍ରେକ ଓ ପୃଷ୍ଟ କରିବାପାଇଁ କେତେଗୁଡ଼ାଏ ଅଜଗୁବି ଗଳ୍ପ ଉଦ୍ଭାବନ କରିଥିଲେ, ସେଗୁଡ଼ିକ ନୂଆନୂଆ ରଙ୍ଗ ଦେଇ ତିଆରି କରିବା ଓ ପ୍ରଚାରର ସୁବିଧା କରିବା ମୋର ଥିଲା ଗୋଟାଏ କାମ । ସେପରି ଶତଶତ ଗଳ୍ପ ଅଛି, ସମସ୍ତେ କିଛି କିଛି ଶୁଣିଥିବେ, ଅତଏବ କହିବାର ଦରକାର ନାହିଁ । ତଥାପି ଗୋଟାଏ ଯୋଡ଼ାଏ ଉଦାହରଣ ଦିଏଁ । ଜଣେ କିଏ ଗାନ୍ଧିଙ୍କୁ ଟାପରା କରିଥିଲା ଯେ, ତା ପୁଅକୁ ସାପ କାମୁଡ଼ିଲା । ଯେତେ ଝଡ଼ାଫୁଙ୍କାରେ ଗଲାନାହିଁ । ମାତ୍ର ‘ଗାନ୍ଧି’ ‘ଗାନ୍ଧି’ ବୋଲି ତିନିଥର ଫୁଙ୍କି ଦେଲାରୁ ପିଲାଟି ଉଠି ବସିଲା ।

 

ଆଉ ଜଣେ କେଉଁଠି ହରତାଳ ଦିନରେ ହଳ କରୁଥିଲା ବୋଲି ତା’ର ବଳଦ କଚାଡ଼ି ପଡ଼ି ଅଚେତ ହୋଇଗଲା । ସେ ଗାନ୍ଧିଙ୍କୁ ମୁଣ୍ଡିଆ ମାରି ପାଣ୍ଠି ସକାଶେ କିଛି ଜୋରିମାନା ମନାସିବାରୁ ବଳଦଟା ପୁଣି ଛିଡ଼ା ହେଲା ।

 

ଆଉ କାହାର ଘର ପୋଡ଼ିଗଲା, ଆଉ କିଏ ମହାଦେବଙ୍କ ଠେଇଁ ଗୁହାରି ପଡ଼ିଥିଲା ଯେ, ତାକୁ ହୁକୁମ ହେଲା କି ‘‘ତୁ ଗାନ୍ଧିଙ୍କଠେଇଁ ଅମୁକେଇ ଅପରାଧ କରିଛୁ । ଆଶ୍ରମରେ କିଛି ଦେଲେ ବେମାରି ମୁକ୍ତ ହେବୁ ।’’ ଇତ୍ୟାଦି ଇତ୍ୟାଦି ।

 

ଚାହୁଁ ଚାହୁଁ ଗାନ୍ଧି ଠାକୁର, ଗାନ୍ଧି ଠାକୁରାଣୀ, ଗାନ୍ଧି ସିଦ୍ଧ, ଗାନ୍ଧି ହୁକୁମ, ଗାନ୍ଧିମେଳା ପ୍ରଭୃତି କେତେ କ’ଣ ସୃଷ୍ଟି ହୋଇଗଲା । ପ୍ରତ୍ୟକ୍ଷରେ ଆମେ ସବୁ ଏଥିରେ ନଥାଉଁ, କିନ୍ତୁ ଭିତରେ ଭିତରେ ଆମେ ହେଲୁଁ ମୂଳ ।

 

ଆମ ଦେଶର ଲୋକେ ମାଳିକା, ଗରୁଡ଼ ପୁରାଣ, କାଳିସୀ ପ୍ରଭୃତିରେ ବଡ଼ ବିଶ୍ୱାସ କରନ୍ତି । ଆମେ ସେଥିପାଇଁ ସେ ସବୁ କଥା ସାଙ୍ଗରେ ଗାନ୍ଧୀ କଥାମାନ ଏପରି ଖଞ୍ଜ ଖାଞ୍ଜରେ ଖାପ ଖୁଆଇ ଯୋଖି ଦେଲୁ ଯେ, କଥାକୁ କଥା ଖାସା ଲେଖି ହୋଇଗଲା–ବିଶେଷତଃ ସ୍ତ୍ରୀ ଲୋକଙ୍କଠେଇଁ । ବାସ୍ତବିକ ସ୍ତ୍ରୀ-ଜାତିଟା ଏତେ ବୋକା ଯେ, ତାଙ୍କୁ ବାଗେଇ ନେବା ଭାରି ସହଜ । ଖାଲି ତାଙ୍କ Sentiment କୁ ଟିକିଏ appeal କରି ଦେଲା ହେଲା । ଗାନ୍ଧିଙ୍କୁ ଅମାନ୍ୟ କଲେ ତାଙ୍କ ପୁଅ ପତିଙ୍କର ଅମଙ୍ଗଳ ହେବ, ଏତ ଅଛି ଏକ ଭୟ । ସେଥିରେ ଆମ ଭଳିଆ ପିଲାଙ୍କୁ ଦେଖିଲେ ତାଙ୍କର Sympathy ଜିନିଷଟା ବହକି ପଡ଼େ । ଏହା ଜାଣିଶୁଣି ଆମେ ସୁନ୍ଦର ସୁନ୍ଦର ପିଲା ଯୋଡ଼ିଏ ତିନୋଟି ସାଙ୍ଗରେ ରଖିଥାଉଁ । ସେ ପିଲାଏ ଏପରି ଶିକ୍ଷିତ ଯେ, କଅଁଳେଇ କଅଁଳେଇ ‘ମା’, ‘ମାଉସୀ’ ବୋଲି ଗେହ୍ଲେଇ ପଡ଼ନ୍ତି । ଏଥିରେ ଆଉ କି ସମ୍ଭାଳି ହେବା କଥା । ‘‘ଆହା କାହାର ଦୁଧଖିଆ ପିଲାଗୁଡ଼ିକ କେତେ କଷ୍ଟ ପାଉଛନ୍ତି ଗୋ ।’’ ଏହି ପିଲାଏ ଘରଆଡ଼େ ଭିତରକୁ ପଶି ପଇସା କଉଡ଼ି, ଗହଣା ଗଣ୍ଠି ଅନେକ ରକମ ମାରି ଆଣନ୍ତି । ଏଥିରୁ ଆଶ୍ରମ ପାଣ୍ଠିକୁ ଯିବା ନ ଯିବାଟା ଆମର ମଧୁର ଇଚ୍ଛା ଉପରେ ନିର୍ଭର କରେ । ତେବେ ଆମେ ସାଧାରଣତଃ ଆଠପଣରୁ ବେଶି ନିଜ ସକାଶେ ରଖୁନାହିଁ । ବାସ୍ତବିକ ନାର୍ଯ୍ୟଭାବରେ ଧରିବାକୁ ଗଲେ ଏ ସବୁ ଆମ କସରତ ବା ବାହାଦୂରୀ ଫଳ । ଆଶ୍ରମର ହକ୍‍ ରାଜଭାଗ ଅଧିକ । ଏଥିପାଇଁ ଆମ ବିପକ୍ଷ ଲୋକେ କେତେ ରକମର କଟୁ କଟାକ୍ଷ କରି ଥାଆନ୍ତି, ମାତ୍ର ତାଙ୍କର ବୁଝିବା ଉଚିତ୍‍ ଯେ, ଏହିପରି ନ୍ୟାୟ ସଂସାରରେ ସବୁ କଥାରେ ହୋଇଥାଏ । ଆମେ ଜାଣୁ ଦୁଷ୍ଟ ଲୋକେ ଦୋଷ ଦିଅନ୍ତି । ଏଇଟା ତ ଆମର କିଛି ଲୁଚା ଛପା କାରବାର ନୁହେଁ । ଆମେ ଯେ, ନିଜର ଘରଦ୍ୱାର, ସୁଖଶାନ୍ତି, ଆପଣାର ବାପ ମା ଭାଇ କୁଟୁମ୍ୱଙ୍କୁ ଛାଡ଼ି, ନିଜର ଭବିଷ୍ୟତକୁ ନଚାହିଁ ଏଥିରେ ପଡ଼ି ରହିଛୁ–ଆମେ ପୁଣି ଚଳିବୁ କିପରି ? ଆମେ ଏଥିରୁ ଏକ ପଇସା ଘରକୁ ଦେଉନାହୁଁ ବା ସଞ୍ଚୟ କରୁନାହିଁ-। ନିଜର ସୁଖ ସ୍ୱାଛନ୍ଦ୍ୟ ଓ ସ୍ୱାସ୍ଥ୍ୟ ସକାଶେ ଯାହା କିଛି ଖରଚ ତାକୁ ଯୋଗାଇବ କିଏ ? ଆମର ସ୍ୱାସ୍ଥ୍ୟ, ଶାନ୍ତି ବା ଜୀବନର ଅନିଷ୍ଟ ହେଲେ କ୍ଷତି କାହାର, ସମଗ୍ର ଦେଶର, ସମଗ୍ର ଜାତିର ନୁହେଁ କି-? କହିବାକୁ ଗଲେ ଏ କଥା ସମସ୍ତେ ଜାଣନ୍ତି, ସମସ୍ତେ ମଧ୍ୟ କରନ୍ତି–ବଡ଼ ବଡ଼ଙ୍କଠାରୁ ଆରମ୍ଭକରି ସାନ ପର୍ଯ୍ୟନ୍ତ । ସିଧା କଥାରେ ଏ ଗୋଟାଏ open secret–ସବୁ ଜାଣିଶୁଣି ଆଖି ବୁଜି ଦେବାକୁ ହୁଏ ମାତ୍ର ।

 

ଆମେ କର୍ମୀମାନେ ସମୟସମୟରେ ଗୋଟାଏ ପ୍ରକାର କର୍ମରେ ବାହାରୁ–ତା ନା ପିକେଟିଂ (picketing) । ପିକେଟିଂ ବୋଇଲେ କ’ଣ ଜାଣନ୍ତି ? ବିଦେଶୀ ଦରବ କିଣିବାରୁ ଲୋକଙ୍କୁ ନିବର୍ତ୍ତାଇବା ଓ ନିଶା ପଦାର୍ଥ ବିକ୍ରି ବନ୍ଦ କରିବା । ଏହାର କର୍ମସ୍ଥାନ ବଜାର ଓ ବଡ଼ ରାସ୍ତାଛକି । ପିକେଟିଂଟା ବେଜାୟ ଲାଭଜନକ କାର୍ଯ୍ୟ । ଦୁଃଖର କଥା, ଏଇଟା ବେଶିଦିନ ଚଳିଲା ନାହିଁ–ଆଉ ସେହି ହେତୁରୁ ବି ଅନେକ ମନମରା ହୋଇ ଦଳରୁ ଛାଡ଼ି ପଳାଇଲେ । ମୋହରିପରି ଦାନ୍ତ ନେକୁଟିଆଯାକ ସିନା ପେଟରେ ଓଦା କନା ଦେଇ ପଡ଼ି ରହିଲେ । ହଁ କଣ କହୁଥିଲି କି, ଏହି ପିକେଟିଂ କରିବାକୁ ହୁଏ ପୂରା ଦଳଦଳ ଘେନି । ଆମ ଭିତରେ picketingର ନା ଦେଇଥାଉଁ pocketing । ପହିଲେ ଦୋକାନୀମାନଙ୍କ ପାଖରେ ପହଞ୍ଚିଯାଇ ବୁଝାଇବାକୁ ହୁଏ ଯେ ‘‘ଭାଇ, ତୁମେ ଆଉ ଅପବିତ୍ର ବିଦେଶୀ ଜିନିଷ ବିକ ନାହିଁ ।’’ ସେମାନେ ସାଧାରଣତଃ ଗୋଟାଏ ଉତ୍ତର ଦିଅନ୍ତି–‘‘ବାବୁ, ଆମେ ତ’ ଖରିଦ କରିସାରିଛୁ । ଏବେ ଏଗୁଡ଼ାକ କରିବୁ କ’ଣ ? ଏ ତ’ ହେଲା ଆମର ଜିବିକା । ୟାକୁ ଛାଡ଼ିଦେଲେ ନିଜ ପେଟ ପୋଷାହେବ କିପରି ? ଏଣେ କୁଟୁମ୍ୱ ଗଡ଼ି ମରିବେ ଯେ ।’’ ଏଭଳି ଉତ୍ତରକୁ ତ’ ପ୍ରତ୍ୟୁତ୍ତର ନାହିଁ ଜାଣି ସୁଦ୍ଧା ଅନେକ ରକମର ଯୁକ୍ତି ଦେଖାଇବାକୁ ହୁଏ । ସେପରି ଯୁକ୍ତିତର୍କ ଆମର ମୁଖସ୍ଥକରା ବୋଲି । ଆମେ ଗାନ୍ଧିଙ୍କ ଚାଟ, ଆମର ଜୋରଜବରଦସ୍ତି କରିବା ମନା; ସୁତରାଂ ଯେତେ କଅଁଳ କଥାରେ ପାରୁ, କହୁଁ । ନୋହିଲାବେଳକୁ ତାଙ୍କ ଦୋକାନ ଆଗରେ ଛିଡ଼ା ହୋଇ ଗ୍ରାହକ ଫେରାଇବାକୁ ବାଧ୍ୟହେଉ । ଏ କାମଟା ଏକା ଭାରି ଶକ୍ତ । ଅନେକ ସମୟରେ ଜଣେ ଜଣେ ଅମାନିଆ ଲୋକଙ୍କ ପାଲରେ ପଡ଼ି ବଡ଼ ହରକତ ହେବାକୁ ପଡ଼ିଛି । କେହି କେହି ଆମ କଥା ମାନି ହେଉ ବା ଡରରେ ହେଉ ଫେରିଯାନ୍ତି ସତ, ମାତ୍ର କେହି କେହି ମୁହଁ ମୋଡ଼ନ୍ତି, ବିଦ୍ରୂପ କରନ୍ତି; ଏପରି କି ବେଳେବେଳେ ଆମ ନିର୍ଦୋଷ ବାପ–ଗୋସାବାପାଙ୍କଠାରୁ ଆରମ୍ଭକରି ମା ଭଉଣୀଙ୍କ ସଙ୍ଗରେ ଘନିଷ୍ଠ ସମ୍ପର୍କ ଲଗାଇ ଦେଇ ଆମର ସମ୍ବର୍ଦ୍ଧନା କରନ୍ତି । ବଡ଼ ଅପ୍ରୀତିକର କାର୍ଯ୍ୟ ଏକା । କିନ୍ତୁ କ’ଣ କରିବୁ–ଆମର ଧର୍ମ ହେଉଛି ନିର୍ଯ୍ୟାତନା ଓ ଅତ୍ୟାଚାର ଅକାତରରେ ସହିବା । ସବୁ ସହୁଁ । ସହି ସହି ଆମର ଚମଡ଼ା ଏତେ ମୋଟା ହୋଇଗଲାଣି ଯେ, ଏସବୁ ଏବେ ଆଉ କିଛି ବାଧେ ନାହିଁ । ମିଜାଜଟା ମଧ୍ୟ ସେହିପରି କୁନ୍ଥା ହୋଇ ଗଲାଣି । ଆଗକାଳ କଥା ହୋଇଥିଲେ ଏପରି ଲୋକଙ୍କୁ ଉତ୍ତମ ମଧ୍ୟମ ଚଢ଼ାଇ ଦିଅନ୍ତୁ । ମାତ୍ର ଏବେ ଏହି ବେହିଆଗିରି ଧର୍ମ ଓ ଅଲାଜୁକୀ ବାନା ଗ୍ରହଣ କରି ସେସବୁ ଛାଡ଼ି ସାରିଲୁଣି । ଓଲଟା ଆହୁରି ତାଙ୍କ ହାତ ଧରିବାକୁ ହୁଏ, ଖୋସାମତ ବରାମତ କରିବାକୁ ହୁଏ–କାହାକୁ ‘ଭାଇ’ କାହାକୁ ‘ଦାଦା’ କାହାକୁ ‘ବାପା’ ବୋଲି ସମ୍ବୋଧନ କରି ଲମ୍ବ ଖମ୍ବ ଗୋଡ଼ତଳେ ପଡ଼ିଯିବାକୁ ହୁଏ । ଏଥିରେ ତରଳିବ ନାହିଁ କିଏ ସେ ? ମନୁଷ୍ୟର ଯେତେଗୁଡ଼ିଏ କୋମଳବୃତ୍ତି ଅଛି, ତହିଁ ମୂଳରେ ଆଘାତ କରିବାର ବିଦ୍ୟାଟା ବା ସୂତ୍ରଟା ଆମକୁ ଯେପରି ମାଲୁମ୍‍, ତାହା ଆଉ କାହାରିକି ନୁହେଁ ।

 

ପିକେଟିଂର ଅସଲ ଲାଭଟା କ’ଣ ତାହା କହିବି । ଯେଉଁ ଦୋକାନୀ ନିତାନ୍ତ ଦେଖେ ଯେ, ଆମେ ତାହାରି ସଙ୍ଗରେ ବଡ଼ ବେଶି ଲାଗିଛୁଁ, ଆଉ ତା’ ଦୋକାନରୁ ଗହଳି ଭଙ୍ଗାଇ ଦେଉଛୁଁ, ସେ ଖୁସି ହୋଇ ପାଞ୍ଚ ଦଶ ସ୍ୱରାଜ ଚାନ୍ଦା ଆମ ହାତରେ ଗୁଞ୍ଜିଦିଏ । ଅନେକ ସ୍ଥାନରୁ ଟଙ୍କା ପରିବର୍ତ୍ତରେ ପଦାର୍ଥ ମଧ୍ୟ ମିଳେ । ତହିଁ ମଧ୍ୟରେ ଲଜେଞ୍ଜ, ଜେଲି, ବିସ୍କୁଟ୍‍ ପ୍ରଭୃତି ଖାଇବା ମାଲ୍‍ ପ୍ରଧାନ । ତେବେ ସମୟ ସମୟରେ ଦରକାର ମୁତାବକ ଅନ୍ୟାନ୍ୟ ଜିନିଷ ମଧ୍ୟ ହାତପଇଠ ହୋଇଥାଏ, ଯଥା–ଆରିଶି, ବୁରୁଷ, ଏସେନ୍‌ସ, ଚିଠି କାଗଜ, କଲମ, ସିଗାରେଟ୍‍ ପ୍ରଭୃତି । ଏ କାରବାର ଗହକିମାନଙ୍କ ଆଗରେ ହୁଏନାହିଁ । କାରଣ, ସେଥିରେ ମୁଘମଟା ପ୍ରକାଶ ହୋଇ ପଡ଼ିବାର କଥା । ଯଦି ଦେଖିଲୁ କେହି କୌଣସି ବିଲାତି ଦ୍ରବ୍ୟ ଖରିଦ କରିସାରିଛି, ତାକୁ ସେ ଦ୍ରବ୍ୟ ଫୋପାଡ଼ି ଦେବାକୁ ଲଗାଉଁ । ସେ ନ ମଙ୍ଗିଲେ ଏଣେ ଜଣେ ଦୁଇଜଣ ଗୋଡ଼ହାତ ଧରାଧରି କରୁଥାନ୍ତି । ଆଉ ଜଣେ ଇତି ମଧ୍ୟରେ ଛଡ଼ାଇ ନେଇ ଫୋପାଡ଼ି ଦିଏ । ଲୁଗାପଟା ହୋଇଥିଲେ ଦିଆସିଲି ଲଗାଇ ଦେଉଁ । ତାହା ମଧ୍ୟରେ ଯଦି ହାତସଫେଇ କରି କେହି କିଛି ମାରିନେଇ ପାରିଲା ତ ଆଛା । ଫୋପାଡ଼ି ଦେଇଥିବା ପଦାର୍ଥ ଅବଶ୍ୟ ପଛରେ ଆମରି ହାତରେ ପଡ଼େ । ଏଥି ସକାଶେ କହିଲି କି ପିକେଟିଂରେ ବଡ଼ ଲାଭ ।

 

ଆମର ଦାଉ ବେଶି ଅବକାରୀ ଦୋକାନ ଉପରେ । କେବଳ ବୁଢ଼ା ବୁଢ଼ା ଲୋକଙ୍କୁ ଅଫିମ କିଣିବାକୁ ଛାଡ଼ । ଆଉ ସମସ୍ତଙ୍କୁ ଆଗେ ଟିକିଏ ନେହୁରା ବାଉରା, ପରେ ଜବରଦସ୍ତି । କୌଣସି କୌଣସି ଦୋକାନୀଙ୍କ ସାଙ୍ଗରେ ଭିତିରିଆ ବନ୍ଦୋବସ୍ତ ଥାଏ । ସେଠି ଦେଖିଶୁଣି କାମ କରାଯାଏ । ଜଣେ ଦୋକାନୀ ଆମ ଆଶ୍ରମର ଯେତେ ଭାଙ୍ଗ ଖରଚ ତାହା ସବୁ ଯୋଗାଏ । ମିଛ କାହିଁକି କହିବି, ମଦଟା ଆଶ୍ରମ ଭିତରକୁ ଆସେନାହିଁ, କେବଳ ସାଙ୍ଗଦୋସ୍ତ କେହି ଅକସ୍ମାତ୍‌ ସେ ଆଡ଼କୁ ଗଲେ ସାମାନ୍ୟ ଖାଇ ଖୋରାକିଟା ପୋଲାରେ ମିଳେ । ଏତିକି । ଆମ ଭିତରେ କାହାରି କାହାରି ଏ ବଦ ଅଭ୍ୟାସଟା ଥିଲା । ସେମାନେ ମନକୁ ପ୍ରବୋଧ ଦିଅନ୍ତି କି ଅନ୍ୟମାନେ ଯେତେବେଳେ ଭାଙ୍ଗ ଖାଉଛନ୍ତି, ଆମେ ଏବେ ଦିନେ ଅଧେ ଟିକିଏ–ଅବଶ୍ୟ ଅତି ଗୋପନରେ । କେହି ଧରା ପଡ଼ିଗଲେ ମଧ୍ୟ ଅଳ୍ପ ବହୁତ ଉପଦେଶାତ୍ମକ ମିଠା ଗାଳି ମାତ୍ର ହୁଏ, ନୋହିଲେ pass over । ନେତାମାନଙ୍କର ସେହିପରି ସର୍ବସହଣି (tolerant spirit) ନଥିଲେ ଦଳ ରଖିବା ଯେ ମୁସ୍କିଲ୍‍ ହୋଇ ପଡ଼ନ୍ତା । Discipline ଦେଖୁଦେଖୁ ଏଣେ ଯେ, ସର୍ବନାଶ ! ବାଛି ବସିଲେ ତ କମଳଯାକ ବାଳ ! ଏଥିପାଇଁ ଏପରି ସବୁ ସାମାନ୍ୟ technical ବା bonafide ତ୍ରୁଟିକୁ ନେତାମାନେ ଆଖି ବୁଜି ଦିଅନ୍ତି ।

 

ଏହିପରି ଆନନ୍ଦରେ, ମଉଜରେ କିଛିଦିନ କଟିଗଲା । ସମସ୍ତେ ଚାହି ବସିଥାଉଁ କେବେ ସ୍ୱରାଜ ହେବ । ଦିନେ ଖବର ଆସିଲା କି ଗାନ୍ଧି ହୁକୁମ ଦେଇଛନ୍ତି, ଅମୁକଦିନ ହେବ । ଆହୁରି ତେଜରେ କାମ ଲାଗିଲା । ଦେଖିଲୁ ଆମ ପ୍ରତି ଲୋକଙ୍କର ଆଦର ସମ୍ମାନ ବଢ଼ିଲା । କାରଣ, ସ୍ୱରାଜ ହେଲାକ୍ଷଣି ଆମ ଅବସ୍ଥା ଯେ, କ’ଣ ହେବ, ତାହା ଏମାନେ ବେଶ୍‌ ଅନୁମାନ କରି ପାରୁଥିଲେ । ଆମ ଘର ଭିତରେ ବି ନାନା କଳ୍ପନା ଜଳ୍ପନା ଚାଲିଲା । ପାଞ୍ଚଜଣ ଏକାଠେଇଁ ହେଲାକ୍ଷଣି କେତେ ପ୍ରକାର କଥା ପଡ଼ିଥାଏ । ତାହାଛଡ଼ା ସମସ୍ତଙ୍କର ଭିତିରିଆ ମଧ୍ୟ କେତେ ପ୍ରକାର ମତଲବ ଥାଏ । ସେ କଥା କେହି କାହାରିକି କହେନାହିଁ । ବାସ୍ତବିକ ପ୍ରତ୍ୟେକ ମନୁଷ୍ୟର ଏପରି କେତେଗୁଡ଼ିଏ ଗୋପନୀୟ କଥା ବା ଚିନ୍ତା ଅଛି, ଯାହା ସେ କାହାରି ଆଗରେ ପ୍ରକାଶ କରେନାହିଁ–ସେ ଯେତେ ଆପଣାର ହେଉ ପଛକେ । ମୋର ବି ସେପରି କେତେଗୁଡ଼ାଏ ଥିଲା, ପ୍ରକାଶ କରିବାର ନୁହେଁ–ଅତଏବ ନୀରବ ରହିଲି ।

 

ଆମେ ଅନେକଗୁଡ଼ିଏ କର୍ମୀ ଆଶ୍ରମର ଗୋଟାଏ ଘରେ ଗଉଡ଼ଙ୍କ ଭଳି ଶୋଉଁ । ଦିନେ ମୋତେ ଛାଇନିଦ ଲାଗିଛି, ହଠାତ୍‌ ମୋ ନାଁ’ଟା କାନରେ ପଡ଼ିବାରୁ ନିଦ ଭାଙ୍ଗିଗଲା, କାନ ପାରିଲି-। ଦିଓଟି ସାନପିଲା କଥାବାର୍ତ୍ତା ହେଉଥାନ୍ତି । ଜଣେ ପଚାରିଲା, ‘‘ଆଛା, ସ୍ୱରାଜ ହୋଇଗଲେ କ’ଣ ଆମ ଆଶ୍ରମ ଏଇଠେଇଁ ରହିବ ?’’ ଦ୍ୱିତୀୟ ପିଲା କହିଲା, ‘‘ଓଲୁଟାଏ ନା କ’ଣ ମ । ଆଶ୍ରମ ପରା ଉଠିଯିବ କମିଶନର ଅଫିସକୁ ।’’

 

୧ମ

-

କମିଶନର ଅଫିସ୍‍ ପୁଣି କୁଆଡ଼େ ଯିବ ?

୨ୟ

-

ଆମେ ପରା ଚଳାଇବା !

୧ମ

-

କମିସନର କିଏ ହେବ କି ?

୨ୟ

-

ବୁଝିନାହୁଁ ପରା ? ମହାତ୍ମା ହୁକୁମ ଦେଇଛନ୍ତି ଆପଣେ ହେବେ ବୋଲି ।

୧ମ

-

ଆଉ କିଲଟର ?

୨ୟ

-

କଟକରେ-ବାବୁ, ପୁରୀରେ-ବାବୁ, ଆଉ ବାଲେଶ୍ୱରରେ-ବାବୁ ।

୧ମ

-

ଆଛା ଆମ-ବାବୁ [ଅର୍ଥାତ୍‌ ମୋହରି ନାମ] କ’ଣ କିଛି ହେବେ ନାହିଁ ?

୨ୟ

-

ସେହି କଥା ତ ଚାଲିଛି । ମହାପାତ୍ର ସାହେବଙ୍କ କାମରେ ଏ ରହିବେ କି ବାବୁ ରହିବେ, ସେ ବିଷୟ ସାର ହୋଇନାହିଁ । କେହି କେହି ପୁଣି କହୁଛନ୍ତି–ବାବୁଙ୍କ ନାଁ-

୧ମ

-

ଆଉ କାହା କଥା କ’ଣ ହେଉଛି ?

୨ୟ

-

ସେ କଥା ସବୁ କ’ଣ ଏତିକି ଦିନୁ ଠିକ୍‍ ହୋଇଗଲାଣି ? ଆପଣେ ଯାହା କରିବେ ନା । ତେବେ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରଖରୁ ସବ୍‌ଡ଼ିଭିଜନ ଅଫିସର କଥାଟା ଯାଇଛି ଏକରକମ । ଖାଲି ଖୋରଧା କଥାରେ ଗୋଳମାଳ ଅଛି–

୧ମ

-

କାହିଁକି ?

୨ୟ

-

କ’ଣ କି–ବାବୁ କଥାହେଲା ବେଳକୁ କେହି ଆପତ୍ତି କରୁଛନ୍ତି କି, ସେ ଦୋମଙ୍ଗିଆ-। ଏଣେ ସେ ନିଜେ ବି-ବାବୁ କିଲଟରଙ୍କ ଅଧୀନରେ ରହିବାକୁ ନାରାଜ-

୧ମ

-

ବାବୁ କ’ଣ ଫାଙ୍କ ପଡ଼ିବେ ?

୨ୟ

-

କିଏ କହିଲା ? ସେ ପରା କଟକର ସିଭିଲ୍‍ ସରଜନ ।

୧ମ

-

ଆଉ ବାଲେଶ୍ୱରର ?

୨ୟ

-

...ବାବୁ ।

୧ମ

-

ପୁରୀର ?

୨ୟ

-

ସାହେବ ହେବେ; କି ...ବାବୁ ହେବେ ଠିକ୍‌ନାହିଁ ।

 

ଦ୍ୱିତୀୟ ଯାହାଙ୍କ ନାମ କହିଲୁ ସେ ବର୍ତ୍ତମାନ ସ୍ୱର୍ଗରେ । ଆହୁରି ଜଣେ କଲେଜରେ ପ୍ରିନ୍‌ସପାଲ ହବାର କଥା ଥିଲା-ସେ ମଧ୍ୟ ସ୍ୱର୍ଗରେ । ସ୍କୁଲ ଇନିସ୍ପେକ୍‌ଟର ହେବେ...ବାବୁ, ଜଜ୍‌...ବାବୁ, ବାଳିକା ସ୍କୁଲ ଇନିସ୍ପେକ୍‌ଟ୍ରେସ୍‌... ଇତ୍ୟାଦି ଇତ୍ୟାଦି । କେତେ ଲୋକଙ୍କ ନାଁ’ ଯେ, ପଡ଼ିଗଲା, ସେ ସବୁ ମୋ ମନେ ନାହିଁ । ସେଦିନ ଜାଣିଲି କି ଓଡ଼ିଶା ଶାସନଚକ୍ରର (wheel) ଚକର ପ୍ରତ୍ୟେକ ଅର (spoke) ଗଢ଼ା ହୋଇ ସାରିଲାଣି । ସେଦିନ ରାତିରେ କେତେ କ’ଣ ସ୍ୱପ୍ନ ଦେଖିଲି-ସେଗୁଡ଼ାକ ଲାଜ କଥା, କହିବି ନାହିଁ । ଯଦି ସ୍ୱରାଜ ହୋଇଥାନ୍ତା, ତେବେ କହନ୍ତି କାହିଁକି, ଏକାବେଳକେ କାମରେ ଦେଖାଇ ଦେଇଥାନ୍ତି । ଏକା ଆମର କର୍ମ ଊଣା ନୁହେଁ, ଉତ୍କଳ ଜନନୀଙ୍କର କର୍ମ ଊଣା । ଭାରତ ମାତାଙ୍କର କର୍ମ ଊଣା !

 

ଆମ ଅସହଯୋଗୀଙ୍କର ତିନୋଟି ପ୍ରଧାନ ମନ୍ତ୍ର–୧-ଖଦଡ଼, ତହିଁ ମଧ୍ୟରେ ଅରଟ, ୨-ହିନ୍ଦୁ ମୁସଲମାନ୍‍ ମିଳନ, ୩-ଅସ୍ପୃଶ୍ୟତା ନିବାରଣ । ଏହି ତିନୋଟି ହେଲା ସ୍ୱରାଜ ପାଇବାର ସର୍ତ୍ତ ଅର୍ଥାତ୍‌ condition । ହିନ୍ଦୁ ମୁସଲମାନ୍‍ ଭାରତମାତାଙ୍କର ଦୁଇପୁଅ-ଭାଇଭାଇ । ଏ ଦୁହେଁ ନମିଶିଲେ ସ୍ୱରାଜ ହେବନାହିଁ । ଆମର ଆଗ କାମ ହେଲା ହିନ୍ଦୁ ମୁସଲମାନ୍‍ ମିଳନଟା । ଆମେ ଯେଣୁ ସବୁ କଥାରେ ଆଗୁଆ ଅର୍ଥାତ୍‌ Pioneer, ଆମେ ହିଁ ତ’ ପୁଣି ଆଦର୍ଶ ଦେଖାଇବୁଁ, ତା’ପରେ ଲୋକେ ଅନୁସରଣ, ଅନୁକରଣ କରିଯିବେ । ଆତ୍ମା ମେଳଟା ଖିଆଣପିଆଣରେ ଯେପରି ହୁଏ, ଆଉ କେଉଁଥିରେ ହୁଏ ନାହିଁ । ଏହି ଉଦ୍ଦେଶ୍ୟରେ ଆମେ ଆଗ ହୋଇ ପଠାଣଙ୍କ ସାଙ୍ଗରେ ଖାଇବା ଆରମ୍ଭ କରିଦେଲୁଁ । ଆମନ୍ତ୍ରଣ ନିମନ୍ତ୍ରଣରେ ପଠାଣ ଘର ହାଣ୍ଡି ବାରଣ କରାହେଲା ନାହିଁ–ଏକାବେଳକେ ନିର୍ବିକାର । ଅସଲ କଥା, ଏ ବିଷୟରେ ମୋର ଦ୍ୱିଧା ନଥିଲା । କାରଣ ଦାଢ଼ିଆ ପଣ୍ଡାଙ୍କ ହାତରୁ ଖାଇବାଟା ଆଗରୁ ମୋର ଅଭ୍ୟାସ ଥିଲା–ହୋଟେଲ କୃପାରୁ । ସେହିଟା କେବଳ ଏହିକ୍ଷଣି ବେଶ୍‌ ପ୍ରକାଶ୍ୟ ଭାବରେ ଓ ଗୋଟାଏ ମହତ୍ତ୍ୱର ଦ୍ୱାହି ଦେଇ ଚାଲିଲା ମାତ୍ର । ପଠାଣ ଘର ନିରାମିଷ ତିଅଣଗୁଡ଼ାକ ଏକା ଆମ ପାଟିକୁ ଭଲ ଲାଗେନାହିଁ । ମୁଁ ତାହା ଥରେ ଅଧେ ଚାଖିଛି ସତ, କିନ୍ତୁ ବଡ଼ ବାଧ୍ୟବାଧକତାରେ । କହିବାକୁ ଗଲେ ପଠାଣ ଘରେ ଖାଇବାର ଉଦ୍ଦେଶ୍ୟ ତ ନୁହେଁ କାଞ୍ଜି ଖାଇବା ! ଜାତି ଯଦି ଦେଲ ତ ପେଟ ପୁରାଇ ନିଅ । ପଠାଣ ହାତରୁ ଯଦି ଖାଇଲ ତ ପଲାଉ, କୋର୍ମା, କବାବ୍‍, କୋପ୍ତା ଖାଅ । ଶାଗ, ମହୁର ଖାଇଲେ ଆଉ କ’ଣ ହେଲା ! ବାସ୍ତବିକ୍‌ ମାଂସଟା ସେମାନେ ଯେପରି ରାନ୍ଧି ଜାଣନ୍ତି, ଓଡ଼ିଆ ଲୋକେ ଚୌଦ ଜନ୍ମରେ ପାରିବେ ନାହିଁ । ଯଦି କେବେ ବା ପାରନ୍ତି, ତେବେ ସ୍ୱରାଜ ହୋଇ ସାରିଲେ ପାରିବେ । ଏହି ବାଟରେ ଆମେ ଅଧାଅଧି ସରିକି ସ୍ୱରାଜ ମାରି ନେଇଗଲୁଁ ଏକା ।

 

ଏହି ଉପରଠେଲା ମିଳନର କି ବିଷମୟ ଫଳ ପରେ ଫଳିଲା, ତାହା ଏବେ ଆଉ କାହାରିକୁ ବୁଝାଇଦେବାକୁ ହେବନାହିଁ । ଡେଙ୍ଗୁରା ବଜାଇ ‘ମିଳନ ମିଳନ’ କହି ହୋଇ ଅସଲ ଅମେଳଟାକୁ ଆମେ ଏପରି ଚେତେଇ ଦେଲୁଁ ଯେ, ଆଜି ତାହା ଫାଟିଯାଇ ବୋଧହୁଏ, ଯାହା କେବେ ନଥିଲା ସେହି ଅମେଳଟାକୁ ଚିରଦିନ ସକାଶେ ତିଆରିକରି ଦେଇଗଲୁ । ମୁଁ ଠିକ୍‌ ବୁଝିଛି, ଯଦି ଏହି ଅସହଯୋଗ ଆନ୍ଦୋଳନଟା ଏପରିଭାବରେ ହୋଇ ନଥାନ୍ତା, ଆଜି ଭାରତବର୍ଷ ଏହି ହିନ୍ଦୁ ମୁସଲମାନ୍‍ ବିରୋଧରେ ରକ୍ତାରକ୍ତି କାଣ୍ଡ ଦେଖିପାରି ନଥାନ୍ତା । ଯାହାହେଉ ବର୍ତ୍ତମାନ ମନକୁ ପ୍ରବୋଧ ଦେବାକୁ ହେବ ଯେ, ‘ଭାଇ ଠାରୁ ବଳି ଭଗାରି ନାହିଁ ।’

 

ହଁ, ଆମର ଆଉ ଗୋଟିଏ କାମ ଥିଲା ଅସ୍ପୃଶ୍ୟତା ନିବାରଣ । ଏଇଟା ବି example ରେ ଦେଖାଇ ଦେଲୁ । ପାଣ, ବାଉରି, ବା ହାଡ଼ିଘରେ କେବେ ପତର ପକାଇ ନାହିଁ ମୁଁ । ତାଙ୍କ ଘରେ କୋଚିଆ ବା ମଲା ଗୋରୁ ମାଉଁସ ଖାଇବାର ଲୋଭ ନଥିଲା । କେବଳ କାନ୍ଧରେ ହାତ ପକାଇ ବୁଲିଛି, ଅର୍ଥାତ୍‌ ହାତଦ୍ୱାରା ସ୍ପର୍ଶ କରିଛି, ଆଉ ଦୋସ୍ତିରେ ପଡ଼ି ଥରେ ଅଧେ ମାତ୍ର ଖଜିର ରସ ଚାଖିଛି, ଅର୍ଥାତ୍‌ ନଖାଇ କେବଳ ମୁଖଦ୍ୱାରା ସ୍ପର୍ଶ କରିଛି ।

 

ଏହି ସମୟରେ ଗୋଟାଏ circular ଆସିଲା କି, Law court ମାନ bycott କରାଯାଉ, ଆଉ ଗ୍ରାମେ ଗ୍ରାମେ ପଞ୍ଚାୟତ ବସାଇ ଗ୍ରାମ୍ୟ ସ୍ୱାୟତ୍ତ ଶାସନର ଭିତ୍ତି ସ୍ଥାପନ କରାଯାଉ । ଗୋଟାଏ ନୂଆ ଫନ୍ଦାପାଇ ବାହାରି ପଡ଼ିଲୁଁ ତତ୍‌କ୍ଷଣାତ୍‌ । କଚେରିକୁ ଯାଇ ପକ୍ଷ ଓ ଓକିଲ ମୁକ୍ତାରଙ୍କ ସାଙ୍ଗରେ ଲାଗିଲୁଁ । ତାଙ୍କ ଭିତରୁ କେହି କେହି ମଧ୍ୟ ଆମ କଥାରେ ଟଳିଲେ-କିନ୍ତୁ ଯେଉଁମାନେ ଟଳିଲେ, ସେମାନେ ହୁଏତ ଅତି ବୋକା, କିମ୍ବା ଅତି ଚାଲାଖ । ଏବେ ଅବଶ୍ୟ ସେ ସମସ୍ତେ ଅନୁତାପ କରି ଝକ୍‌ମାରି ଗୁହ ଖାଇଲେଣି । ଅଧିକାଂଶ ହସି ଉଡ଼ାଇଲେ । ପକ୍ଷମାନଙ୍କ ମଧ୍ୟରୁ ଅନେକଙ୍କ ଫେରାଇଲୁଁ–କିଏ ମାନିଲା, କିଏ ବା ଫାଙ୍କି ଦେଇଗଲା । ବେଶି ଚୋଟ ଜଣା ପଡ଼ିଥିଲା ଆମ ଖଜଣା ନାଲିସର ପକ୍ଷଙ୍କ ଉପରେ । ଯେଉଁମାନଙ୍କର ଜିଗର ମକଦ୍ଦମା ଥାଏ, ସେ’ତ ଫେରିବାର କଥା ନୁହେଁ । ତେବେ ଯେଉଁମାନଙ୍କୁ ଫେରାଇଥିଲୁଁ, ତାଙ୍କୁ କେତେ ଆଶା ଦେଇଥିଲୁଁ କି, ଆମେ ଯାଇ ଆପୋଷିରେ ମେଣ୍ଟାଇ ଦେବୁ । ଯାହା ମେଣ୍ଟାଇଲୁଁ, ତାହା ତ’ ଗଙ୍ଗାଙ୍କୁ ମାଲୁମ, ତହିଁ ଉପରେ ସେ ସବୁ ଲୋକଙ୍କଠଉଁ, ଯେତେ ବୋଲଣା, ଅପମାନିଆଁ କଥା ଶୁଣିଲୁଁଣି, ତାହା ଏ ଅସହଯୋଗିଆ ଛାତି, ଆଉ ମୋଟା ଚମବାଲା ପିଠି ବୋଲି ସହିଛି ସିନା ।

 

ଆମେ ଯେ, ଚେଷ୍ଟା କରି ନଥିଲୁଁ, ତାହା ନୁହେଁ-ତେବେ ଏଭଳି ଦେଶରେ ଆଉ ଏ ଓଡ଼ିଆ ଜାତି ଭଳି ଜାତିଠାରେ କିଛି ବଡ଼ କାମ କରି ହେବନାହିଁ । ଏହି ଦେଖିଲ, ଗାଁକୁ ଗାଁ ବୁଲି କେତେ କଂଗ୍ରେସ ମେମ୍ବର କରାଇଲୁଁ । ଚାରିଅଣା ପଇସା ଦେଲେ କେଡ଼େ ବଡ଼ ଆଧିଟାଏ ମିଳିଯିବ ଓ ସ୍ୱରାଜ ରାଜ୍ୟରେ କେଡ଼େ କାମଟାଏ ହେବବୋଲି କହି ଶହ ଶହ ରସିଦ୍‍ କାଟି ଦେଇ ପଇସା ଆଦାୟ କଲୁଁ, ସେମାନଙ୍କ ମଧ୍ୟରୁ ମୁଖିଆ ଲୋକ ବାଛି ବାଛି ପ୍ରତି ଗ୍ରାମରେ ପଞ୍ଚାୟତସଭାମାନ ଗଢ଼ି ଆସିଲୁଁ । ସେଥିରେ ଜଣେ ଲେଖାଏଁ ପ୍ରେସିଡେଣ୍ଟ୍‍ ଆଉ ଜଣେ ଲେଖାଏଁ ସେକ୍ରେଟେରୀ । ଆମେ ହୋଇଗଲୁ King makers, ଯେଣୁ ଗାନ୍ଧୀଙ୍କ ଲୋକ ଆମେ, ଆମରି ହାତରେ ସବୁ । ସରକାର ଆଉ କିଏ ? ଏହି ପଞ୍ଚାୟତ ହାତରେ କ୍ଷମତା ଦିଆଗଲା କି, ଏମାନେ ଗ୍ରାମର ଭଲ ମନ୍ଦ ବୁଝିବେ, ହାରି ଫେରାଦି ଭାଙ୍ଗିବେ, ସବୁ କଥା ନିଶାପ କରିବେ । ଦଣ୍ଡମୁଣ୍ଡର ମାଲିକ କରାଗଲା ଏହିମାନଙ୍କୁ, ଏହାଙ୍କ ଉପରେ କିନ୍ତୁ check କିଛି ରହିଲା ନାହିଁ । ଫଳରେ ଏମାନେ ହୋଇଗଲେ ସର୍ବେସର୍ବା ଅର୍ଥାତ୍‌ village autocrates ଏପରି ଅବସ୍ଥାର ପରିମାଣ ଯାହା ହେବାର ତାହା ହେଲା । ରାଜ୍ୟଯାକର କଳି ସୃଷ୍ଟି ହୋଇ ପଡ଼ିଲା, ବାଦ ବିବାଦର ସଂଖ୍ୟା ବଢ଼ିଲା, ରିସପତ୍‌ ବୁଣା ହୋଇଗଲା, ଏହିପରି ଯେ, କେତେ କ’ଣ ହେଲା, ତାହାର ଠିକଣା ରହିଲା ନାହିଁ । କେହି କାହାରିକୁ ମାନିଲେ ନାହିଁ-ଜମିଦାରକୁ ପ୍ରଜା ମାନିଲା ନାହିଁ, ବ୍ରାହ୍ମଣକୁ ପାଣ ମାନିଲା ନାହିଁ, ବଡ଼କୁ ସାନ ମାନିଲା ନାହିଁ, ଏପରିକି ବାପକୁ ପୁଅ ବି ମାନିଲା ନାହିଁ । ଶେଷରେ ଦୁଇଦିନ ନଯାଉଁଣୁ ସବୁ ଧୂଳିସାତ୍‌ ହୋଇଗଲା । ସରକାର ବଡ଼ ଚାଲାଖ୍‍ । ଏହାର ଫଳ ସେ ଆଗରୁ ବୁଝିପାରି ସେତେବେଳେ ଚୁପ୍‌ହୋଇ ଘାଲେଇ ପଡ଼ିଲେ । ଆମେ ଯେତେବେଳେ ଥେଇ ଥେଇକରି ନାଚୁଥିଲୁଁ, ସେ କଣେଇ କଣେଇ ଚାହିଁ ମୁରୁକିହସା ମାରୁଥାନ୍ତି । ଆମର ଏତେ ଯତ୍ନରେ, ଏତେ ପରିଶ୍ରମରେ ଗଢ଼ା ଏହି ପଞ୍ଚାୟତ–ପଞ୍ଜରର ଶେଷ ଦଶା ଦେଖି ମନରେ ବଡ଼ କଷ୍ଟ ହୁଏ ଏକା । ଏ ଗୁଡ଼ିକ ଅନ୍ତତଃ ପକ୍ଷରେ ଜୀଇ ରହିଥିଲେ ଆମ ନିଜର ଅବସ୍ଥା ଏଡ଼େ ଶୋଚନୀୟ ହୋଇ ନଥାନ୍ତା-। ଆମର ଦସ୍ତୁରିଟା ହେଉ ବା ନହେଉ ଅଭାବରେ ମୁଠାଏ ଖାଇବାର ସଂସ୍ଥାନଟା ତ ହେଲେ ରହିଥାନ୍ତା ! ଯାହାହେଉ ଏଥିରେ ଆମର ବା ହାତ କ’ଣ ? ଦେଶବାସୀଙ୍କର ନୈତିକ ବଳ ଯେତିକି, ଫଳରେ ବର୍ଷକ ସକାଶେ ସରକାରର କୋଟ୍‍ଫିସ୍‌ ଆୟଟା ଯେତିକି କମି ପଡ଼ିଥିଲା, ତହିଁ ଆରବର୍ଷକୁ ଚକ୍ରବୃଦ୍ଧି ସୁଧ ସହିତ ତାହା ଆଦାୟ ହୋଇଗଲା ।

 

ଗାନ୍ଧୀଙ୍କର କଡ଼ା କଡ଼ା ତାଗିଦ ଥିଲାକି, ସ୍ୱରାଜ୍ୟ ନହେଲା ଯାକେ ଜନନୀମାନେ ଗର୍ଭଧାରଣ କରିବେ ନାହିଁ, କି ଜନକମାନେ ସନ୍ତାନ ଉତ୍‌ପାଦନ କରି ଏହି ଗୋଲାମ ଦେଶର ଗୋଲାମ ସଂଖ୍ୟା ବୃଦ୍ଧି କରିବେ ନାହିଁ । ଯେଉଁ ତେଜ ବା ଶକ୍ତି ଏ ଦିଗରେ ଅପବ୍ୟୟ ହୁଅନ୍ତା, ତାହା ସବୁ ସ୍ୱରାଜ୍ୟ ସୃଷ୍ଟିରେ ନିୟୋଜିତ ହେବ । Genative ଆଉ Creative ପ୍ରକ୍ରିୟା ଏକାବେଳକେ ଥୁକୁଲ ! ଗାନ୍ଧୀଜୀଙ୍କର ହୁକୁମ ! ଆଉ କେହି ମାନନ୍ତୁ ବା ନ ମାନନ୍ତୁ ଅନ୍ତତଃ ଅକ୍ଷରେ ଅକ୍ଷରେ ଆମେ ଆଶ୍ରମବାସୀ କର୍ମଯୋଗୀ ବ୍ରହ୍ମଚାରୀତକ ମାନିବାକୁ ବାଧ୍ୟ । ଏଣେ କିନ୍ତୁ ସ୍ୱୟଂ ମହାତ୍ମା ବାରମ୍ବାର କହିଛନ୍ତି କି, ପ୍ରତ୍ୟେକ କାର୍ଯ୍ୟରେ ପ୍ରତ୍ୟେକ ନିଜ ନିଜର ବିଚାର ବୁଦ୍ଧି ବା Conscience ପ୍ରୟୋଗ କରିବେ । ସୁତରାଂ ଆମ୍ଭେମାନେ ଆପଣା ବିବେକ ଅନୁସାରେ ସମସ୍ୟାର ଏହିପରି ମୀମାଂସା କରିନେଲୁଁ ଯେ, ପ୍ରଜନନ ବନ୍ଦ ହେଲେ ଲୋକସଂଖ୍ୟା ବୃଦ୍ଧି ପାଇବ ନାହିଁ, ଅତଏବ ଏପରି ଦିନ ଦିନେ ଆସିବ, ଯେବେ ଜାତିଟା ଏକାବେଳକେ ଲୋପ ପାଇଯିବ । ଅତଏବ ଗାନ୍ଧୀ କେବେ ପୁରା ପ୍ରଜନନର (in toto ବିରୋଧୀ ନୁହନ୍ତି । (ସେତ ନିଜେ ଜଣେ ପ୍ରଜନକ ।) କେବଳ ସ୍ୱରାଜ୍ୟ ହେବାଯାକେ ପ୍ରଜନନ ରହିତ କରିବା (adjournment) ତାଙ୍କର ମତଲବ । ବେଶ୍‌, ଯେଉଁ ସ୍ଥାନରେ ‘ସ୍ୱରାଜ୍ୟ’ ହୋଇଗଲାଣି, ସେଠି ଆଉ ବନ୍ଦ ରଖିବା ଦରକାର କ’ଣ ?

 

ଏହାଛଡ଼ା ଆଉ କେତେଜଣ ଟୋକାଟାକରା ଆଉ କେତେ ପ୍ରକାର ଅର୍ଥ କଲେ । ଯାହା ହେଉ, ସେ ସବୁ ଯୁକ୍ତିର ମୌଳିକତାଟାକୁ (Originality) ପ୍ରଶଂସା ନକରି ରହି ପାରୁନାହିଁ । ମୁଁ ଏତିକି କହେଁ ଯେ, ଆମେ ଯେତେବେଳେ ‘ଅସହଯୋଗୀ’, ଆମକୁ ଅନେକ ବିଷୟରେ ସାତଖୁଣ୍‍ ମାଫ୍‌ ।

 

ଆମ୍ଭମାନଙ୍କର ଉଦ୍ୟମ ଉତ୍ସାହ ଦେଖି ଆଉ ଲୋକେ ସବୁ ଚପିଗଲେ । ଦେଶରେ ଯାହା ଯେଉଁଠି ହେଲା, ସବୁରି ଭିତରେ ଆମେ । କନିକାର ଯେଉଁ ଭୟାବହ କାଣ୍ଡକାରଖାନା ହୋଇଗଲା, ତାହା ମଧ୍ୟ ଆମରି କୀର୍ତ୍ତି । ଆମ ଦଳର କେତେଟା ଅକାଣ୍ଡିଆ ଲୋକଙ୍କ ବୁଦ୍ଧିରେ ପଡ଼ି ସେ ବିଚରାଗୁଡ଼ିକ ଯେତେ ହଇରାଣ ହରକତ ହୋଇଗଲେ, ତାହା ଭାବିଲେ ଦୁଃଖହୁଏ । ସେମାନେ ମନେକରିଥିଲେ, ସମସ୍ତେ ଜଣେଜଣେ ଗାନ୍ଧୀ ହୋଇଯିବେ । କିନ୍ତୁ ଫଳରେ ହୋଇଗଲା ଓଲଟା । କନିକାର ଭିତିରିଆ କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି–ଆଉ ବଖାଣିବାର ପ୍ରୟୋଜନ ନାହିଁ । ଦିନେହେଲେ ସବୁ ପାଶୋରି ଯିବେ, କିନ୍ତୁ ଯେଉଁମାନଙ୍କ ପିଠିରେ ବା ମନରେ ଦାଗ ରହିଗଲା, ସେମାନେ କିପରି ଭୁଲିବେ ? ଯାହା ହେଉ ଆମ ମନରେ ଶାନ୍ତି ଏତିକି ଯେ, ଆମେ ପାଇଛୁଁ ଯେତେ, ଦେଇଛୁଁ ତା’ର ତିନିଗୁଣ । ଯେଉଁ ଅକ୍ଷୟ ବୀଜ ପୋତି ଆସିଛୁଁ, ଯେତେ ଗଜା ଭାଙ୍ଗିଲେ ମଧ୍ୟ ପୁଣି ଭୂଇଁ ଫୋଡ଼ି ଥରକୁଥର ବାହାରୁ ଥିବ ଓ ରାଜା ପ୍ରଜା ଉଭୟଙ୍କୁ ଅନନ୍ତ ଅଶାନ୍ତିରେ ଟଣାଓଟରା କରୁଥିବ ।

 

ଏ ମାସ ସେ ମାସବୋଲି ଏହା ଭିତରେ ସ୍ୱରାଜ ହେବାର ଅନେକ ତାରିଖ ହୋଇଗଲାଣି । ଚାହିଁ ଚାହିଁ ଆଖିପାଣି ଆଖିରେ ମଲା, ଯାହାହେଉ ଦିନେ ଶେଷ ମିଆଦ ତାରିଖଟା ଆସିଲା । ଦିନ ଯେତେ ନିକଟ ହେଉଥାଏ, ମନ ସେତେ ଚଞ୍ଚଳ ହେଉଥାଏ–ଛାତିଟା ଦାଉଁଦାଉଁ ପଡ଼ୁଥାଏ । ସତେକି ଆମର କ’ଣ ଗୋଟାଏ କିଏସେ କୁଆଡ଼ୁ ଆସି ପହଞ୍ଚିବ । ପିଲାଏ ଫୁସୁରୁ ଫାସର ହେଉଥାନ୍ତି କି, ‘‘ସ୍ୱରାଜର ଜଣେଜଣେ ଚେଲା ଆସିଲାବେଳକୁ ତ ଏତେ ଢୋଲ ଟମକ ବାଜେ, ଏଥର ସ୍ୱୟଂ ଗୁରୁ ମହାରାଜ ‘ସ୍ୱରାଜ’ ଯେତେବେଳେ ଆସୁଛନ୍ତି କେଜାଣି କେତେ କ’ଣ ହେବ !’’ ଏହି ଦିନ ସକାଶେ ପିଲାମାନେ ସୋଡ଼ାରେ ସିଝାଇ ଖଦଡ଼ ଲୁଗା ସବୁ ସଫା କରିବାକୁ ଲାଗିଲେ । ଦିନ ରାତି କେବଳ ସେମାନଙ୍କର ଏହି ସ୍ୱରାଜ କଥା । ‘‘ନିଜେ ସ୍ୱରାଜ ଯେତେବେଳେ ଆସିବେ, ସେ କ’ଣ ଆଉ ପୟଦଲରେ ଚାଲି ଆସିବେ ? ସମସ୍ତେ ତ ରେଳରେ ବା ମଟରରେ ଆସନ୍ତି; ଏ ଆସିବେ ବ୍ୟୋମଯାନରେ । ଆମେ ତାଙ୍କୁ କାନ୍ଧରେ ବସାଇ ଆଶ୍ରମକୁ ଘେନି ଆସିବା ।’’ କିଏ କହିଲା,‘‘ନାହିଁ, ନାହିଁ । ସେ ଗୁପ୍ତଭାବରେ ଆସିବେ; ଏକାବେଳକେ ସହସ୍ର ରୂପଧରି ଆଶ୍ରମରେ ପହଞ୍ଚିଯିବେ ।’’ କିଏ ଅତି ବୁଦ୍ଧିଆ ହୋଇ କହିଲା ଯେ, ‘‘ସେ ଆସିବେ ରେଜେଷ୍ଟରି ପାର୍ଶଲରେ ।’’ ପିଲାଙ୍କ କଥାଶୁଣି ହସ ମାଡ଼ୁଥାଏ । କିନ୍ତୁ ସେମାନଙ୍କ ଆଗ୍ରହଦେଖି ଖୁସି ମଧ୍ୟ ଲାଗୁଥାଏ । ମୁଁ ଠିକ୍‌ ବୁଝୁଥାଏ କି, ସ୍ୱରାଜ ଆସିବ; ଅର୍ଥାତ୍‌ ସକାଳୁଁ ଉଠିଲାବେଳକୁ ବ୍ରିଟିଶ୍‌ ସରକାର ସଦଳବଳେ ଗଣ୍ଠିରାବାନ୍ଧି ଖସିବ, ଆଉ ଆମେଯାଇ ଗାଦି ମାଡ଼ିବସିବା । ଏଇଟାତ ହେବାର କଥା ହେବ, ଏଥିପାଇଁ ବା ଚିନ୍ତା କ’ଣ ? ଏକା ମନଟା ବେଶି ମୋର କାଲୁବାଲୁ ହେବାରେ ଲାଗିଥାଏ କି ‘ମୁଁ ସେତେବେଳେ କ’ଣ କରିବି ! କେତେ କ’ଣ ଭାବିଯାଏଁ, ଆକାଶ ପାତାଳ ଭାବିଭାବି ମୁଣ୍ଡ ଗୋଳେଇ ହୋଇଯାଏଁ; ଶେଷକୁ ଥିର ହୋଇ ଶୋଇପଡ଼େଁ । ଶୋଇଲେ କ’ଣ ନିସ୍ତାର ଅଛି ! ସ୍ୱପ୍ନରେ ସେହିକଥା । କେତେବେଳେ ଦେଖେଁ; ମୁଁ ସିଂହାସନରେ ବସି ରାଜା ହୋଇଛି, କେତେବେଳେ ଦେଖେଁ ଯେଉଁମାନଙ୍କ ଉପରେ ରାଗଥିଲା, ତାଙ୍କୁ ଧରି ଗୋଟିଗୋଟିକରି ଫାଶୀ ଦେଉଛି; କେତେବେଳେ ପ୍ରମୋଦ ଉଦ୍ୟାନରେ ଅପ୍‌ସରାମାନଙ୍କୁ ନେଇ ବିହାର କରୁଛି, କେତେବେଳେ ବ୍ୟୋମଯାନରେ ଚଢ଼ି ବୁଲୁଛି; ଆଉ ଥରେଥରେ ଦେଖେଁ କି, ଭଲଣ୍ଟିଅର୍‍ ସୈନ୍ୟମାନଙ୍କୁ ଘେନି ଯୁଦ୍ଧ କ୍ଷେତ୍ରରେ ଇଂରେଜଙ୍କ ସାଙ୍ଗରେ ଭୟାନକ ଲଢ଼ାଇ ଲାଗିଛି, ରକ୍ତର ନଦୀ ବହିଯାଉଛି, ହାଣ ଖାଉଛୁଁ ଆମ ପକ୍ଷ; କାରଣ ଆମେ ମାଡ଼ ଖାଇବୁଁ, ମାଡ଼ ମାରିବୁଁ ନାହିଁ, ଯେ, ହେତୁ ଆମେ Passive resisters, ଅହିଂସାବାଦୀ ଶତ୍ରୁଆଡ଼କୁ ପିଠି ଦେଖାଇ ଯୁଦ୍ଧ କରୁଛୁଁ, ମୁହଁରେ କହୁଛୁଁ–କେତେ ମାରିବ ମାର, କେତେ ହାଣିବ ହାଣ, ଯେତେ ଅତ୍ୟାଚାର କରିବ ତୁମେ, ସେତେ ସହ୍ୟ କରିବୁଁ ଆମେ, କିନ୍ତୁ ଘୁଞ୍ଚିବୁଁ ନାହିଁ ପହଣ୍ଡେ, ଏଇଥିରେ ଦେଖାଇବୁଁ ଆମର ବୀରତ୍ୱ, ସହିଷ୍ଣୁତା–ସହି ସହି, ଖାଇ ଖାଇ, ଆମେ ହୋଇଯିବୁ ବଡ଼, ଆଉ ମାରିମାରି, ପିଟିପିଟି ତୁମେ ହୋଇଯିବ ସାନ, ଦୁର୍ବଳ, ହୀନ । ସେତେବେଳେ ତୁମେ ଯିବ ହଟି, ଆମେ ଯିବୁ ଜିତି । ଏହିପରି ସ୍ୱପ୍ନ ଦେଖୁଁଦେଖୁଁ ଗୋଟାଏ କମାଣ ଫୁଟିଲା–‘ଢୋ’–ଆଉ ମୁଁ ‘ବାପାଲୋ’ ବୋଲି ବିଛଣାରୁ ଡେଇଁ ଚାରିହାତ ଦୂରରେ । ଧନ୍ୟରେ କଳ୍ପନା ! ଆମ ଦେଶୀ କବିମାନେ କଳ୍ପନାଟାକୁ ତୁଳନା କରିଛନ୍ତି ‘ସ୍ରୋତ’ ସାଙ୍ଗରେ; କିନ୍ତୁ କଳ୍ପନାଟା ଯେପରି ଉପରକୁ ଉଠିପାରେ, ତଳକୁ ଖସିପାରେ, ସ୍ରୋତଟାତ ତାହା ପାରେନାହିଁ । ଇଂରାଜମାନେ ଯେ କଳ୍ପନାକୁ ଉଡ଼ପବନ ଘୋଡ଼ାସାଙ୍ଗରେ ତୁଳନା କରିଛନ୍ତି, ସେହି ଉପମାଟା ଠିକ୍‌ !

 

କେତେ ମନେ କରିଥିଲି, ଆଗରୁ ଖୁବ୍‌ ଜାଗତି ଥିବି, କିନ୍ତୁ କ’ଣ କହିବି ଅସଲ ତାରିଖ ବା ଦିନ ଏପରି ଗୋଟିଏ ଆଶଙ୍କା, ଏପରି ଗୋଟିଏ ଉଦ୍‌ବେଗ ଆସିଲା nervousnessରେ ଦେହଟା ଇମିତି ଝିମି ଝିମି, ମନଟା ଇମିତି ଛନଛନ ହେଲା ଯେ, ମୁଁ ଆଉ ବିଛଣା ଛାଡ଼ି ଉଠି ପାରିଲିନାହିଁ । ଖାଲି କାନ ଯୋଡ଼ାକ ଡେରି ରହିଥାଏଁ–କେତେବେଳେ କି ଖବର ଆସୁଛି ।

 

ହାୟ, ହାୟ, କିଛିତ କୁଆଡ଼େ ହେଲାନାହିଁ ! ଦିନ ୧୦ଟା ସରିକି ସେକ୍ରେଟାରୀ ଆସି ଡାକଦେଲେ–‘‘ଆଜି ନିଦ ଭାଙ୍ଗିବ ନାହିଁକି ?’’ ଏ ହତାଶ୍ୱାସ ନୈରାଶ୍ୟ ଭିତରେ ବି ଗୋଟାଏ ପ୍ରକାର ସ୍ୱସ୍ତି ଥିଲା । ଶୁଣାଗଲା, ତାରିଖଟାରେ ପୁଣି ସାନି ମହଲତ ପଡ଼ିଛି । ‘‘ଯେତିକି ପାଣିକି ପଶିଲାବେଳକୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥାଏ ।’’

 

ଫଳରେ ଦେଖାଗଲା ଲୋକଙ୍କର ଆସ୍ଥା, ବିଶ୍ୱାସ ଏହାପରେ ଟିକିଏ କାହିଁକି ଆଚ୍ଛା କରି କମିଗଲା । ଆମ କାମ ସବୁ ପୁରୁଣା ହୋଇ ମାନ୍ଦା ପଡ଼ିଗଲା । ଏଣିକି ନୂଆ କିଛି କରିବାକୁ ହେବ, ନୋହିଲେ ଟେକ ରହିବ ନାହିଁ । ସେହିଠୁଁ ଗୋଟାଏ ଉପାୟ ବାହାରିଲା ‘ଜେଲ୍‍ଖାନା’ । ମହାତ୍ମା କହିଛନ୍ତି ଜେଲ୍‍ଖାନାଟା ପବିତ୍ର ସ୍ଥାନ । ଲକ୍ଷ ଲକ୍ଷ ଦେଶବାସୀ ଜେଲ୍‍ଖାନା ଗଲେ ସ୍ୱରାଜ ମିଳିବ । ଚୋରି, ଜୁଆଚୋରି, ଜାଲ, ଗୁଣ୍ଡାଗିରି ଯାହା ଇଚ୍ଛା ତାହାକର ପଛକେ, ସ୍ୱଦେଶ ନାମରେ ଜେଲଯାଅ । ଚାରିଆଡ଼େ ମହା ଗଣ୍ଡଗୋଳ ଲାଗିଗଲା–ଜେଲ୍‍, ଜେଲ୍‍, ଜେଲ୍‍, ଯେ ଥରେ ଜେଲ ଯାଇପାରିଲା ସେ ଏକା ଦିନକେ ହୋଇଗଲା ଗୋଟାଏ ବଡ଼ ମଣିଷ । ନେତାମାନେ ନାନା ଚେଷ୍ଟା ଯତ୍ନକରି ଜେଲ୍‍ ଯିବାର ଆୟୋଜନ କଲେ । ଗଲାକ୍ଷଣି ନା’ ବାଜିଗଲା । ମୁଁ ଏହା ଦେଖି ଯେତେ ଉପାୟ କଲି ମୋ ଭାଗ୍ୟରେ ଏ ସୌଭାଗ୍ୟ ଏକା ଘଟିଲା ନାହିଁ । ଦେଖିଲି ମୋର ଭବିଷ୍ୟତଟା ବଡ଼ ଅନ୍ଧକାର । ଜେଲ୍‍ ନଗଲେ Prospects କିଛି ନାହିଁ । କେତେ ଚୂନା ଚୋପରା, ଯାହାଙ୍କର କେବେ ନାଁ’ଗନ୍ଧ ନଥିଲା, ସେ ଗୋଟାଏ ଗୋଟାଏ martyr, ଆଉ ମୁଁ ଏତେ କରି... ! ଶୋକରେ, ନୈରାଶ୍ୟରେ, ରାଗରେ ମୋର ଆତ୍ମହତ୍ୟା କରିବାର ଇଚ୍ଛା ହେଲା ।

 

ଆଶ୍ରମରୁ ଏକାକୀ ବାହାରି ବଜାରଆଡ଼କୁ ଚାଲିଗଲି । କେତେବେଳେ କେଉଁଠି କ’ଣ କଲି, କ’ଣ ଖାଇଲି, ତାହା ଠାକୁରଙ୍କୁ ମାଲୁମ୍‍; କିନ୍ତୁ ସକାଳୁ ଚେତା ହେଲାବେଳକୁ, ମୁଁ ଯାଇ ଥାନା ଗାରଦରେ । ଯଥାସମୟରେ କଚେରୀରେ ହାଜର କରାଗଲା । ମୋ ଉପରେ charge ଯେ, ମୁଁ ଆରଦିନ ରାତିରେ ମତୁଆଲା ହୋଇ ରାସ୍ତାରେ–ଇତ୍ୟାଦି । ଛି, ଛି, ପୁଲିସ କରି ନପାରେ କ’ଣ ? ମୋପରି ଲୋକ ନାଁ’ରେ–ହଉ, ସବୁ କର୍ମ କଥା ! ହାକିମ ପଚାରିଲେ, ‘‘ତୁମେ ଦୋଷୀ କି ନିର୍ଦୋଷୀ ?’’ ମୁଁ ଉତ୍ତର ଦେଲି, ‘‘ନିର୍ଦୋଷ’’ (not guilty) । ହାକିମ କହିଲେ–‘‘ପ୍ରମାଣ ଦିଅ ।’’ ମୁଁ ନିର୍ବାକ । ପୁଲିସ୍‌କେସ୍‌ରେ ପଡ଼ି ଜବାବଦେବା, ସଫେଇ ଦେବା ବା ଲଢ଼ିବା ଆମର ଧର୍ମ ନୁହେଁ, କାରଣ ଆମେ ସତ୍ୟାଗ୍ରାହୀ (non-co-operator) ନିର୍ଯ୍ୟାତନା ଦଣ୍ଡ ସହିବା ଆମର ନୀତି । ଏହି ହେଲା ଆମର Path of victory-ଜୟମାର୍ଗ । ହାକିମଙ୍କର ହୁକୁମ ହେଲା–‘ଜେଲ ଛ’ ମାସ ।’’ ବାସ୍‌, ଆଉ କଥାନାହିଁ; ଏକଦମ୍‌ କାମ ଫତେ । ମୋର arrest ହେବା ଖବରଟା ସେତେବେଳକୁ ଚାରିଆଡ଼େ ବାଜି ଗଲାଣି । ‘‘ଜୟ ଗାନ୍ଧୀ ମହାରାଜ୍‍କି ଜୟ’’ କହି ଯେତେବେଳେ ମୁଁ ପବିତ୍ର ସ୍ଥାନକୁ ଚାଲିଲି, ମୋ ପଛେପଛେ ଶହଶହ ଲୋକ ଜୟଧ୍ୱନି କଲେ । ବିନା ଚେଷ୍ଟାରେ ମୋର କାମ ହାସଲ ହୋଇଗଲା । ଖବର କାଗଜମାନଙ୍କରେ ବାହାରି ଗଲାକି, ‘‘ଅମୁକ ଜଣେ ମାତବର ଦେଶ ନେତାଙ୍କୁ ପୁଲିସ କୌଣସି ଉପାୟରେ ପକାଇ ନପାରି ଶେଷରେ ଅତି ଜଘନ୍ୟ ଦୋଷାରୋପକରି ଚଲାଣ ଦେଇଥିଲେ, କିନ୍ତୁ ତାଙ୍କର ନୈତିକ ସାହସ (moral courage) ଏଡ଼େ ଟାଣୁଆ ଯେ, ସେ ସେଥିରେ ସୁଦ୍ଧା ସ୍ୱଧର୍ମ ତ୍ୟାଗକରି ପକ୍ଷ ସମର୍ଥନ କଲେନାହିଁ, କିମ୍ବା ପୁଲିସର ପ୍ରଲୋଭନରେ ନଭୁଲି ନିର୍ଭୟରେ, ଅକାତରରେ, ସସ୍ମିତ ବଦନରେ ଜେଲ୍‍ ଦଣ୍ଡ ବରଣ କରିନେଲେ । ଇତ୍ୟାଦି ।’’

 

‘ଜେଲ୍‍ କାହାଣୀଗୁଡ଼ାକ’ କାହିଁକି ତୁଛାଟାରେ ବକିବି ? ଅନେକ ଅନେକ ରକମ ତ ଲେଖି ସାରିଲେଣି । ମୁଁ ଅଧିକା ଆଉ କ’ଣ କହିବି ? ଛଅଟିମାସ କୌଣସିମତେ ଆହାର ନିଦ୍ରା ଇତ୍ୟାଦି ଇତ୍ୟାଦିରେ କଟାଇଦେଇ ଖଲାସ ହେଲି । ସେ ଦିନ ମଟର ଛିଡ଼ା ହୋଇଥିଲା ମୋହରିପାଇଁ । ପଡ଼ିଆରେ ଗୋଟାଏ ସମ୍ବର୍ଦ୍ଧନା ସଭାହେଲା । ବକ୍ତୃତା, ଫୁଲମାଳ, ହସନ, କ୍ରନ୍ଦନ, ଆଲିଙ୍ଗନ ଆଦି ଯାହା ହୁଏ, ତାହା ସମସ୍ତ ମାମୁଲି ମୁତାବକ ହୋଇଗଲା । ସଭା ଶେଷରେ ନନା କାହୁଁ ଆସି ଅନେକ ପ୍ରକାର ବୁଝାଇଲେ । କହିଲେ, ‘‘ଯାହା ହେବାର ହେଲାଣି, ଏବେ ଘରପୁଅ ଘରକୁ ଫେରିଚାଲ ।’’ ହେଲାଣି କ’ଣ ! ହେବାର ଯେ ଆହୁରି ଅନେକ ବାକି । ମଙ୍ଗଳ କାର୍ଯ୍ୟରେ ଅନେକ ବାଧା ପଡ଼େ, ମୁଁ ଆଗରୁ ଜାଣିଥିଲି । ମୋର ଶୁଭ ଗ୍ରହ ପଡ଼ି ଆସିଲା ବେଳକୁ ମୁଁ ସୁବିଧା ଛାଡ଼ିଦେବି କିପରି ? ଯାହାପାଇଁ ଏତେସରି ହେଲଣି, ଆଜି ଏତେବେଳେ ତାକୁ ଛାଡ଼ିକରି ଯିବାକୁ ମନ ବଳିଲା ନାହିଁ । ମୁଁ କ’ଣ ଏଡ଼େ ବେକୁବ ଯେ, ବାରବରଷର ତପ ଏକା ଦିନକର ଶୁଖୁଆ ପୋଡ଼ାରେ ସାରିବି ? ସେଦିନ ଆଶା ଓ ଉତ୍‌ଫୁଲ୍ଲତାରେ ହୃଦୟ ଏତେ ଭରପୂର ଯେ, ନନାଙ୍କ କଥାରେ ଖାଲି ହସ ମାଡ଼ିଲା । ରକମ ଦେଖି ନନା ମଧ୍ୟ ଆପଣା ମହତ ସମ୍ଭାଳି ଖସିଲେ । ମୁଁ ମୋର ଇହକାଳର ଦେବତା ପୀଠ ଓ ପରକାଳର ସମାଧି କ୍ଷେତ୍ର । ବର୍ତ୍ତମାନର ବୈତରଣୀ ଓ ଭବିଷ୍ୟତର କଳ୍ପବଟ ସେହି ଆଶ୍ରମ ଅଭିମୁଖରେ ଧୀରେଧୀରେ ଗମନ କଲି ।

 

ହାୟ, ହାୟ, ଏହି କେତେଟା ଦିନରେ ଆଶ୍ରମଟା କ’ଣ ହୋଇଗଲାଣି ! ମୁଁ ଛାଡ଼ିଗଲା ଦିନୁଁ, ବ୍ରଜଶିରୀ କିଏ ଚୋରି କରିନେଲା ! ଦେଖିଲି, ମୋହରିପରି ଗୋଟାକେତେ ଜୀବନ ଝଗଡ଼ିଆ ପଡ଼ି ରହିଛନ୍ତି । କାମଦାମ କିଛି ନାହିଁ । ଅରଟରେ ବୁଢ଼ିଆଣୀ ବସା ଲାଗିଲାଣି । ନୁଖୁରା ପଞ୍ଚୁବର୍ଣ୍ଣି ଚାଉଳ ମୁଠାଏ ମୁଠାଏ ମାଗି ପେଟବିକଳା ହୋଇ ରହିଛନ୍ତି ମାତ୍ର । ବଡ଼ ଦୁଃଖ ହେଲା–ଭାବିଲି, ଏଠାକାର atmosphere ଆଉ tone ବଦଳାଇବାକୁ ହେବ । ନୂଆ spirit ଆଣି ନଦେଲେ ସବୁ ସରିଲା ଆସି !

 

ଏହା ଭାବି କାମରେ ଲାଗିବାକୁ ବସିଲି । କିନ୍ତୁ କରେ କ’ଣ ? କେଉଁ ଦିଗରେ କିଛି ଆକାର ନାହିଁ । ଏହାରି ଭିତରେ ସବୁ ମାଟି ହୋଇ ସାରିଲାଣି । ଏତେ ପରିଶ୍ରମରେ ତିଆରି କ୍ଷେତ ବାଳୁଙ୍ଗାରେ ପୂରିଗଲାଣି । ନା ଅଛନ୍ତି ସେ ରାମ, ନା ଅଛି ସେ ଅଯୋଧ୍ୟା । ଲୋକେ ତ’ ଆଦୌ ପଚାରିବାକୁ ନାହାନ୍ତି । ଖଦଡ଼ିଆ ଦେଖିଲେ କିଏ ଟାପରା କରୁଛି, କିଏ ଟାହୁଲି ମାରୁଛି, କିଏ ବା ଅପସରି ଯାଉଛି । ପଦେ କଥା କହିବାକୁ ସାହସ ହେଲାନାହିଁ । ପିକେଟିଂ କରିବା ଦୂରେଥାଉ, ଚାନ୍ଦା ଆଦାୟ କରିବା ଚୁଲିକି ଯାଉ, ମୁଠାଏ ଭିକ ମିଳିବା ବି ବିବର୍ଜିତ । ଏଣେ ସଭା କରିବାପାଇଁ ନୋଟିସ୍‍ ଦେଲେ ଲୋକେ ଆସନ୍ତି ନାହିଁ, ତେଣେ ବଜାର ଛକରେ ବକ୍ତୃତା ଦେଲେ ପୁଲିସ ତଡ଼ନ୍ତି । ହାୟ, ହାୟ, କି ହଟହଟାରେ ପଡ଼ିଲି । ନନାଙ୍କ କଥାମାନି ଘରକୁ ଫେରି ଯାଇଥିଲେ କେଡ଼େ ସୁଖରେ ଥା’ନ୍ତି । କର୍ମ ଅବଳକୁ ବା ବଳ କାହାର ? ଥରେ ମନହେଲା, ଯାଉଛି ନନାଙ୍କ ଠେଇଁକି ବାତିନ ଦେବିକି, ‘‘ଆମ ବଇଷିମ ହେବା ନୋହିଲା; ଧାନ ମୁଠି ମୁଠି ଖୁଦ ଗୋଟି ଗୋଟି ବାଛୁଁ ବାଛୁଁ ଦିନ ସଇଲା ।’’ ପୁଣି ଭାବିଲି, କେଉଁ ଝିଟ ମୁହଁରେ-! କରମରେ ଯାହା ଥାଉ ଏଇଠି ପଡ଼ି ରହିଥାଏଁ । ‘ପୁରୁଷ କରମ ଗତର ତଳେ ।’ ‘ଦିନ ଲେଉଟିଲେ ତ ଯୁଗ ଲେଉଟୁଛି ।’ କଥାରେ ଅଛି–‘ମହୀ କ୍ଷଣ-କ୍ଷଣକେ ଆନ ।’ ମାଟି କାମୁଡ଼ି ପଡ଼ି ରହିଥିଲେ କେଜାଣି ବା କରମ ଲେଉଟି ଯାଇପାରେ । ଝକ୍‌ମାରିଲି–ଏ କୁ’ବୁଦ୍ଧି ମୋର କାହୁଁ ଆସିଲା । ଗାନ୍ଧୀପୁଅ କି ମତଲବରେ ମୋ ଭଳିଆ ସରଳ ମତି ଭଲଲୋକ ପିଲାଙ୍କୁ ଏ ଫାନ୍ଦରେ ପକାଇ ଦେଲେ, ତାହା କିଏ କହିବ । ଆଗ ଗଛ ଉପରକୁ ଚଢ଼ାଇ ଦେଇ ପଛକୁ ନିଶୁଣିଟା କାଢ଼ିନେଲେ ସିନା । ଆମ ଅବସ୍ଥା ଚୋର ଚଣ୍ଡାଳଠଉଁ ବଳିଲା । କହିସାରିଛି ଯେ, ଲୋକେ ଚାନ୍ଦାଦେବା ବନ୍ଦ କରିଥିଲେ; ଏପରିକି, କଂଗ୍ରେସ ସଭ୍ୟ ହେବାପାଇଁ ଯେଉଁ ପଇସା ଚାରିଅଣା, ସେତକ ସୁଦ୍ଧା ଦେବାକୁ ମଙ୍ଗିଲେ ନାହିଁ । ଆମକୁ ଏକା ପୋଷିବା ପାଇଁ ଗାନ୍ଧୀ ମହାରାଜ ଯେଉଁ କୋଟିଏ ଟଙ୍କା ଉଠାଇଥିଲେ, ତାହାତ କଡ଼ାକେ ଗଣ୍ଡାକେ ରୋକ୍‍ଠୋକ୍‍ ! ଖଦଡ଼ ବିଭାଗବୋଲି ସ୍ଥାନେସ୍ଥାନେ ଖଣ୍ଡିଏ ଖଣ୍ଡିଏ ଯେଉଁ ଦୋକାନ ଥିଲା, ସେଥିରେ ସୂତା, କନା ସହିତେ ନଦାରଦ । କିଏ ଜାଣିଥିଲା, ସ୍ୱରାଜ ହେଉଁ ହେଉଁ ପୁଣି ଏ ଅବସ୍ଥା ହେବ ! ଆଉ ଉପାୟ କିଛି ନାହିଁ–ପେଟଜ୍ୱାଳାରେ ଚତୁର୍ଦିଗ ଅନ୍ଧାର ଦିଶିଲା ।

 

ପିଲାକାଳରେ ବଗୁଲିଆପଣ କରି ଗୋଟାଏ ଯେଉଁ ଇଲମ ହାସଲ ହୋଇଥିଲା, ତାହା ଏତେବେଳେ କାମରେ ଲାଗିଲା । ସେଇଟା ଗୀତଗାଇ ଜାଣିବା । ଭାବିଲି, ଏ ଶିକ୍ଷାଟା ବୃଥା ଯିବ କାହିଁକି ? ଏହା ଭାବି ଗୋଟାଏ ସଂକୀର୍ତ୍ତନ ଆଖଡ଼ା ଆରମ୍ଭ କଲୁଁ । ଆଉ କିଛି ବାଜେ ଗୀତ ଗାଇବା ଆମ ଧର୍ମରେ ମନା, ସୁତରାଂ କେବଳ ଜାତୀୟ ସଙ୍ଗୀତ ଶିଖାହେଲା । କିଛି କିଛି ବାହାରର ଗୀତ ମିଶିଲା ସତ, ମାତ୍ର ଆମର ଖାସ୍‍ ଗୀତ ହେଲା ପ୍ରଧାନ । ଏଠାରେ ଏତିକି କହିଥାଏ ଯେ, ମୁଁ ସାନ ବଡ଼କରି ଜଣେ–କବି । ଲୋକେ କହନ୍ତୁ ବା ନ କହନ୍ତୁ, ମୋ ମନେ ମନେ ମୁଁ କିଛି ଊଣା କବିଟାଏ ନୁହେଁ । ଆପଣା ନାଁ’ରେ ଡେଙ୍ଗୁରା ଦେବା ଭଲନୁହେଁ, ଗୁଣଥିଲେ ଦିନେହେଲେ ଆପେ ଫୁଟି ବାହାରିବ । ମୋ ଗୀତର ଗୋଟାଏ ଯୋଡ଼ାଏ ନମୁନା ଏଠାରେ ଦିଏଁ-:–

 

(୧)

ଆସିଛିରେ ଗାନ୍ଧୀ ଅବତାର ।

 

ପତିତ ତାରଣ; ଜଗତ କାରଣ, ଅରଟ ଧାରଣ, ଦାରିଦ୍ର୍ୟ ବାରଣ ଦୟାର ଆଧାର ।

 

 

(୨)

ଭାରତ ଜନନୀ, ଆଜି କଳଙ୍କିନୀ–ଦେଖରେ ଜଗତବାସୀ । x x

 

 

(୩)

ଉଠ ଉଠ ଜାଗ ଜାଗ ମଠ ମଠ ଲାଗ ଲାଗ

 

ଆଗ ଆଗ ବାନ୍ଧ ପାଗ, ଦେଇ ଦାଗ, ମାଗ ମାଗ,

 

ନ ଭାଗ ଆଉ ଏଣିକି । x x

 

ଏହିପରି ସରସ, ସାର୍ଥକ, ଶବ୍ଦଚାତୁରୀ ପୂର୍ଣ୍ଣ କେତେ ଅଛି । ଏହା ସବୁ ଜାତୀୟ ସାହିତ୍ୟର ଅଳଙ୍କାର ସ୍ୱରୂପ ଓ ଏପରି ଦିନ ଦିନେ ଆସିବ, ଯେବେ ଇତିହାସରେ ଏ ସବୁ ସ୍ଥାନ ପାଇବ । ଏହି ଗୀତମାନ ଗାଇ, ମୃଦଙ୍ଗ, ଝାଞ୍ଜ ବଜାଇ ବାହାରିଲୁଁ ସ୍ୱରାଜ ଭିକ୍ଷାରେ । ସହରରେ କିଛି ସୁବିଧା ନହେବାର ଦେଖିପାରି ମଫସଲ ଆଡ଼କୁ ଆଖି ଫେରାଇଲୁଁ । ବାସ୍ତବିକ୍‍ ମଫସଲରେ ପ୍ରସାର ବେଶ୍‌ ଖୋଲିଲା । ଅନ୍ତତଃ ଗ୍ରାସାଚ୍ଛାଦନଟାରେ ସୁଦ୍ଧା ଆମେ ଆପଣାର ଧର୍ମ ଛାଡ଼ି ନାହୁଁ । ‘ଗୀତା’ରେ ଅଛି ପରା–‘‘ସ୍ୱଧର୍ମେ ନିଧନଂ ଶ୍ରେୟଃ ।’’ ଗାଁକୁ ଗାଁ ଏହିପରି ବାଉଳା ହୋଇ ବୁଲୁଥାଉଁ, ଆଉ ଆମର ମୁଖପତ୍ର ଖବର କାଗଜ ଖଣ୍ଡକ ବିକୁଥାଉଁ । ଏହିପରି ଦିନାକେତେ କଟିଗଲା ସତ, ମାତ୍ର ପଛକୁ ବଡ଼ ଚିଟା ଲାଗିଲା । ଦଳରୁ ଗୋଟିଏ ଗୋଟିଏ ଖସିବାକୁ ଲାଗିଲେ । କିଏ ଗୁମାସ୍ତା ଚାକିରୀ ଖଣ୍ଡିଏ ପାଇ ରହିଗଲା, କିଏ ଦୋକାନ କରିବାକୁ ବାହାରିଲା, କିଏ ପାଠ ପଢ଼ାଇଲା, କିଏ ବା କିଛି ନପାଇ ଓଡ଼ିଆଙ୍କ ଶେଷ ଭରସା କଲିକତା ସଫରରେ ଚାଲିଲା । ସୁବିଧା ବୁଝି ଯେ, ଯାହାର ବାଟ ଅନୁସରିଲେ; ମୁଁ ନିତାନ୍ତ ଏକୁଟିଆ ହୋଇ ପଡ଼ିଲି । ଆଉ ଆଉ ସ୍ଥାନର ଆମ ଜାତିଆଙ୍କ କଥା ଅଳ୍ପ ବହୁତ ଜଣାଥାଏ, ସୁତରାଂ ସେତିକି ମନ ବଳାଇଲି ନାହିଁ ।

 

ଅସହଯୋଗର ଝମଝମିଆ ଦିନରେ କେତେକ ସ୍ଥାନରେ ଆମର ଜାତୀୟ ବିଦ୍ୟାଳୟମାନ ଖୋଲା ହୋଇଥିଲା। ସେ ସବୁ ଏତେବେଳକୁ ଲୋପପାଇ ଗଲାଣି, କେବଳ ‘ପୁରୀର’ ସ୍କୁଲ ଜୀଇ ରହିଛି ବୋଲି ଖବର କାଗଜରୁ ଜାଣୁଥିଲି । ମୋହରିପରି କେହି ନିଲଠା ସେଠି ଥିବେ ଭାବି ଦିନେ ଚାଲିଲି । ଅବଶ୍ୟ ରେଲରେ ଯିବାକୁ ହୁଏ । ହାତରେ ଟିକଟର ପଇସା ନଥିଲା, କ’ଣ କରିବି ! ମୋ ଭେକଟା ଟିକିଏ ଆଖିଦୁରଶା କରି ବାଗେଇ ନେଲି; ଆଉ ଖଣ୍ଡିଏ ଛୋଟ ଟିଣ ବାକ୍ସ ହାତରେ ଧରି ଗୋଶାଳା ଚାନ୍ଦା ଆଦାୟ କରିବା ବାହାନାରେ ଗାଡ଼ିରେ ଉଠି ପଡ଼ିଲି । କେହି କିଛି କହିଲେ ତ ନାହିଁ, ଆହୁରି ଧରିବା ଲୋକ ଯେ, ତାହାରି ପାଖରେ ଆଗତୁରା ପହଞ୍ଚି ଯାଇ ବାକ୍ସ ଦେଖାଇ ଭିକ୍ଷା ମାଗି ଦିଏଁ । ଏପରି କାମରେ ଟିକିଏ smart ଆଉ forward ହେବା ଦରକାର । ଈଶ୍ୱରଙ୍କ ଇଚ୍ଛାରୁ ଏ ବିଦ୍ୟାରେ ମୋତେ ବଳି କେହି ନଥିଲା । ଏହିପରି କରି ସମସ୍ତ ଘାଟିମୁଣ୍ଡ ଯାକ ନିର୍ବିଘ୍ନରେ ପାରି ହୋଇଗଲି । ତହିଁ ଉପରେ ଆହୁରି ଫାଉ ମିଳିଗଲା ଦଶଅଣା ଯାକେ ପଇସା । ଏଇଟା ଗୋଶାଳା ପଇସା ବୋଲି ତୁଳସୀ ପତ୍ର ପକାଇ ରଖି ଦେଇଥାଏଁ । ପାନ ବିଡ଼ି ପର୍ଯ୍ୟନ୍ତ ହାତରୁ ତିନି ପଇସା ଖରଚ କରି ଖାଇଥିଲି । କେବଳ ଅତି ଶୋଷ ଲାଗିବାରୁ ଏବଂ ମୋ ନିଜ ତହବିଲ ନଅଣ୍ଟ ହେବାରୁ ଏଥିରୁ ଧାର ନେଇ ଗ୍ଳାସେ ବରଫ ଲିମିନେଡ଼ ଖାଇଥିଲି ମାତ୍ର । ସେ ସ୍ଥାନରେ ପହଞ୍ଚି ଦେଖେଁ ଯେ, ଦୂରରୁ ଯାହା ଶୁଣିଥିଲି ଓ ଖବରକାଗଜରେ ଯାହା ପଢ଼ିଥିଲି, ତାହା କଡ଼ାଏ ସୁଦ୍ଧା ନୁହେଁ । ସ୍କୁଲର ଭଗ୍ନାବଶେଷ ଘରଟି ମାତ୍ର ଥିଲା । ତହିଁରେ ମଶିଣା ଦୁଇଖଣ୍ଡ, କଳସି ଗୋଟାଏ, ଖଣ୍ଡିଏ କିରାସିନ ପଟାର ସେଲଫ୍‌ ଉପରେ ବହି କେତେଗୁଡ଼ିଏ, ଏତିକି ମାତ୍ର ଉପକରଣ । ମାଷ୍ଟର ଜଣେ – ଛାତ୍ର ନାସ୍ତି । ମାଷ୍ଟରଟି ମୋର ଜଣେ ପରିଚିତ ବ୍ୟକ୍ତି । ଆଦର ଅଭ୍ୟର୍ଥନା ଓ କିଞ୍ଚିତ ସୁଖ ଦୁଃଖ ଉତ୍ତାରୁ ମୁଁ ପଚାରିଲି, ‘‘ସବୁ ଜାତୀୟ ବିଦ୍ୟାଳୟଗୁଡ଼ାକ ଭାଙ୍ଗିଯାଇ କେବଳ ଏଇଟି ଜୀବିତ ଅଛି ବୋଲି ଲୋକେ ଜାଣନ୍ତି ଏକା-।’’ ବନ୍ଧୁବର ଉତ୍ତର ଦେଲେ କି, ‘‘ଲୋକେ ଜାଣିବାଟା ଆମ ହାତର କଥା; ଏଠିକି ଆସି କ’ଣ ହେଉଛି ନ ହେଉଛି, ତାହା ଆଖିରେ କିଏ ଦେଖେ ? ଯାହା ଜାଣିବେ ସମ୍ୱାଦପତ୍ରରୁ ସିନା ! ସବୁ କାଗଜରେ ଏଠା ଜାତୀୟ ବିଦ୍ୟାଳୟ କଥା ମୁଁ ପଦେ ପଦେ ଲେଖୁଥାଏଁ ବସି । ସେହି ହେତୁରୁ ଏଇଟି କେବଳ ‘ଜୀବିତ’ ଅଛି । ମୁଁ ତହୁଁ ପଚାରିଲି, ‘‘ଆଚ୍ଛା, ତୁମର ଖରଚପତ୍ର କିପରି ଚଳେ-?’’ ସେ କହିଲେ, ‘‘ଏହି ଗ୍ରାମରେ ମୋର ପିଉସା ଘର ।’’ ଦୁଇ ଓଳିର ଗ୍ରାସଟା ଉପୁରି ଚଳିଯାଏ-। ଆଉ ଖରଚ କ’ଣ ? ଏଠାରେ ଯେଉଁ ଖଦଡ଼ ଭଣ୍ଡାରଟି ଅଛି ବା ଥିଲା, ସେଥିରେ ଯେଉଁ ଲୁଗା ଦୁଇ ଚାରିଖଣ୍ଡ ଅବଶିଷ୍ଟ ଅଛି, ତଦ୍ଦ୍ୱାରା ଆଚ୍ଛାଦନଟା ଚଳେ । କେବଳ ଅଭାବ ପଡ଼େ ଜଳଖିଆଟା-। ଆଉ ଆଖପାଖିଆ ସାଙ୍ଗ ମୋହବତଙ୍କ ପାନ ବିଡ଼ି । ଏ ସବୁ ଚଳାଇ ଦିଏ ଏହି ଗ୍ରାମର ଜଣେ ଦୋକାନୀ । ଯେତେବେଳେ ଯାହା ଦରକାର ହୁଏ, ଏ ଜଣକ କାଳି ଯୋଗାଏ ।’’ ମୁଁ ପଚାରିଲି, ‘‘ଏ ପୁଣି ସୁଝଟ ହୁଏ କେଣୁ ଆୟରୁ ?’’ ବନ୍ଧୁ ପ୍ରବର ଠୋ’ ଠୋ’ କରି ହସିଉଠିଲେ । ମୋ ପିଠିରେ ଚାପୁଡ଼ାଏ ମାରିଦେଇ ପୁଣି କହିଲେ, ‘‘ପାଗଳ ! ପାଗଳ !! ତୁମକୁ ବି ସୁଦ୍ଧା ବୁଝାଇ କହିବାକୁ ହେବ ନା ଏ କଥାଟା ?’’ ମୁଁ ମଧ୍ୟ ହସି ଦେଇ କହିଲି, ‘‘ବୁଝୁଛି ଯେ କିଛି କିଛି ହେଲେ କାଇଦାଟା ଠିକ୍‌ଧରି ପାରୁନାହିଁ । ବନ୍ଧୁବର ସେହିଠୁଁ ଗମ୍ଭୀର ହୋଇ ବୁଝାଇ ଦେଲେ ଗୋଟି ଗୋଟି କରି–କି ହେତୁରୁ ସେ ମଲା ଇସ୍କୁଲଟାକୁ ଜିଆଇଁ ରଖିଛନ୍ତି, କି ଉଦ୍ଦେଶ୍ୟରେ ନିୟମିତରୂପେ ଖବରକାଗଜରେ ଲେଖନ୍ତି, କି ପ୍ରକାରେ କେହି କେହି ଦେଶ ହିତୈଷୀ ଦାତା ସ୍ୱତଃପ୍ରବୃତ୍ତ ହୋଇ ମନିଅର୍ଡ଼ରଦ୍ୱାରା ସାମୟିକ ସାହାଯ୍ୟ ପଠାନ୍ତି ଇତ୍ୟାଦି । ମୁଁ ଏଥର ବୁଝିଲି ଯେ ଗାନ୍ଧିଜୀ ଯେଉଁ ଦୀପଟା ଥରେ ଦେଶରେ ଜାଳି ଦେଇଛନ୍ତି, ତାହା ଏକାବେଳକେ ଲିଭି ନାହିଁ; କେବଳ ତୈଳାଭାବରୁ ଟିକିଏ ନିସ୍ତେଜ ହୋଇ ଯାଇଛି ମାତ୍ର । ଏ ଅଭିଶପ୍ତ ଦେଶରେ ଏପରି ପ୍ରାଣବାନ୍‌ ବ୍ୟକ୍ତି ଆଜି ସୁଦ୍ଧା ଅଛନ୍ତି, ଯେଉଁମାନେ ଆମପରି ଦେଶ–ବୈରାଗୀଙ୍କ ପାଇଁ Feel (ଅନୁଭବ) କରୁଛନ୍ତି । ତେବେ ଧନ୍ୟ ଏ ଦେଶ, ଧନ୍ୟ ଗାନ୍ଧୀ, ଧନ୍ୟ ଭାରତ ଜନନୀ, ଆଉ ମହାଧନ୍ୟ ସର୍ବତ୍ୟାଗୀ–ଆମେ ! ଏ ଦେଶର, ଏ ଜାତିର ଭବିଷ୍ୟତ ଯେ କେବେ ଅନ୍ଧକାରମୟ ନୁହେଁ, ଏ କଥା ମୁଁ ହଲପ୍‌ଧରି ଊର୍ଦ୍ଧ୍ୱମୁଖରେ ସହସ୍ରବାର କହିପାରେ ।

 

ଦୁଇ ଚାରିଦିନ କାଳ ବନ୍ଧୁଙ୍କ ସେବା ଗ୍ରହଣ କରି ଏବଂ ତାଙ୍କ ଅବସ୍ଥା ଉତ୍ତମ ରୂପେ ହୃଦୟଙ୍ଗମ କରି ପୁଣି ସ୍ୱସ୍ଥାନକୁ ଫେରି ଆସିଲି । ବନ୍ଧୁବରଙ୍କ ଉଦାହରଣ ମୋ ଅନ୍ତରରେ ଯଥେଷ୍ଟ ବଳ ସଞ୍ଚାର କରିଦେଲା । କି ନିଷ୍ଠା–କି ବିଶ୍ୱାସ–କି ଐକାନ୍ତିକ ନିର୍ଭରଶୀଳତା ତାଙ୍କର । ସେ ବାସ୍ତବିକ ଜଣେ ଯୋଗୀ ପୁରୁଷ । ମୁଣ୍ଡ ମାଡ଼ି ସ୍ୱଧର୍ମରେ ପଡ଼ି ରହିଥିଲେ ନିଶ୍ଚୟ ଦିନେ ସୁନା ଫଳିବ । ସ୍ଥିରକରି ଫେରିଲି ଯେ, ‘ଯାହା ହେବାର ହେଉ ଏଣିକି’ ପଛକେ ମୁଁ ମୋର ଧର୍ମ (କି ଅସହଯୋଗିତା, ଆଉ ସ୍ଥାନ (କି ଆଶ୍ରମ) ଏ ଦୁହିଁଙ୍କୁ କଦାଚ ଛାଡ଼ିବି ନାହିଁ । କାରଣ, ‘‘ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ’’ ଆଉ ‘‘ସ୍ଥାନଭ୍ରଷ୍ଟା ନ ଶୋଭନ୍ତେ ଦନ୍ତାଃ କେଶା ନଗା ନରାଃ ।’’

 

ଆଶ୍ରମରେ ଆସି ଦେଖିଲି ଯେ; ଯେଉଁ ଶେଷ ସଙ୍ଗୀ ପିଲାଟିକୁ ଛାଡ଼ି ଦେଇ ଯାଇଥିଲି ସେ ଚମ୍ପଟ ଦେଇଛି । ବେଶି କିଛି ନେଇ ପାରିନାହିଁ । କାରଣ ବେଶି କିଛି ନେବାଭଳି ନଥିଲା । ତେବେ, ଲୁଗାପଟା, ଖାତାପତ୍ର ଇତ୍ୟାଦି ଯାହାକିଛି ଶେଷ ସମ୍ୱଳ ଥିଲା, ତାକୁ ସବୁ ପରିଷ୍କାର କରି ଦେଇଛି । ଦେଖି ମନରେ ହର୍ଷବିଷାଦ ଉଭୟ ଜାତ ହେଲା । ଆଲୁମିନିୟମ ବାଟି ଯୋଡ଼ାକ ମଧ୍ୟରୁ କଣା ବାଟିଟାକୁ ରଖି ବାକି ସବୁ ଅନୁଗ୍ରହ କରିଛି । ପଦାର୍ଥ ପାଇଁ ଦୁଃଖ ହେଲା ନାହିଁ, କିନ୍ତୁ ଟୋକାଟା ଯେପରିଭାବରେ ଗଲା, ସେଥିରେ ସେ ଯେ, ଚିର ବିଦାୟ ଘେନି ଯାଇଛି, ଏହି କଥା ଭାବି ବଡ଼ କଷ୍ଟ ହେଲା । ଯାହାହେଉ ପିଲାଟି ରୂପରେ ଗୁଣରେ ବଡ଼ ଭଲ ଥିଲା, ଆଉ ମୋର ବିଶେଷ ଅନୁଗତ ଥିଲା । ମନକୁ ପ୍ରବୋଧ ଦେଲି କି–‘‘ସଂସର୍ଗଜା ଦୋଷଗୁଣା ଭବନ୍ତି ।’’

 

ଆଶ୍ରମରେ ବର୍ତ୍ତମାନ ମୁଁ ଏକୁଟିଆ । ଏଡ଼େ ବଡ଼ ଆଶ୍ରମ, ଯେଉଁଠି ବାର ଦୁ’ଣେ ଚବିଶ ପୁନେଇ, ତେର ଦୁ’ଣେ ଛବିଶ ପାର୍ବଣ ଲାଗି ରହିଥିଲା, ଅଧ ରାତିରେ ବାଇଦ ବାଜି ଦୁଷ୍‌ମନଙ୍କ ଛାତିକି କାତି ମାରୁଥିଲା, ସେଠି ଏକା ମୁଁ ରହିଲି ‘‘ଶେଷ ବନ୍ଦୀ ଭାରତୀ’’ ଗାଇବା ପାଇଁ ! ହାୟ କର୍ମ ! ମୁଠାଏ ସିଝାଇଦେବାକୁ କେହି ନାହିଁ । ଦିନଟା ସାରା ଉପାସ ରହି ଯେତକ ଦମ୍ଭ, ଉତ୍ସାହ ସବୁ ପେଟ ଭିତରେ ଗମିଗଲା । ତହିଁ ଆରଦିନ ସକାଳୁ ଉଠି ଡାକଘରକୁ ଯାଇ ଯେତେ ଖବର କାଗଜ ପାଇଲି, ସବୁ ରୁଣ୍ଡାଇ ସେଥିରୁ ବାଛି ବାଛି ଦୁଇ ଚାରିଖଣ୍ଡ ଚାକରୀର ଦରଖାସ୍ତ ଛାଡ଼ିଦେଲି-। କର୍ମରେ ଥିଲେ ଯଦି ଲାଖିଯାଏ । ଏ ଜୀବନ ଆଉ ସୁଖ ଲାଗୁନାହିଁ । ବାରଦ୍ୱାର ବୁଲା ଅନିଶ୍ଚୟତା ବଡ଼ ଦୁଃଖମୟ । ଯାହା ଦୁଇ ଚାରିପଇସା ମିଳିବ, ଆପଣା ଗତର ଖଟାଇ ଅର୍ଜନ କରି ଖାଇବାରେ ସୁଖ ବି ଅଛି, ଶାନ୍ତି ବି ଅଛି । ଏଣେ ବିଦ୍ୟା ତ ଯେତେଦୂର । ଯାହାହେଉ ସତ ମିଛ କହି Qualification ଗୁଡ଼ାକ ବଢ଼ାଇଦେଇ ଲେଖିଲି । ଆଗେ କେଉଁଠି ହେଲେ ଲାଖିଯାଉ, ତେଣିକି ଧରପକଡ଼ ହେଲେ ଦେଖାଯିବ । ଏପରି କେତେ ଜାଗାରେ ଗଳି ଚାଲିଯାଉଛି-। ଆଉ ଗୁଣରେ ମୁଁ ବି କିଛି କମ୍‍ ନୁହେଁ !

 

ଚାହିଁ ଚାହିଁ ଆଖିରୁ ପାଣି ମଲା । କୁଆଡ଼ୁ କିଛି ଉତ୍ତର ଆସିଲା ନାହିଁ । କାମଟା କଲି ଗୋପନରେ । କାରଣ ଆମେ ହେଲୁ ଖ୍ୟାତନାମା ଅସହଯୋଗୀ, ଏକଥା ଜଣାପଡ଼ିଗଲେ ସାତପାଞ୍ଚରେ ମୁହଁ ଦେଖାଇପାରିବି ନାହିଁ । ଏହି ଲାଜରେ ସୁପାରିସ୍‍ କରିବାଲାଗି କାହାରିକି ଅନୁରୋଧଟାଏ ବି କରିହେଲା ନାହିଁ । ଏଥିରେ ଯାହା ହେବାର ତେତିକି ହେଲା । ଯେ ମାଗି ଖାଇଲାଣି, ଈଶ୍ୱର ତାକୁ ଲାଗିଖାଇବାକୁ ଦେବେ କାହିଁକି ? ଶେଷରେ ଚାକିରୀ ଆଶାରେ ଜଳାଞ୍ଜଳି ଦେଇ କପାଳ ଠୁଂକି ରହିଲି । ମନ ହେଉଥାଏ, ଯଦି ଏଇଠି ମୋର ଜୀଅନ୍ତା କବର ହୋଇଯାଆନ୍ତା, ତେବେ ରକ୍ଷା ପାଇଯାଆନ୍ତି । କାତର ହୋଇ ଠାକୁରଙ୍କୁ ଡାକିଲି । ଆପଣା ବାହାଦୁରିରେ ଯେତେଦିନ ଚଳି ଯାଉଥାଏ, ଠାକୁରଙ୍କୁ କେହି ପଚାରେନାହିଁ । କିନ୍ତୁ ଅଚଳ ବେଳକୁ ନିରୂପାୟ ହୋଇ ଲୋକ ଯାଇ ଠାକୁରଙ୍କୁ ଆଶ୍ରା କରେ । ମୁଁ ବି ଡାକିଲି । ‘‘ମୋ କର୍ମ ଜୋର’’, ‘‘ମୋ କରାମତି ଜୋର’’ ଇତ୍ୟାଦି ସବୁ କୁଆଡ଼େ ଗଲା । ହେଲା କ’ଣ ନା, ନୋହିଲାବେଳକୁ ଯାହା ହୁଏ; ଅର୍ଥାତ୍‌ ଠାକୁରଙ୍କର ସବୁ ଦୋଷ । ‘‘ତ୍ୱୟା ହୃଷିକେଶଂ ହୃଦିସ୍ଥିତେନ’’ ଇତ୍ୟାଦି । ଯାହାହେଉ ଠାକୁରେ ଏକା ଗରୀବର ଡାକ ଶୁଣିଲେ । ସେଥିପାଇଁ ତାଙ୍କୁ ଶତସହସ୍ର ଧନ୍ୟବାଦ । ଡାକ ନ ଶୁଣି ଯାଆନ୍ତେ କୁଆଡ଼େ ? ମୋହରିପରି ହଜାର ହଜାର ହତାଶ ପ୍ରାଣର କାତର କ୍ରନ୍ଦନ ଦିନରାତି ଯାଇ ତାଙ୍କ କାନପାଖରେ ଝଡ଼ ଉତ୍ପାଦନ କଲା – ସୁତରାଂ ସେ ଯୋଗନିଦ୍ରା ଛାଡ଼ି ଚେଇଁଲେ । ସେତ ଆଉ ଆପେ ଆସିବା ପାତ୍ର ନୁହନ୍ତି । ସେ ଯେଉଁ କାମ କରନ୍ତି, ଜଣକୁ ‘‘ନିମିତ୍ତ ମାତ୍ର’’ କରି ଥାଆନ୍ତି-। ବଡ଼ବଡ଼ କାମ ପଡ଼ିଲେ ନିଜେ ଚକ୍ର ଧରନ୍ତି ସିନା !

 

‘‘ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ ।

ଅଭ୍ୟୂତ୍‌ଥାନ ମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ ।

ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ।

ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।’’

 

ଏ ପଦ ମୁଁ ଗୀତାରୁ ଶିଖିଛି । ଗୀତାଟା ଏକା ବଡ଼ ଭଲବହି, ଯେ ଯାହା ଲୋଡ଼ିବ ତାକୁ support କରିବା ଭଳି ପାଠ ତହିଁରେ ଅଛି । ସେଥିପାଇଁ ମହାତ୍ମାଜୀ ସମସ୍ତଙ୍କୁ ଗୀତା ପଢ଼ିବାକୁ କହନ୍ତି । ମୁଁ ଗାନ୍ଧୀଙ୍କୁ ଛାଡ଼ିପାରେଁ, ଅରଟକୁ ଛାଡ଼ିପାରେଁ, କିନ୍ତୁ ଗୀତାଟା ଛାଡ଼ିପାରିବି ନାହିଁ । ସେହି ବିଶ୍ୱାସରେ ପଡ଼ି ରହିଥାଏଁ ।

 

ଶାସ୍ତ୍ରରେ ଅଛି, ‘‘ବିନାଶ୍ରୟା ନ ବର୍ତ୍ତନ୍ତେ କବିତା ବନିତା ଲତା’’ ଆମେ ବି ସେହି ଭଳିଆ-। ଆମର ନିଜତ୍ୱ ବୋଇଲେ କିଛି ନାହିଁ । ଗୋପାଙ୍ଗନାଙ୍କ ପରି ଆମେ ଆମର ସବୁ ‘ସମର୍ପଣ’ କରିଦେଇଛୁଁ । ଆମ କାର୍ଯ୍ୟରେ, ଚିନ୍ତାରେ ବା ଦେହରେ ଆମର ଅଧିକାର ନଦାରଦ । ସେ ଆଡ଼ରୁ ଯାହା ହୁକୁମ ପଡ଼ିବ, ମେଣ୍ଢାପଲପରି ଆମେ ଲାଗିବୁଁ । ଯାହା ଆମର ବଡ଼ବଡ଼ିଆ କହିବେ, ତହିଁ ଆରଦିନ ମଝିମଝିଆମାନେ ତା’ର ପାଳି ଧରିବେ, ଆଉ ଆମେ ସାନସାନିଆଯାକ ଗ୍ରାମୋଫୋନ୍‍ ଭଳି ସେହି କଥା ଚତୁର୍ଦ୍ଦିଗରେ ଗାଇବୁଲିବୁଁ । ଅବଶ୍ୟ ଗାନ୍ଧୀଜୀଙ୍କର ଉପଦେଶ କି–‘‘ତୁମେ ସବୁ ସ୍ୱାଧୀନ ଚିନ୍ତାକର, ବିବେକକୁ ବି ପଚାରି କାମ କର’’, କିନ୍ତୁ ଏଣେ ଉପରୁ ଏପରି ହୁକୁମମାନ ଆସେ, ଯହିଁରେ ଆମ ସ୍ୱାଧୀନ ଚିନ୍ତା ବା ବିବେକର ଗଜା ମରୁଡ଼ି ହୋଇଯାଏ । (partyର unityଟା ବଡ଼) କଥାମାନି ହୁକୁମମାନି ଓ ପରର ମସ୍ତିଷ୍କ ଉପରେ ନିର୍ଭର ରଖି ରଖି ଆମର ଇମିତି Slave temperament ହୋଇଗଲାଣି ଯେ, ଆମେ ଏଇକ୍ଷଣି କୌଣସି ଗୋଟାଏ ଆଶ୍ରୟ ନପାଇଲେ ବର୍ତ୍ତିପାରିବୁ ନାଇଁ । ଆମ ଦଳର ଯେଉଁ ମତ, ସେଇଟା ହେଲା ବେଦ । ସେ ପଛକେ ଦିନକେ ଦଶଥର ବଦଳୁ । କାରଣ, ଆମ ମୁଣ୍ଡିଆଳ କହିଛନ୍ତି କି, ଘଡ଼ିକି ଘଡ଼ି ସେହି ମତ ବଦଳାଇବାଟା ହେଉଛି ବଡ଼ପଣିଆ, ବିଶେଷତଃ ରାଜନୈତିକ କ୍ଷେତ୍ରରେ । (consistency is the hobgoblin of little mind) ବ୍ରହ୍ମା ଯାହା ବିଳିବିଳେଇଲେ, ତାହା ବେଦ । ଆଉ କେହି ଯଦି କିଛି କହିଲା, ତାହାର ଭଲମନ୍ଦ ବୁଝିବାକୁ ଆମର ଶକ୍ତି ତ ନାଇଁ, ଏପରିକି; ସେ କଥା ଅମଳ କରିବାପାଇଁ ସୁଦ୍ଧା ଆମ କାନ ଯୋଡ଼ାକ ନାରାଜ । ସରକାରୀ ନୌକରମାନଙ୍କୁ ଆମେ ଟାପରା କରୁଁ ସିନା କିନ୍ତୁ ଆମରି ଧାତୁଟା ନିପଟ ଗୋଲାମି ପାଲଟି ଗଲାଣି–ନିଜତ୍ୱ (self) ବୋଲି ଗୋଟାଏ କିଛି ଆମର ଥିଲା କି ନଥିଲା, ତାହା ହଜାଇ ସାରିଲୁଣି ଆମେ ।

 

ଏତିକିବେଳେ ଖବର ମିଳିଲା କି, ଆମ ମହାତ୍ମାଜୀ ଜେଲ୍‌ଗଲେ–ଏକାଠି ଛଅବରଷ । କାହା ନାଁ’ ବିକି ଖାଇବୁଁ–କାହା ନାଁ’ ଧରି ପାରିହେବୁଁ ? ଆମର ଆଉ ଭରସା କ’ଣ, ଉପାୟ କ’ଣ-? ମେରୁଦଣ୍ଡ ଭାଙ୍ଗିପଡ଼ିଲା । ମୁହଁ ସିନା ଦାନ୍ତ ନିକୁଟି ପଡ଼ିରହିଥିଲି, କିନ୍ତୁ ଆଉଯାକ ସାଙ୍ଗଭାଇ ଆମର ସବୁ ଖୋସ୍‌ନବିସ୍‌ନନ୍‌ କୋ-ଅପରେଟର । ସେମାନେ ମାଛଧରି ଖାଇବାକୁ ମଜବୁତ, କିନ୍ତୁ ଦେହରେ ପଙ୍କ ଲଗାଇବାକୁ ନାରାଜ । ଖଦଡ଼ଟା ପିନ୍ଧିଥାନ୍ତି, ସହାନୁଭୂତିଟାଏ ଦେଖାନ୍ତି ଏବଂ ସ୍ଥାନ ବିଶେଷରେ ଦରକାର ପଡ଼ିଲେ ଆପଣାକୁ ଅସହଯୋଗୀ ପରିଚୟ ଦିଅନ୍ତି । ଏଗୁଡ଼ିକ କାଉ-। ଦୁଇକୁଳ ବଜାୟ ରଖି ଚାରିଆଡ଼େ ଉଡ଼ି ଉଡ଼ି ବୁଲନ୍ତି । ମୁଁ ଠିକ୍‌ଜାଣେ ଯେ ମଢ଼ ପଡ଼ିଲା ମାତ୍ରକେ ଏହିମାନେହିଁ ପଲ ପଲ ହୋଇ ଆଗକରି ମାଡ଼ିବସିବେ ।

 

ଏହିପରିକା ଅନେକଙ୍କ ସାଙ୍ଗରେ ବାଟରେ ଘାଟରେ ଦେଖାସାକ୍ଷାତ୍‌ ହୁଏ, କେହି କେହି ଆଶ୍ରମରେ ମଧ୍ୟ ପାଦଧୂଳି ପକାନ୍ତି । ଦେଖାହେଲାକ୍ଷଣି ଦେଶର ହାଲ୍‍ଚାଲ୍‍ ପଡ଼େ, ରାଜନୀତି, ସମାଜନୀତି, କୂଟନୀତି ସବୁ ଚର୍ଚ୍ଚା ହୁଏ–ଖାଲି ହୁଏନାହିଁ ମୋ ପେଟ କଥାଟା ‘ମୁଁ ଯେ ପବନ ଖାଇ ପଡ଼ିଛି, ଏକଥା କେହି ବୁଝି ମଧ୍ୟ ବୁଝନ୍ତି ନାହିଁ । ଦେଖେଇ ଶିଖେଇ କହିଲେ ମଧ୍ୟ ଏମାନେ ନୁଖୁରା ସମବେଦନା ପ୍ରକାଶ କରନ୍ତି, ଆଉ ମୋର ତ୍ୟାଗ ଓ ଧୈର୍ଯ୍ୟକୁ ସାବାସି ଦେଇ ମନଟାକୁ ଏପରି ସିକା ଉପରକୁ ଟେକିଦିଅନ୍ତି ଯେ, ସେହି ବାହାଦୁରିରେହିଁ ପେଟଟା ଭରପୁର ହୋଇଉଠେ ।

 

ଆମ କେତେଜଣଙ୍କର ଅବସ୍ଥା ବଡ଼ ସଙ୍କଟାପନ୍ନ ହୋଇପଡ଼ିଲା ଦିନକୁଦିନ । ନନ୍‌କୋଅପରେଟର କଥାଟାର ଅପରାର୍ଥ ହୋଇଗଲା ‘ଅକର୍ମା’ । ବାସ୍ତବିକ ଆମଠାରୁ ବଳି ନିଷ୍କର୍ମା ଆଉ କିଏ ? ଜାତୀୟ ଗଭର୍ଣ୍ଣମେଣ୍ଟ୍‍ ହୋଇଥିଲେ ଆମର unemployment ସମସ୍ୟାର ପୂରଣ ନିମେନ୍ତ relief measure ପଠାନ୍ତେଣି । ଏ ବିଦେଶୀ ଗଭର୍ଣ୍ଣମେଣ୍ଟ୍‍ କ’ଣ ବୁଝିବ ? ଆଉ ଆମର ପରିତ୍ରାଣ ପାଇଁ ସ୍ୱୟଂ ନାରାୟଣ ଆସି ନର ରୂପରେ ଅବତୀର୍ଣ୍ଣ ହେଲେ ଏତିକିବେଳେ । ସେ ବଙ୍ଗ ଦେଶର ନେତା ଦେଶବନ୍ଧୁ ଚିତ୍ତରଞ୍ଜନ । ସେ ବାହାରି ନଥିଲେ ଆମ ଦଶା କ’ଣ ହୋଇଥାନ୍ତା କିଏ ଜାଣେ ! ହାୟ ! ସେ ମହାତ୍ମା ସ୍ୱର୍ଗକୁ ଚାଲିଗଲେ ଅକାଳରେ, କିନ୍ତୁ ତାଙ୍କ ଜୀବନର ସର୍ବପ୍ରଧାନ କାର୍ଯ୍ୟଟି ସେ ସାରିଯାଇଛନ୍ତି । ତାହା ଏହି ଅନାଥଗୁଡ଼ିକଙ୍କର ଗୋଟାଏ ଗତି କରିଦେବା । ଏଥିପାଇଁ ଆମର ସହସ୍ର ସହସ୍ର ଧନ୍ୟବାଦ ସେ ସଙ୍ଗରେ ଘେନିଯାଇଛନ୍ତି ଓ ଯାବତ୍‌ ଚନ୍ଦ୍ରାର୍କେ ଆମର ତଳ ସପ୍ତପୁରୁଷ ତାଙ୍କଠାରେ ଋଣୀ ଥିବେ ।

 

ଦୈନିକ ସୁତାକାଟିବାଟା ଆମର ଗୋଟାଏ ପ୍ରଧାନ ଦାୟିତ୍ୱ । ଏଥିପାଇଁ ପ୍ରତ୍ୟେକ ଆମେ ଗୋଟାଏ ଗୋଟାଏ ଅରଟ ରଖିବାକୁ ବାଧ୍ୟ । ଏହି ଅରଟ ଚକ୍ର ଯେତେ ଘୁରିବ, ସ୍ୱରାଜ ଉଦ୍ଧାରଟା ସେତେ ନିକଟରେ ହୋଇଯିବ । ଏହିପରି କୁଆଡ଼େ ତିବ୍‌ବତ ଦେଶରେ ଅଛି ଯେ, ଚରକିରେ ମନ୍ତ୍ରଲେଖି ତାକୁ ବୁଲାଇବାକୁ ହୁଏ; ସେଇଟା ଯେତେ ବୁଲିବ, ଆତ୍ମାଟା ସେତିକି ମୁକ୍ତ ହୋଇଯିବ । ଯାହା ହେଉ କିନ୍ତୁ ଏ ଅରଟଟା ମନୁଷ୍ୟର ଯେତେ ସ୍ୱାଧୀନତା liberty ଓ ସ୍ୱେଚ୍ଛାଚାରରେ (free will) ବାଧା ଦେଇଛି । ତାହା ଭୁକ୍ତଭୋଗୀ ମାତ୍ରକେ ଜାଣନ୍ତି । ଏ ଅଡ଼ୁଆଟା ନଥିଲେ ଆମେ ପରା ଦେଶର ଆହୁରି କେତେ ଭଲକାମ କରି ଜାତିଟାକୁ ଆହୁରି ପଚାଶବର୍ଷ ଆଗକୁ ପେଲିନେଇ ଯାଇପାରିଥାନ୍ତୁ । ଏହି ଅରଟ ଆମ ଛାତି ଉପରେ ଗୋଟାଏ ଓଥରାଭଳିଆ ମାଡ଼ିବସି ରହି ଆମକୁ କିଛି କରାଇ ଦେଲାନାହିଁ । ସୁତାକଟାଟା ମାଇକୀନିଆ, ଅଳସୁଆ ଆଉ ବୋକାମିର କାମ । ଆମଭଳିଆ ଚଲାଖ ଚତୁର, ବୁଦ୍ଧିମାନ୍‌ କର୍ମକ୍ଷମ brain workerଙ୍କୁ କ’ଣ ଦିନରାତି ବସି କେଁ କଟର କରିବା ଶୋଭାପାଏ ? ଆମ ସମୟର ମୂଲ୍ୟ (value) କେତେ, ଆମ ପରିଶ୍ରମର କିମ୍ମତ (worth) କ’ଣ ! ଚିତ୍ତରଞ୍ଜନ ସଫା ଖୋଲି କହିଲେ କି, ‘‘ନାହିଁ, ଅରଟ କଟାଟାରେ ବାଧ୍ୟ ବାଧ୍ୟକତା (Compulsion) ନାହିଁ, ଯାହାର ଇଚ୍ଛା ସେ ପଛକେ କାଟୁଥାଉ ।’’ ତାଙ୍କ ମୁହଁରେ ଫୁଲ ଚନ୍ଦନ ବରଷୁ । ସେ ପହିଲୁ ଗାନ୍ଧୀଙ୍କ କଥା କାଟିଲେ । ସେହିପରି ପୁଅ ନ ହୋଇଥିଲେ ୟା କିଏ କରନ୍ତା ! ସେ ଦେଖିଲେ କି, volunteer କର୍ମୀମାନଙ୍କୁ କାମ ନଦେଲେ ସେମାନେ ଯେ ବେକାର ହୋଇଗଲେ । ସୁତରାଂ ସେ ହେଲେ–କର୍ମୀ । ତାଙ୍କ ମତରେ ‘ଅସହଯୋଗ’ର ମାନେ ନୁହେଁ ସବୁବେଳେ ବାହାରେ ରହିବା–ସେ କହିଲେ କି, ଯେତେବେଳେ ଦରକାର, ଅସହଯୋଗ କର; ପୁଣି ବେଳକାଳ ଉଣ୍ଡି ସହଯୋଗ ବି କର । ମେଲା ହୁକୁମ ତାଙ୍କର ଆସିଲା, ‘‘ପଶ କାଉନ୍‌ସିଲରେ, ପଶ ମ୍ୟୁନିସିପାଲିଟିରେ, ପଶ ଜିଲ୍ଲାବୋର୍ଡ଼ରେ–ଯେଉଁଠି ଯେଉଁ ସୁବିଧା ପାଅ କିଛି ଛାଡ଼ନାହିଁ । ସବୁ ଅସହଯୋଗୀ ଦଳରେ ଛାଇ ପକାଅ । ମନମାରି ରହିଲେ ଆଉ ଚଳିବନାହିଁ, ନିଶୁଆ ତେଲିପରି ଚାଲ ପେଲି ।’’ ମେଘ ବରଷିଲେ ଧାନ ବିଲରେ ଯେପରି ଛତୁପରି ବାଳୁଙ୍ଗା ଉଠେ, କୁଆଡ଼େ ବରଷଯାକ ଶୋଇଥିଲେ ଭାଇମାନେ, ଆଷାଢ଼ମାସ ସରୁ ଗହିଡ଼ାରେ ବେଙ୍ଗପହଣା ପରି ଆଶ୍ରମରେ ପୁଣି ଆସି ସାଲୁସାଲୁ ହୋଇଗଲେ । ଲାଗିଲା ଉଦ୍ୟମ ଚାରିଆଡ଼େ ଭୋଟ-ଭୋଟ ଭୋଟ । ଏହି ଭୋଟଗୋଳ ପୁଣି ଆଶ୍ରମରେ ନୂତନ ପ୍ରାଣ ସଞ୍ଚାର କରିଦେଲା । ଚିଠିପତ୍ର, ଯିବା ଆସିବା, ଦୌଡ଼ାଦୌଡ଼ି ହୈ ହୈ-ଚୈ ଚେ କାଣ୍ଡ ଲାଗିଲା । ଏଥର ଆଉ ଚାନ୍ଦା ଆଦାୟ ନାହିଁ–କାରଣ ପ୍ରାର୍ଥୀମାନେ ଖରଚ ଯୋଗାଉଥିଲେ–ଉଦ୍ଦେଶ୍ୟ କେବଳ ଲୋକ ଶିକ୍ଷା । ଲୋକଶିକ୍ଷା ବୋଇଲେ କେବଳ ଅପର ପକ୍ଷର କୁତ୍ସାରଟନା ଆଉ ନିରୀହ ଭୋଟଦାତାଙ୍କୁ ଭୁଲାଇବା । ଗାନ୍ଧିଙ୍କୁ ଛାଡ଼ିଥିଲୁଁ ସତ୍ୟ, ମାତ୍ର ତାଙ୍କ ନାଁ’ଟାକୁ ଛାଡ଼ିଲୁ ନାହିଁ ଏତେବେଳେ; କାରଣ ତାଙ୍କ ନାଁ’ଟା ଛଡ଼ା ଲୋକେ ରାଜନୀତି ଆଉ କିଛି ବୁଝନ୍ତି ନାହିଁ । ଗାନ୍ଧିଙ୍କ ଆଜ୍ଞାପତ୍ର ଆସିଛି, ଅମୁକ ରଙ୍ଗର ବାକ୍ସରେ ଭୋଟ ଦେବ । ବାସ୍‌ ଏତିକିରେ ଯଥେଷ୍ଟ । ଭୋଟପ୍ରାର୍ଥୀ candidateଙ୍କ ନାମ କେହି ଜାଣନ୍ତି ନାହିଁ । ଅଥଚ ତାଙ୍କ ବାକ୍ସରେ ଦଳଦଳ ଲୋକେ ଭୋଟ ଦେଇଗଲେ କେବଳ ଗାନ୍ଧି ବାକ୍ସ ବୋଲି । ଆମର ସବୁଠାରେ ଜୟ ହେଲା । ଯେଉଁଠି ଯେଉଁଠି ଚେଷ୍ଟା କରା ହୋଇଥିଲା, ସେଠି ଆମ ଲୋକ ବଡ଼ଲାଟ ସଭା, ଛୋଟଲାଟ ସଭାକୁ ଗଲେ, ସବୁ ଜାଗାର ମ୍ୟୁନିସିପାଲିଟିରେ ଆମ ଲୋକେ ପଶିଲେ, ସମସ୍ତ ଜିଲ୍ଲାବୋର୍ଡ଼ ଆମ ଦଖଲରେ ଆସିଲା । ବୁଲା, ଭଟକା, ମାଗିଖିଆ, ଅନାମିକା କେତେରକମର ଲୋକେ ଆସି ଖଦଡ଼ ବାନା ବଳରେ ବଡ଼ ବଡ଼ ନାଁ’ ମାରିନେଲେ । କିନ୍ତୁ ମୋ କର୍ମ ଏପରି ଫଟା ଯେ, ମୋ ନା’ଟା କୁଆଡ଼େ ପତରରେ ପଡ଼ିଲା ନାହିଁ । ମୁଁ ସିନା ଏତେଦିନ ଘାଟି ଜଗି ବସିଥିଲାକୁ ଆଜି ତୁମେ ଆସି ପଶିଲ; ଦଳ ଛଡ଼ାଇଲା କିଏ, ଆଉ କଉ ଖାଇଲା ପୁଣି କିଏ ! ମୋ ଭାଗ ତୁଛାଟାରେ ଆଶ୍ରମ ଜଗିବା । ଏହି ଅଗାଗୁଡ଼ାଙ୍କ ଭିତରୁ କେତେ ସବୁ ଚେୟାରମେନ୍‌, ଭାଇସ୍‌ଚେୟାରମେନ୍‌, କେତେ ପ୍ରକାର କ’ଣ ହୋଇଗଲେ, ମୋତେ ସମସ୍ତେ କହିଲେ କି, ତୁମେ ଏଥିରେ ପଶିଲେ ଆଶ୍ରମ ଖରାପ ହୋଇଯିବ, ସ୍ୱରାଜ ଦଳ କାର୍ଯ୍ୟ ଖରାପ ହୋଇଯିବ । ମୁଁ ଅତି ସହଜିଆ ସ୍ୱଭାବର ଲୋକ ବୋଲି ମୋତେ ଭଣ୍ଡାଇ ଦେଇ ସବୁ ମାଲମାନ fishes and loaves ମାରି ନେଇଗଲେ, ମୁଁ ଜଳକା ହୋଇ ଚାହିଁ ରହିଲି । ମୁଁ ଖାଲି ମେମ୍ୱର ପଦଟିଏ ପାଇ ଖୋସ୍‌ !

 

ଏ କାମ ବା ପଦଯାକ ସବୁ ଅନାହାରୀ । କିନ୍ତୁ ଜୀବ ଥିଲେ ତ ପେଟ ଅଛି । ଯେ ସିନା ଆହାର ଭୁଞ୍ଜୁଛି, ତା ପକ୍ଷରେ ଅନାହାରୀ–ଯେ ନିପଟ ନିରାହାର ଥିଲା, ତା’ର କ’ଣ ? କାଉନ୍‌ସିଲ୍‌କୁ ଯେଉଁମାନେ ଗଲେ, ସେ ପରକ୍ଷଣରେ ଆମ ସମ୍ପର୍କ ଛାଡ଼ି ଦେଲେ, ମ୍ୟୁନିସିପାଲିଟିମାନଙ୍କରେ ଆମ ଦଳିଆଙ୍କର ସେତେ ବଳ ହେଲାନାହିଁ, କିନ୍ତୁ ପୁରା ମାଲିକ ହୋଇଗଲୁଁ ଆମେ ଜିଲ୍ଲାବୋର୍ଡ଼ମାନଙ୍କରେ । ଜିଲ୍ଲାଯାକର ରାସ୍ତା, ଫେରି, ପୋଲ, ଡାକବଙ୍ଗଳା, ପୋଖରୀଖୋଳା, ଡାକ୍ତରଖାନା, ଇସ୍କୁଲ୍‍, କାଞ୍ଜିଆହତା, ସବୁ ଆମ ହାତରେ ରହିଲା । ଜିଲ୍ଲାଟାଯାକର ମାଷ୍ଟର, ଡାକ୍ତର, ଓଭର୍‍ସିଅର, ସବୁ ଆମରି ଚାକର । ଆଉ ସେକ୍ରେଟାରୀ, କାନ୍ତରାଟକାର ପ୍ରଭୃତି ଆମର ତାବେଦାର । ନଷ୍ଟ ପସାର ଉଠିଲା, ମାନ ଖାତିର ପୁଣି ବଢ଼ିଲା । ଏତେଗୁଡ଼ାଏ କ୍ଷମତା, ଏତେଗୁଡ଼ାଏ ପଇସା ଆମ ହାତରେ ରହିଲାଠଉଁ କେତେ କେତେ ଲୋକ ଆମର ଅନୁସରଣ କଲେ । ମୁଠାଏ ମୁଠାଏ ଖାଇବାପାଇଁ ଆମେ ଯେଉଁ ବ୍ୟସ୍ତ ଥିଲୁଁ ଆଗେ, ଏବେ ମଫସଲରେ ଛ ତିଅଣ, ନ ଭଜାର କୁଣିଆ । ଆପଣା ବାହାଦୁରିରେ ଯେ, ଯାହା କରିପାରିଲା, ସେ ତା’ର ନିଜର, ଅତଏବ ବଡ଼ ବଡ଼ଙ୍କ କଥା ମୁଁ କହିପାରିବି ନାହିଁ । ଆପଣା ଅଙ୍ଗେ ଯେତେକ ନିଭେଇଛି, ସେହିତକ କହୁଛି । ମୋ ଭଳିଆ ଲୋକଙ୍କର ପ୍ରଧାନ ଓ ଧରାବନ୍ଧା ଆୟ, ଗସ୍ତ ଖର୍ଚ୍ଚ । ଯେ ଯାହାର ଇଲାକା ମଧ୍ୟରେ ଯେତେ ଗସ୍ତ (tour) କରିପାରିବ, ତା’ର ସେତିକି ଲାଭ । ଆଉ ଯେଉଁ ଭେଟିଟାଏ ରୁଟିଟାଏ ଅକସ୍ମାତ୍‌ ପଡ଼େ, ତା’ କଥା ଛାଡ଼ । ଆମକୁ ଏକା ଚାନ୍ଦା ଆଦାୟ କରିବାର ଗୋଟାଏ ନୂଆ ବାଟ ମିଳିଗଲା । ଏଥର ଆଉ ଗରିବ ସାଧାରଣଙ୍କଠାରୁ ଚାଉଳ ସେରେ କିବା ପଇସା ଚାରିଅଣା ଆମ ନଜରରେ ପଡ଼େନାହିଁ । ଆମେ ଏଣିକି ଧରୁଁ ବଡ଼ବଡ଼ଙ୍କୁ–ଯେଉଁଠି ହାତ ପକାଇଲେ ମୁଠା ପୁରିବ । ଚୁନା ଚୋପରାଙ୍କୁ ପଚାରେ କିଏ ! ଆଗେ ସାକୁଲା ବାକୁଲା କରି ମାଗୁଁ–ଯେ ଆମ ଗରଜ ମେଣ୍ଟାଇଲା, ସେ ସୁନାପୁଅ; ଆଉ ଯେ ଫାଙ୍କିଲା, ଲାଗିଲୁଁ ଆମେ ତା’ ପଛରେ । ଯେପରି ହେଉ ତାକୁ ବିପଦରେ ପକାଇ ଦେବୁଁ । ଆମର ଏଇକ୍ଷଣି ଅନେକ କ୍ଷମତା, ଖବରକାଗଜମାନ ଆମ ହାତରେ, ହାକିମମାନେ ଆମକୁ ଡରନ୍ତି–ଆହୁରି କେତେ ରକମ କ’ଣ ଅଛି, ସେଗୁଡ଼ିକ ପ୍ରକାଶ କରିବାର ନୁହେଁ ।

 

ଜଗଦୀଶ୍ୱରଙ୍କ ରାଜ୍ୟରେ କିଛି ତ ସ୍ଥିର ନୁହେଁ–ତହିଁକି ରାଜନୀତି ରାଜ୍ୟରେ ସବୁ ଆହୁରି ଅସ୍ଥିର । ଏ କଥାର ପ୍ରମାଣ ନିତି ଦେଖା ପଡ଼ୁଛି, ଆଉ ଉଦାହରଣ ଦେବା ପ୍ରୟୋଜନ ନାହିଁ । ସ୍ୱୟଂ ଗାନ୍ଧିଙ୍କ କଥାତ ଆଖି ଆଗରେ । କାହିଁକି କେଜାଣି, ଆମର ଭାଗ୍ୟଚକ୍ର ପୁଣି ଥରେ ଘୁରିଲାପରି ଜଣାଗଲା । ଦୁଃଖର ସମୟ ଥରେ ଆମେ ଭୋଗିଛୁଁ–ଏଥର ପୁଣି କାଳେ କ’ଣ ହେବ ବୋଲି ଆଗହୁଁ ସାବଧାନ ହେବାକୁ ପଡ଼ିଲା । ଆମେ ଲୋକଙ୍କୁ ଅନେକ ଆଶା ଭରସା ଦେଇଥିଲୁଁ । ଭାବିଥିଲୁଁ, ତିନି ବରଷ ଅଛି, ଏହା ଭିତରେ କେଉଁଠିକା ପାଣି କେଉଁଠିକି ଯାଉଛି ଦେଖାଯାଉ । କଥାରେ ଅଛି–‘ଢୋକେ ପି, ଦଣ୍ଡେ ଜୀ’ ।’ କିନ୍ତୁ ଓଡ଼ିଆ ଲୋକଗୁଡ଼ାକ ଓଲୁ ହେଲେ ମଧ୍ୟ ମଣିଷ ତ-। ମଣିଷକୁ ସବୁଦିନେ କି ଭଣ୍ଡି ରଖିହୁଏ ? ବେଶ୍‌ ଦେଖିପାରିଲୁଁ, ଆମ ପ୍ରତି ଲୋକଙ୍କ ମନରେ ଅବିଶ୍ୱାସ, ଅନାସ୍ଥା ଆଚ୍ଛାକରି ପାକଳି ଉଠିଲାଣି । ଆସନ୍ତା ଜିଲ୍ଲାବୋର୍ଡ଼ ନିର୍ବାଚନରେ ଆମର ବେଶି ରକମ ଅସୁବିଧା ହେଲାପରି ଦିଶୁ ନାହି । ଆଗତୁରା ସାବଧାନ ହେବା ଦରକାର ସେଥିସକାଶେ । ତହିଁ କି କାଉନ୍‌ସିଲ ବଛାବଛି ବେଳ ବି ନିକଟ ହୋଇଗଲା । ଉଠିପଡ଼ି ନ ଲାଗିଲେ ତ ଆଉ ଚଳିବ ନାହିଁ । ପୁରୁଣା କଥାରେ ଆଉ ଲୋକେ ଭୁଲୁ ନାହାନ୍ତି; କିଛି ରକମ ନୂଆ ଉପାୟ ଅନୁସରିବାକୁ ହେବ । ଏହିସବୁ କଥା ଭାବି ଘନ ଘନ ସମ୍ମିଳନୀମାନ କରିବାକୁ ଲାଗିଲୁଁ । ଜିଲ୍ଲା ସମ୍ମିଳନୀ, ସବ୍‌ଡିଭିଜନ ସମ୍ମିଳନୀ, ଥାନା ସମ୍ମିଳନୀ, ଏହିପରି ଯେତେ ହୋଇପାରେ, ସେତେ ମଙ୍ଗଳ । ସେହି ସମସ୍ତ ଉପାୟରେ ଗୋଟାଏ ଚମକ ଲଗାଇଦେଇ ଲୋକଙ୍କ ଆଖିରେ ଧୂଆଁବାଣ ମାରିଦେବାକୁ ହେବ । ଅତଏବ ସେହି କାମ ଆମର ଲାଗିଲା । ଫଳ କ’ଣ ହେବ ବଳେ କର୍ମକ୍ଷେତ୍ରରେ ଜଣାପଡ଼ିବ । ମାତ୍ର ବର୍ତ୍ତମାନତ ଖୁବ୍‌ ଆଶାଜନକ । ତଥାପି ଅନ୍ତ ଧୁଡ଼ୁଧୁଡ଼ୁ ଯେ ନ ହଉଛି, ତାହା ନୁହେଁ । କାରଣ ଯଦି ଫଳ ନ ହୁଏ, ତେବେ ଆମର ଛିଡ଼ାହେବାର ସ୍ଥାନ କେଉଁଠି ରହିବ ? ଏତକ ଛଡ଼ା ସମାଜରେ ଆମର ସ୍ଥାନ କେଉଁଠି ଅଛି ? ଯାହାଙ୍କର କିଛି ଅଛି, ସେମାନେ ତ ଖସିଯିବେ; ଆଉ ଆମେ ମୋଫତଖୋରଗୁଡ଼ାକ ଯିବୁଁ କୁଆଡ଼େ ? ଆମର ବିପକ୍ଷଦଳ କ୍ରମେ ବଢ଼ୁଛି ଓ ବଳ ସଂଗ୍ରହ କରୁଛି ।

 

ଭାଗ୍ୟକୁ ତାଙ୍କ ହାତରେ କୌଣସି ଖବରକାଗଜ ନାହିଁ । କିବା ସେପରି କିଛି କାର୍ଯ୍ୟକାରୀ ଦଳଗତ ଚେଷ୍ଟା ନାହିଁ । ନୋହିଲେ ଆମକୁ କେଉଁ ଦିନଠୁ ଫଉତ ବନାଇ ଦେଇ ସାରନ୍ତେଣି ।

 

ଆମ ଗାନ୍ଧୀବାଲାଙ୍କର Programme ଥିଲା ପ୍ରଧାନତଃ ତିନୋଟି । ୧–ଖଦଡ଼ ପ୍ରଚାର; ୨–ଅସ୍ପୃଶ୍ୟତା ନିବାରଣ; ୩–ହିନ୍ଦୁ-ମୁସଲମାନ୍‍ ମିଳନ । ଗାନ୍ଧୀଜୀ କହିଥିଲେ କି, ଏହି ତିନୋଟି ହୋଇଗଲେ, ତତ୍‌କ୍ଷଣାତ୍‌ ସ୍ୱରାଜ ମିଳିବ । ହିନ୍ଦୁ ମୁସଲମାନ୍‍ଙ୍କ ଭିତରେ ଯେପରି ବହୁକାଳରୁ ଅମେଳ ଥିଲା, ସେହିପରି ବହୁକାଳରୁ ମେଳ ବି ଥିଲା । ବିଶେଷତଃ ଆମ ଓଡ଼ିଶାରେ ଅମେଳ ବୋଲି ଗୋଟାଏ ଜିନିଷ କେବେ ସେପରି ନଥିଲା । କିନ୍ତୁ ଆମେତ ଗାନ୍ଧୀଙ୍କ କଥା ଅମାନ୍ୟ କରିନପାରୁ । ଆମେ କଥାରେ, ବାର୍ତ୍ତାରେ, ଖବରକାଗଜରେ, ସଭାସମିତିରେ ସବୁଆଡ଼େ କହିହେଲୁଁ ଏହି ମିଳନ କଥା । ଯେଉଁ ଅଶିକ୍ଷିତ ଜନସାଧାରଣଙ୍କ ମନରେ ଏହି ଅମେଳର ଧାରଣା ମାତ୍ର ନ ଥିଲା, ତାଙ୍କୁ ସବୁବେଳେ ‘ମିଳ, ମିଳ’ ବୋଲି କହି କହି ଆହୁରି ଅମେଳଭାବଟା ବଢ଼ିଲା ଆମରିଦ୍ୱାରା । ଆମେ କିନ୍ତୁ ଉପରେ ଦେଖିବାକୁ ଖୁବ୍‌ ମେଳ କରାଇଦେଲୁଁ । ସେ ମେଳଟା କିପରି ହେଲା–ନା, ଦୁହିଙ୍କୁ ଆଗେ ଅଲଗା କରାଇଦେଇ ଉପରେ ଗୋଟାଏ କନା ଢାଙ୍କୁଣି ଦେଲୁଁ । ‘‘ତୁମର କିଛି ମେଳ ନାହିଁ, ତୁମକୁ ମିଳେଇଦେଉଛୁଁ’’ କହିବାଦ୍ୱାରା ପ୍ରକୃତରେ ତାଙ୍କ ଭିତରେ ଭିତରେ ଏତେ ଅମେଳ ଆସିଯିବ ବୋଲି ନା ଜାଣିଥିଲେ ଗାନ୍ଧି, ନା ଆମେ । କିନ୍ତୁ ବୋଧହୁଏ, ଗାନ୍ଧି ଜାଣିଥିଲେ । କାରଣ, ତାଙ୍କ Programme ଭିତରେ ରାଜନୈତିକ କ୍ଷମତାଟା ରଖିନଥିଲେ । ଆମ ସ୍ୱରାଜ ଦଳବାଲା ସେଉଟା ଗାନ୍ଧିଙ୍କର ଭୁଲ୍‍ ବୋଲି ସେଥିରେ ଯୋଖିଲୁଁ, ଏଣେ ମୂଳରୁ ଘୁଣ ଖାଇଗଲା । ଏବେ ଯେତେ କଳିଗୋଳ ଲାଗିଛି, ସବୁତ Political power ସକାଶେ ବା ଚାକିରୀ ସକାଶେ । ଗାନ୍ଧି ଏସବୁ ସେଥିପାଇଁ ତ ଛାଡ଼ିଥିଲେ । ସ୍ୱରାଜବାଲା ଯଦି ଏ ଦିଗରେ ମନ ବଳାଇ ନଥାନ୍ତେ, ତେବେ ଆଜି ଏତେ ନିର୍ଦୋଷ ପ୍ରାଣୀ ହାଣ ଖାଇଥାନ୍ତେ କାହିଁକି ? ଯଦି ସ୍ୱରାଜବାଲା ଏକଥାଟା କଲେ ତେବେ ଗାନ୍ଧିଙ୍କ କଥା ଏକାବେଳେକେ କାଟି ଦେଇଥାଆନ୍ତେ ଭଲା ? ଏଣେ ତାହା କଲାବେଳକୁ ନିଜର ଥିଲା କ’ଣ କି ? ଛିଡ଼ା ହୋଇଥାନ୍ତେ କେଉଁଠି ?

 

ଯାହା ହେଉ, ଫଳ ଯାହା ହେବାର ତାହା ତ’ ହେଲା । କିନ୍ତୁ ଆମକୁ ବର୍ଷା ସାଙ୍ଗେସାଙ୍ଗେ ଛତା ଧରିବାକୁ ପଡ଼ିଲା ଏକା । ଆମେ ସବୁ କରିପାରୁଁ । ଯେତେବେଳେ ଯୁଆଡ଼କୁ ସୁବିଧା ଦେଖିବୁ, ବୋରଝାଞ୍ଜି ପରି ସେହି ଆଡ଼କୁ ଆଉଜି ଯିବୁଁ । ଦେଖିଲୁ, ଆଉ Bengal pact ରେ କାମ ହେବ ନାହିଁ, ମୁସଲମାନ୍‍ଙ୍କୁ ମୁହଁ ଦେବା ବା ଖୋସାମଦ କରିବାରେ ଲୋକେ ଚିଡ଼ିବେ । ଆଉ ମଧ୍ୟ ଦେଖି ପାରିଲୁଁ ଯେ, ଏହି ହିନ୍ଦୁ-ମୁସଲମାନ୍‍ କଳି ଫଳରେ ସ୍ୱରାଜଦଳ କୁଆଡ଼େ ଉଭେଇ ଯିବ ଦିନେ । ଦେଖି ଦେଖି ଆଗହୁଁ ବାଟ କାଟିବାକୁ ବସିଲୁଁ । ତଥାପି ଏ ଡଙ୍ଗାରୁ ଗୋଡ଼ କାଢ଼ିନାହୁଁ ଏଯାକେ । ଯେଉଁଆଡ଼େ ସୁବିଧା ଦେଖିବୁଁ, ସେହିଆଡ଼କୁ ଚାଲିଯିବୁଁ, ଏହି ମତଲବ । ସ୍ୱରାଜ କାମ ବି ହେଉଛି, ଆଉ ହିନ୍ଦୁ ସଂଗଠନ ବି ଚାଲିଛି । ଭିତରେ ବୁଝିବାକୁ ଗଲେ ଦୁଇମତ । ମୂଳରେ ପୃଥକ୍‌ ଉପରେ ଉପରେ ଅବଶ୍ୟ କଥାଦ୍ୱାରା ପାର୍ଥକ୍ୟ ନାହିଁ ବୋଲି କୁହାଯାଇ ପାରେ ଯୁକ୍ତି ଛଳରେ-। ‘‘ଆରେ ଚାଚା, ଆପଣା ବଞ୍ଚା’’–ନୀତି ଆମର ସ୍ୱରାଜଦଳ ରହିଲା ତ ଭଲ, ନୋହିଲେ ହିନ୍ଦୁ ସଭାଟା ଯଦି ବଳବାନ୍‌ ହୋଇଉଠେ, ଆମେ ସେଠିକି ଖସିଯିବୁଁ । ଯେମିତି ହେଲେ ଆମର ଦେଶସେବା, ଜାତିସେବା ଓ ଆତ୍ମସେବା କରିବା ଦରକାର । ନିଜର ମାନ, ଇଜ୍ଜତ, କ୍ଷମତା, ପଇସା ଯେଉଁ ଉପାୟରେ ବଜାୟ ରହିବ, ତାହା ତ’ କରିବାକୁ ପଡ଼ିବ । ଏଥିରେ ଆଉ ଗୋଟାଏ ମସ୍ତ ସୁବିଧା ଅଛି । ଜିଲ୍ଲାବୋର୍ଡ଼ ଓ କାଉନସିଲ୍‍ ଭୋଟ୍‍ ବେଳ ଆସିଲାଣି । ଭୋଟରଗୁଡ଼ାକ ମେଣ୍ଢାପଲପରି କିଛି ବୁଝନ୍ତି ନାହିଁ, ତାଙ୍କ ମଧ୍ୟରେ ଟିକିଏ ଫୁର୍ତ୍ତି ଦେଖାଇ ପ୍ରତିପତ୍ତି ଜମାଇ ପାରିଲେ, ଆମେ ଯେଉଁଆଡ଼କୁ ମଙ୍ଗାଇବୁଁ, ଆଖି ବୁଜି ତାହା ସେ କରିଯିବେ ।

 

କାଉନ୍‌ସିଲ୍‌ ସକାଶେ ଆମ ସ୍ୱରାଜ ପକ୍ଷରୁ Candidate ବଛା ହେବା ବେଳରେ ବଡ଼ ହରକତରେ ପଡ଼ିବାକୁ ହେଲା । ଜଣକ ନାଁ’ କହିଲେ ଆଉ ଜଣକ ମୁହଁ କରେ ପେଡ଼ି ପରି । କ’ଣ କରାଯିବ ! ଏଇଥିପାଇଁ ଅନେକ ଥର କଟାକଟି ହେଲା ଓ ବରାବର ଲାଗିଛି ଓ ଲାଗିଥିବ ଶେଷଯାକେ । କେହି ତ କାହାକୁ ଊଣା ନୁହନ୍ତି, ଯେ ଯାହା ହାତରେ ଚଉଦ ପା । ଏଥିସକାଶେ ବୋଝେ ଅଡ଼ୁଆ । ‘ନେତାମାନେ’ ସବୁ ‘ଦେତା’ଙ୍କ ମନ ରଖିବାକୁ ଯାଇ ବଡ଼ ବିପଦରେ ପଡ଼ିଛନ୍ତି । ଫଳ ଏପରି ହେଲାଣି ଯେ, କେହି କାହାରିକୁ ମାନିବାକୁ ନାହିଁ । ପରସ୍ପର ଭିତରେ ନିନ୍ଦା, କୁତ୍ସା, ଥଟା, ତାମସା ଚାଲିଲାଣି । କଟକିଆ ବାଲେଶ୍ୱରିଆଙ୍କ ଶିରୀ ଦେଖୁ ନାହାନ୍ତି, ପୁରିଆ କଟିକିଆଙ୍କ ଶିରୀ ଦେଖୁ ନାହାନ୍ତି । ତାହାଛଡ଼ା ବାଲେଶ୍ୱରରେ ବା କଟକରେ ବା ପୁରୀରେ ସମସ୍ତେ ଆପେଆପେ ନେତା ବୋଲି ଆପଣାକୁ ମଣୁଛନ୍ତି । ଏହି ହେଲା ଘର ଭିତରର କଥା, କିନ୍ତୁ ବାହାରକୁ ଏ ସବୁ ଜଣାଇବାକୁ ଦିଆଯାଉ ନାହିଁ । ବାହାରେ ଅନେକ ଶତ୍ରୁ ଓ ବଳିଆର ଶତ୍ରୁ ମଧ୍ୟ । ବାହାରବାଲାଙ୍କୁ ଜିଣିବା ସକାଶେ ଗୋଟିଏ ଫନ୍ଦି ହୋଇଛି । ରାଜନୀତିର ଖେଳ ବଡ଼ ବିଷମ । ଦେଖିନେଲୁ ଆଗେ ବାହାର ଲୋକଙ୍କ ମଧ୍ୟରୁ ଯେଉଁମାନେ ଆମ ସାଙ୍ଗରେ ଲଢ଼ିବେ, ସେହିମାନଙ୍କୁ ବାଛି ବାଛି ଇମିତି ଘୁରୁଘୁରିଆ ପେଞ୍ଚରେ ପକାଇବାକୁ କରି ଦେଉଛୁଁ ଯେ, ସେ ଆଉ ଲଢ଼ିବାକୁ ବାହାରିବେ ନାହିଁ କିମ୍ୱା କେହି ଆପଣାର କରି ବାହାରିଲାବେଳକୁ ଘାଉଲା ହୋଇ, ଦୁର୍ବଳ ହୋଇ ବାହାରିଥିବେ । ଏହି ଉଦ୍ଦେଶ୍ୟରେ ଜଣକୁ ଜଣ ଶିଖେଇ ବୁଝେଇ, ଆଶା-ଆଶ୍ୱାସନା ଦେଇ ଆମ ଭିତରକୁ ଟାଣି ନେଉଛୁଁ, ଆଉ ବାଗରେ ପଡ଼ିଗଲେ ତେଣିକି ଇମିତି ଘାଏ ମାରୁଛୁଁ ଯେ, ତାଙ୍କ ଗୋଡ଼ ହାତ ଭାଙ୍ଗି ଯାଉଛି ! ସେ ଅପ୍ରତିଭ, ଅପଦସ୍ଥ, ଅପମାନିତ ହୋଇ, ହତାଶାରେ ମେରୁଦଣ୍ଡଭଙ୍ଗା ହୋଇ discredited, demoralised ରହିଯିବେ ଯେପରି । ଯେତେ ପାଠ ଯେ, ପଢ଼ିଥାଆନ୍ତୁ, ଯେତେ ଅଭିଜ୍ଞତା ଲାଭ କରିଥାନ୍ତୁ, ଯେତେ ବୟସ୍କ ହୋଇଥାନ୍ତୁ, ରାଜନୀତିରେ କୁଟାସ୍ତ୍ର ଚଳାଇବାରେ ଆମ ସମକକ୍ଷ ଯେ କେହି ନୁହେଁ, ଏ କଥା ଆମେ ଗର୍ବ କରି କହିପାରୁଁ । ଓଡ଼ିଶାର ଖବରକାଗଜ ଯାକ ଆମରି ହାତରେ । ଆମ ବିପକ୍ଷରେ କେହି କିଛି ଲେଖିଲେ ତାହା ଛପା ହେବ କେଉଁଠି ? ଏହିପରି ଅନେକ କୌଶଳରେ ଦେଶଟାକୁ ଆମେ ହାତ ପେଞ୍ଚରେ ରଖିଛୁ । ଲୋକଙ୍କୁ ଶିଖେଇବା, ବୁଝାଇବାରେ ଆମେ ଧୁରନ୍ଧର । ଆମ ବିପକ୍ଷରେ ଯେ ଛିଡ଼ା ହେବ, ତାକୁ ଲୋକଙ୍କ ଆଗରେ ସାନ କରିଦେବା ଆମ ପକ୍ଷରେ ଅତି ସହଜ । ଆମର ଖୁବ୍‌ ଆଶା ଅଛି, ଏହି ଓଡ଼ିଆ ଜାତି, ଯାହାଙ୍କୁ ଆମେ ଖୁବ୍‌ ଚିହ୍ନିଛୁଁ, ଏମାନେ ବାସ୍ତବିକ୍‌ ମେଣ୍ଢାଭଳି । ଆମେ ଯେଉଁ ବାଟରେ ଚଳାଇବୁଁ, ସେହି ବାଟରେ ଚାଲିଯିବେ । ଛଳେ, ବଳେ, କୌଶଳେ ଭୋଟଗୁଡ଼ାକ ଥରେ ମାରିନେଇ ପାରିଲେ ଆମର ପାଇଟି ସରିଲା । ଆଉ ସେ କିଏ, ଆମେ ବା କିଏ ?

 

କଥା କହିବାକୁ ବସିଲେ ତ’ ସରେ ନାହିଁ, ବିଶେଷତଃ ଆମର–କାରଣ, ଆମେ ହେଲୁଁ ଅସହଯୋଗୀ । କାମ କରିବାରେ ସିନା ଆମର ଅସହଯୋଗ, ମାତ୍ର କଥା କହିବାରେ ଆମଠୁଁ ବଳି ପଟୁ କିଏ ? କଥା କହିବାଟା ଆମର ହେଲା ବେଉସା-କଥା ବିକିବା ଜୀବିକା । ‘‘କୁଣ୍ଡାଇ ଜାଣିଲେ ମଥା ସୁନ୍ଦର, ସୁଆଁରି ଜାଣିଲେ କଥା ସୁନ୍ଦର’’–ଏ ଦିଓଟି ଯାକରେ ଆମେ ସିଦ୍ଧିଲାଭ କରିଛୁଁ । ମଣିଷର ମନ ଭୁଲାଇବା ଯେତେବେଳେ ଆମର ପ୍ରଧାନ ଲକ୍ଷ୍ୟ, ଆମେ କଥା କହିବାର ବାଗଟା ଭଲକରି ଅଭ୍ୟାସ କରୁଁ । ଯେ, ଯେତେ ଭଲକଥା କହିପାରେ, ସେ ସେତିକି ବଡ଼ ଅସହଯୋଗୀ । ଏହି ବିଦ୍ୟାଟା ଗୋଟାଏ କଳା ହିସାବରେ ଆମକୁ ଶିକ୍ଷା କରିବାକୁ ପଡ଼େ । ଅବଶ୍ୟ ଜଣେ ଜଣେ ଅଛନ୍ତି, ଯେଉଁମାନଙ୍କର ଏ କଳାଟା ଜନ୍ମଗତ (instinctive) । ସେମାନେ କଥା କହୁଁକହୁଁ ଘଡ଼ି ଘଡ଼ିକେ କାନ୍ଦି ପାରନ୍ତି, ହସି ପାରନ୍ତି, ବୋବାଳି ପାରନ୍ତି, ହାତ, ମୁହଁ, ନାକ, ଦାଢ଼ି ଅତି ସୂକ୍ଷ୍ମଭାବରେ ଅବଲୟ କରି ଲୋକ ଭୁଲାଇ ପାରନ୍ତି । ବାସ୍ତବିକ ଏଇଟା ଗୋଟାଏ ସୁକୁମାର କଳା (fine art)-। ଏଥିରେ ଯେମାନେ ବେଶି ପାରଦର୍ଶୀ ସେମାନେ ନେତା (leader) । ଭିତରେ ମାର ପେଞ୍ଛ (complexity), ଆଉ ଉପରକୁ ସାରଲ୍ୟ (simplicity) ନଥିଲେ ପୁଣି ନେତା କିପରି-? ଏହି ପଦାର୍ଥର ଭଲ ନାମ diplomacy–ଯେଉଁଟା କି ‘ନେତା’ ହେବାର ପ୍ରଧାନ ଗୁଣ-। ଅତି ବୋକା, ସିଧାସରପଟ ଲୋକ, ଯାହାକୁ ଦେଖିବେ–ପିଲା ଭଳିଆ ସରଳ ତରଳ, ତାଙ୍କୁ ହିଁ ଜାଣିବେ ‘ନେତା’ ଏହିପରି ଜଣେ ନେତା ହେବା ପାଇଁ ମୋର ଭାରି ମନ (ambition) । ସେଥିସକାଶେ ଏହି ଭାବଟା ମୁଁ ଅନେକ ଦିନରୁ ସାଧନ (culture) କରୁଛି । ଦିନେ ଯେ, ଗୋଟିଏ leader ହେବି, ଏଥିରେ ମୋର ସନ୍ଦେହ ନାହିଁ; କିନ୍ତୁ ସେତେଦିନ ଯାକେ ବଞ୍ଚି ରହିଲେ ହୁଏ–ଆଉ ଏ କାରବାରଟା ବଞ୍ଚାଇ ରଖି ପାରିଲେ ହୁଏ ।

 

ଅସହଯୋଗ ଆନ୍ଦୋଳନ ସରି ଯାଇପାରେ, ହିନ୍ଦୁ ମୁସଲମାନ ବିଭୀଷିକା ଥଣ୍ଡା ହୋଇପାରେ, କିନ୍ତୁ ମହାତ୍ମାଜୀ ଯେଉଁ ବିହନ ପୋତି ଦେଇଛନ୍ତି, ତାହା ତ’ ଆଉ ମରିବ ନାହିଁ–ଗୋଟାଏ କିଛି ରକମର ‘ହୁଜୁଗ୍‌’ ଚିରକାଳ ନିଶ୍ଚୟ ରହିବ । ଏମିତି ନହେଲେ ସରଗରମକରି ରଖିବାକୁ ହେବ । ନୋହିଲେ ଆମର ଆଉ ପ୍ରୟୋଜନ କ’ଣ ? Unemployment ସମସ୍ୟା ବଢ଼ିଗଲେ ଯେ, ପୁଣି ମହା ବିପଦ !

 

ଆମର ଗୋଟାଏ ଦଳ–ଗୋଟାଏ ମସ୍ତ ଦଳ, ଦେଶବ୍ୟାପୀ ଦଳ । ବ୍ୟକ୍ତିଗତଭାବରେ ଆମର ଅସ୍ତିତ୍ୱ ନାହିଁ, ସବୁ ଦଳଗତ ନିଜର ବୋଇଲେ ଆମର କିଛି ନାହିଁ । ଆମେ ଯାହାକରୁ, ସବୁ ଦଳପାଇଁ ଏବଂ ଦଳ ଯାହାକରେ, ସବୁ ଆମପାଇଁ । ଆମେ ଦଳର ଏବଂ ଦଳ ଆମର । ଆହୁରି ପରିଷ୍କାର କରି କହିବାକୁ ଗଲେ–ଆମେ ହିଁ ଦଳ, ଆଉ ଦଳ ହିଁ ଆମେ । ଦଳ ଓ ଆମେ indentical । ଆମର ମନ ପ୍ରାଣ, ଧନ, ଐଶ୍ୱର୍ଯ୍ୟ ସମସ୍ତ ଦଳର–ଏପରି କି ଆମର ସ୍ତ୍ରୀ, ପୁତ୍ର, ପରିବାର ସୁଦ୍ଧା ।

 

ଦଳ ତ’ ଅନେକ ପ୍ରକାର–ବୋରଝାଞ୍ଜି, ଚିଙ୍ଗୁଡ଼ିଆ, ବିଲାତି ପ୍ରଭୃତି । ଆମେ ବି ବହୁ ପ୍ରକାର । ଯେତେବେଳେ ଯେଉଁ ପ୍ରକାର ଦରକାର ହୁଏ, ସେତେବେଳେ ସେହି ପ୍ରକାର । ଯେବେ ଦେଖୁଁ ହାଉଆଟା ଯେଉଁ ଆଡ଼କୁ ବୋହୁଛି, ଆମେ ସେଇ ଆଡ଼କୁ ଆଉଜି ଯାଉଁ । ଏ ସମୟରେ ଆମେ ବୋରଝାଞ୍ଜି । ଗାନ୍ଧୀଙ୍କ ପ୍ରତାପ ଯେତେବେଳେ ପ୍ରବଳ, ଆମେ ପୁରା ନନ୍‌କୋଅପରେଟର୍‌; ପୁଣି ଯେତେବେଳେ ଚିତ୍ତରଞ୍ଜନଙ୍କ ଦାଉ ବଢ଼ିଲା, ଆମେ ହୋଇପଡ଼ିଲୁ ସ୍ୱରାଜୀ । ଯେତେବେଳେ ଦେଖିଲୁଁ କି, ମାଲବ୍ୟ ବା ଲାଲାଜୀ ମାଡ଼ି ମାଡ଼ି ଆସୁଛନ୍ତି, ଆମେ ଉଠି ଉଠି ହୋଇ ଆସିଲୁଁ ସ୍ୱାଧୀନ (independent) । ଅବଶ୍ୟ ଟାକି ରହିଥିଲୁଁ ଗୌହାଟି କଂଗ୍ରେସଟାର ଫଇସଲାକୁ । କିନ୍ତୁ ସେଥିରେ ପ୍ରତିଦାନୀ ଦଳ (Responsivist) ଦବି ଯିବାରୁ ଆମେ ଝାଡ଼ିଝୁଡ଼ି ହୋଇ ରହିଗଲୁଁ ଯାହାକୁ ତାହା । ଧୁଳି ମାଟି କିଛି ଆମ ଦେହରେ ଲାଗେ ନାହିଁ–ସବୁବେଳେ ସାଫ୍‍ ସୁତୁରା, ଝାଡ଼ି ଦେଲେ ।

 

ଏହା ଛଡ଼ା ଆମେ ମଧ୍ୟ ଚିଙ୍ଗୁଡ଼ିଆ ଦଳ । ଚିଙ୍ଗୁଡ଼ିଆ ଦଳ ପାଣି ଭିତରେ ବୁଡ଼ି ରହିଥାଏ-। ଆମେ ସେହିପରି ବୁଡ଼ି ବୁଡ଼ି ପୋଖରୀକ ଯାକ ମାଛ ଖାଉଁ । କାହା ବାପର ଚାରା–ଆମ ଭିତର କଥା ବୁଝିବ ! ଆଉ ଏ ଦେଶର ଲୋକେ ତ ! ସେମାନଙ୍କୁ ଆମେ ଯେପରି ନଚେଇବୁଁ, ସେମାନେ ସେହିପରି ନାଚିବେ । ବୁଝିବାକୁ ଅବସର କାହିଁ ବା କ୍ଷମତା କାହାର ? ଆମେ ଉପରେ ଥାଇ ହିନ୍ଦୁ ମୁସଲମାନ୍‍ ପ୍ୟାକ୍‌ଟ (Hindu-Muslim pact) କରୁଥାଉଁ, ପୁଣି ଭିତରେ ଶୁଦ୍ଧି ସଂଗଠନଠାରୁ ଆରମ୍ଭ କରି ଦଙ୍ଗା, ହାଙ୍ଗାମ, ଫୌଜଦାରି ସବୁ ଚଳାଉ । ଉପରେ ଗଭର୍ଣ୍ଣମେଣ୍ଟ୍‍ଙ୍କ ସାଙ୍ଗରେ ଘୋର ବିବାଦ କରୁଁ, ପୁଣି ଭିତରେ ବଡ଼ ବଡ଼ ଗଭର୍ଣ୍ଣମେଣ୍ଟ୍‍ କର୍ମଚାରୀଙ୍କ ସାଙ୍ଗରେ ପରାମର୍ଶ କରି ତାଙ୍କରି ମତରେ କାମ କରୁଁ । ଉପର ଦୋରସ୍ତ ଯେତେବେଳେ ଆମର ନିଖୁଣ, ଭିତରେ ଦେଖିବା ସହଜ ନୁହେଁ; ଆଉ କଥା କହିବାରେ ଯେତେବେଳେ ଆମେ ନିପୁଣ, ଲୋକଙ୍କୁ ଭୁଲାଇ ରଖିବା ଆମ ପକ୍ଷରେ କଠିନ କ’ଣ ? ‘‘ସାତ କଥାରେ ସତୀ ଭୁଲେ ।’’

 

ତାହା ପରେ, ଆମେ ପୁଣି, ‘ବିଲାତିଦଳ’ । ବିଲାତିଦଳ ଯେଉଁ ଥାନରେ ହୁଏ, ତା’ର ଆଉ କିଛି ରଖେ ନାହିଁ–ନିଜେ ଦିନକେ ଚାଖଣ୍ଡେ ଲେଖାଏଁ ବଢ଼ି ତା’ ପାଖରେ ଆଉ କାହାରିକୁ ବଢ଼ାଇ ଦିଏ ନାହିଁ । ଆମେ ସେହିପରି ଆପେ ବଢ଼ିବାରେ ଲାଗିଛୁଁ ଓ ଆଉ କେହି ବଢ଼ିବାକୁ ଗଲେ ତାକୁ ଚପାଇ ଦେଉଛୁଁ । ଦେଶର ଯେ, ଏଣେ କ’ଣ ହେଉଛି, ତାହା କାହାରିକୁ ଖବର ଅଛି କି ? ସେ ବେଳ ଆସିନାହିଁ । ଭିତରେ ଭିତରେ ଘୁଣ ଖାଇ ପୋଲ ଫିଟି ଯାଉଛି, ଯେତେବେଳେ ବିଲ୍‌କୁଲ୍‌ ଭାଙ୍ଗିପଡ଼ିବ, ସେତେବେଳେ ସମସ୍ତେ ଆଁ’କରି ଦେଖିବେ, ଆଉ କହିବେ–‘‘ହା !’’

 

ହଁ, ମୋର କାହାଣୀ ଛାଡ଼ିଗଲି । ତୃତୀୟ ଥରର କାଉନ୍‌ସିଲ ନିର୍ବାଚନ ସମୟ ଚାହୁଁଚାହୁଁ ନିକଟ ହୋଇ ଆସିଲା । ମଣ୍ଟ ଫୋର୍ଡ଼ ପ୍ରଥାରେ ନୂଆ, କାଉନ୍‌ସିଲ୍‍ ହେଲା ଏଥରକୁ ଲଗାଇ ତିନିଥର । ପ୍ରଥମଥର ନିର୍ବାଚନ ବେଳକୁ ଆମ ଦଳ ସୃଷ୍ଟି ହୋଇ ନଥିଲା । ବାସ୍ତବିକ ପାଣି ମଇଳା ନହେଲେ ତ’ ଦଳ ଜନ୍ମେ ନାହିଁ । ଦ୍ୱିତୀୟଥର ବେଳକୁ ଆମର ଚେର କଣ୍ଟି ନଥିଲା । ଅର୍ଥାତ୍‌ ଆମେ ସେତେବେଳେ ପୂରା ଦସ୍ତୁର ଗାନ୍ଧିବାଲା ଥିଲୁଁ । ଆଉ କାଉନ୍‌ସିଲ, ଫାଉନ୍‌ସିଲକୁ ଏକଦମ୍‌ ଘୃଣାଚକ୍ଷୁରେ ଦେଖି ସରକାର ହାଓଆ ସ୍ପର୍ଶ କରିବାକୁ ରାଜି ନଥିଲୁଁ । ଆମ ଲେଖାରେ ଅସ୍ପୃଶ୍ୟତାଟା ହାଡ଼ି ବାଉରିଙ୍କ ଉପରୁ ଯାଇ ସରକାର ଉପରେ ପଡ଼ିଥିଲା । ତଥାପି କୌଣସି କୌଣସି ସ୍ଥଳରେ ଆମେ ପରୀକ୍ଷା ସୂତ୍ରରେ ଗୋଟାଏ ଯୋଡ଼ାଏ ଧୂଆଁ-ବାଣ ଛାଡ଼ି ଦେଇଥିଲୁଁ । ହାୟ, ହାୟ । ସେତେବେଳେ ଯଦି ଆମେ ଟିକିଏ ଆଗବୁଦ୍ଧିଆ ହୋଇପାରିଥାନ୍ତୁ, କିମ୍ୱା ନିଜ ବଳଉପରେ ସେପରି ବିଶ୍ୱାସ (Confidence) କରିପାରି ଥାଆନ୍ତୁ, ତେବେ ଓଡ଼ିଶାରୁ କ’ଣ ଜଣେହେଲେ ଅଦଳିଆ ଲୋକ କାଉନ୍‌ସିଲକୁ ଯାଇ ପାରିଥାଆନ୍ତେ । ଆମର ସେ ବହୁତ ଅଦୂରଦର୍ଶିତାର ଫଳ ।

 

ନିର୍ଜୀବ ଗତ କଥାକୁ ଆଉ ଶୋଚନା ନାହିଁ । ଏବେ ଜ୍ୱଳନ୍ତଜୀବନ୍ତ ବର୍ତ୍ତମାନ ଓ ଧୂମାୟିତ ଭବିଷ୍ୟତ ଘେନି ଆମର କାମ । ଗତଥର ଆମର ପାଖ ବଙ୍ଗଦେଶରେ କେତେ ରଙ୍ଗନାଟ ହୋଇଗଲା, ଆମେ ଖାଲି ଦାନ୍ତ କାମୁଡ଼ି ହୋଇ ରହିଲୁଁ । ବିହାର କାଉନ୍‌ସିଲରେ ଆମ ଦଳ ଏତେ ଊଣା ପଡ଼ିଗଲେ ଯେ, ତାଙ୍କୁ କେହି ଅଖା ଛ’ପଟରେ ପକାଇଲେ ନାହିଁ । ସେଥିପାଇଁ ଏଥର ଆମ ଦଳପତି ହୁଙ୍କାରିଲେ କି ‘‘ବାଳକେ ମୋର ବୋଲ କର, ବେଳହୁଁ ଗୋବିନ୍ଦ ସୁମର ।’’ ଆମେ ଯେତକ ଉତ୍ତମ ଶିଷ୍ୟଯାକ–ବେଳହୁଁ ମାତିଗଲୁଁ, ଗ୍ରାମେ ଗ୍ରାମେ, ନଗରେ ନଗରେ, ପଲ୍ଲୀପଲ୍ଳୀକରି ଯେ, ଯେଉଁଠି ଆମ ଜାତିଆ ଥିଲେ, ସବୁଆଡ଼େ ଗଣ୍ଠି ଫେରିଗଲା । ‘ସାଜ ସାଜ’ ରଣବାଦ୍ୟ ବାଜି ଉଠିଲା । ପୁଣି ସଭା ସମିତି, ଚାଉଳ ଚାନ୍ଦା, ଶିଖାବୁଝା, ସ୍ୱନାମୀ, ବେନାମୀ, ଛପାକାଗଜ ବଣ୍ଟା, ଖବର କାଗଜରେ ଚିତ୍କାର, ସବୁ ପୂରାଦମ୍‌ ଲାଗିଗଲା । ଏଥର ଆମର ଚେଷ୍ଟା ଚାଲିଲା କି, ଯେପରି ବେ-ଦଳ ଲୋକେ ଅନ୍ତତଃ ଓଡ଼ିଶାରୁ କେହି ନଯାନ୍ତୁ । ଗାନ୍ଧି ସିନା ନିଜେ ବେକ୍‌କୁବି ବୁଦ୍ଧିକରି କାଉନ୍‌ସିଲଟାକୁ ‘ଛି’ କରି ଦେଇଥିଲେ, ଆମେ ଯେ ଥରେ ତାର ସୁଆଦ ପାଇଲୁଣି ଆଉ ସହଜରେ ଛାଡ଼ୁଛୁଁ ! ବାଘ ଥରେ ମଣିଷ ରକତ ଖାଇଲେ, ଜୀବନମୂରଛା ହୋଇ ସେହି ମଣିଷ ଶିକାର ଖୋଜିବୁଲେ । ଜିଲ୍ଲାବୋର୍ଡ଼ର କ୍ଷମତା ମଜା ଥରେ ଚାଖିଲା ଦିନରୁ ଆଉ ଅଲଗା ହୋଇ ରହିବା କଥା ଆମର ସରିଲାଣି । ଏଣିକି ଅଧିକ ଅଧିକ କ୍ଷମତା ପାଇବା ପାଇଁ ଜୀବନ ପ୍ରମାଣେ ଲାଗି ପଡ଼ିଛୁଁ । ଲୋକେ ପୁଣି କହିବେ ! ସେଥିପାଇଁ ତାଙ୍କୁ ବୁଝାଇବାକୁ ହେଉଛି ଯେ–‘‘ଆରେ, ତମେ ବୁଝିଛ କ’ଣ ? ବାହାରେ ଥାଇ ସରକାରର ଜବରଦସ୍ତ କଳକୁ ଭାଙ୍ଗିବା ସହଜ ନୁହେଁ; ସେଥିପାଇଁ ଗାନ୍ଧି ଫେଲ୍‍ ହୋଇଗଲେ । ଆମେ ଏବେ ସେହି ଇସ୍ପାତ କଳଭିତରେ ପଶି ଏମିତି ମୋଡ଼ା ମୋଡ଼ିବୁଁ ଯେ, ଅଳ୍ପ ସମୟରେ ଓ ଅଳ୍ପ ଆୟାସରେ ସେ କଳଟା ଭାଙ୍ଗି ଚୂରମାର ହୋଇଯିବ । ଆଉପୁଣି ସଇତାନ ସରକାରର ସାଧ୍ୟ ରହିବନାହିଁ ତାକୁ ଆମ ଦାଉରୁ ରକ୍ଷା କରିବାକୁ ।’’

 

ଆମର ଯେତେବେଳେ ଏହିପରି ଉଦ୍ୟମମାନ ଚାଲିଛି, ଶୁଣିଲୁଁକି, କେହି କେହି ବେ-ଦଳିଆ ଲୋକେ ନିଜ ବଳରେ କାଉନ୍‌ସିଲ ଯିବାକୁ ମନ କଲେଣି । ସେଯାକେ, କିନ୍ତୁ କାହାରିନାମ ବାହାରି ନଥାଏ । ଆମେ ଏଠି କଂସର ନୀତି ଅବଲମ୍ୱନ କଲୁଁ । ଦ୍ୱାପରଯୁଗ ହେଲେ କ’ଣ ହେବ, କଂସାସୁର ଏକା ବାସ୍ତବିକ ଗୋଟାଏ Politician ଥିଲା । ଆମେ ଧାଇଲୁଁ କି, ‘‘ମୂଳୁଁ ମାଇଲେ ଯିବ ଶରି ।’’ ଭବିଷ୍ୟତରେ କିଏ ତା’ର ଶତ୍ରୁ ହେବ ବୋଲି କଂସ ଯେପରି ରାଜ୍ୟଯାକ ଶେଯପିଲାଙ୍କ ତଣ୍ଟି ଚିପିବା ଆରମ୍ଭ କରି ଦେଇଥିଲା, ଆମେ ସେହିପରି ଓଡ଼ିଶାଟାଯାକ ଯେତକ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ (Probable Candidates) ନାନା ଉପାୟରେ ବାଟ ବନ୍ଦ କରିବାରେ ଲାଗିଲୁଁ । ସମସ୍ତଙ୍କ ପ୍ରତି ଏକ ନୀତି ପ୍ରୟୋଗ ତ’ ଚଳିଲା ନାହିଁ–ଯେଉଁ ସ୍ଥାନକୁ ଯେଉଁ ଅସ୍ତ୍ର କାଟିବ ସେଠିକି ସେହି ଅସ୍ତ୍ର ଚାଲିଲା । କାହାକୁ ବଦନାମ କରାଇ ଦେବାପାଇଁ ତା’ ନାମରେ କୁତ୍ସିତ ପତ୍ର ପ୍ରକାଶ କରାଗଲା–ଏଇଟା ହେଲା ଧୂଆଁବାଣ । କାହାକୁ ତା’ର ବନ୍ଧୁ ବାନ୍ଧବଙ୍କଦ୍ୱାରା ନିବର୍ତ୍ତାଇବାର ଯତ୍ନ ହେଲା । କାହାକୁ ଅନ୍ୟ ପ୍ରକାର ଲୋଭ ଦେଖାଗଲା । କାହାର ହାତ ଓଠ ଧରି ଖୋସାମଦ୍‌ କରିବାକୁ ପଡ଼ିଲା । ଇତ୍ୟାଦି ଇତ୍ୟାଦି ଅନେକ ପ୍ରକାର କୌଶଳ । ସେଗୁଡ଼ାକ ସବୁ ବଖାଣିବାର ସ୍ଥାନ ନାହିଁ । ଆଉ ମଧ୍ୟ ସେ official secret ଗୁଡ଼ାକ ଖୋଲିଦେଲେ ଦଳପ୍ରତି ବିଶ୍ୱାସଘାତକ ନହେଉଁ, ଅନ୍ତତଃ ନିଜ ଦଳପ୍ରତି । ପରର ଘର ବୁଡ଼ାଇବା ତ ଆମର ବେଉସା, ସେଥିକି ଦୋଷ ନାହିଁ । ରାଜନୀତି ଆଇନରେ ସେଇଟା ଛାଡ଼ । ସେତକ liberty ନଥିଲେ ରାଜନୈତିକେ ହାତଗୋଡ଼ ବନ୍ଧାହୋଇ ପଡ଼ିଥାନ୍ତେ । ଆମେ ସବୁ କହିବୁଁ, କିନ୍ତୁ ବୀଜ ମନ୍ତ୍ରଟି କହିବୁ ନାହିଁ ।

 

ହଁ, କହୁଥିଲି କ’ଣ କି–ଏତେ ପ୍ରକାର କୌଶଳ କରି ସୁଦ୍ଧା ଯେଉଁ ଲୋକ ବାଗରେ ନଆସିବାର ଦେଖାଗଲା, କିମ୍ୱା ଯେ, ଏପରି ସ୍ଥାନରେ ରହିଲା ଯେ, ତାହା ପାଖକୁ ଆମର ଶସ୍ତ୍ରର କାଟ୍‌ ପହଞ୍ଚି ନପାରିଲା, ସେପରି ଲୋକଙ୍କୁ ଆମ ଦଳ ଭିତରକୁ ଟାଣି ନେବାର ଚେଷ୍ଟା କରାହେଲା-। ସେପରି ଲୋକ ଯେ, ନିହାତି ଟାଣୁଆ, ଏଥିରେ ସନ୍ଦେହ ନାହିଁ । ତାହା ବୋଲି ଆମର ଉଦ୍ଦେଶ୍ୟ ନୁହେଁ ଯେ, ତାଙ୍କୁ ଦଳରେ ପୁରାଇ ଦଳର ପୁଷ୍ଟି ସାଧନ କରିବା । ବୁଝିଲେ ନାହିଁ କି, ଆମେ ହେଲୁଁ ବିଲୁଆଦଳ । ଆମ ଭିତରକୁ ଗୋଟିଏ ଡାହାଳ କୁକୁର ପୁରାଇବା ଆମେ କେବେ ଇଚ୍ଛା କରୁ ନା–କିମ୍ୱା ସେଥିରେ ଆମର ମଙ୍ଗଳ ନାହିଁ । ସେଥିପାଇଁ କାଳେ କେତେବେଳେ ଗୋଟାଏ କିଏ ସେହିପରି ଆସିଯିବ ବୋଲି ଆମ ଦଳର ମୁହଁ ସର୍ବ ସାଧାରଣଙ୍କୁ ‘‘ପ୍ରବେଶ ନିଷେଧ’’ । ଯାହାର କରିବୁଁ ଆମେ ଆମେ–ଯାହା ହେବ ଆମ ଭିତରେ । ବାହାରର କେହି ଯେପରି ଏଥିରେ ଟିପ ନଛୁଏଁ । ତେବେ ଏ ଲୋକଙ୍କୁ ଦଳ ଭିତରକୁ ପୁରାଇବା ଉଦ୍ଦେଶ୍ୟ ଅଛି । ତେବେ କ’ଣ କି–କେବଳ କାର୍ଯ୍ୟ ଶେଷଯାଏ ହାତ ଆଉଁସା କରି ରଖିଥିବୁଁ, ଆଉ ନାନାପ୍ରକାର ଆଶାଭରସା ଦେଇ ତାଙ୍କୁ ନିଜର କିଛି ଉଦ୍ୟମ ଓ ଯତ୍ନରୁ ବିରତ କରାଇ ରଖିବୁଁ; ବଖତ୍‌ ଠଉରାଇ ଧକ୍‌କା ଦେଇ ପୁଣି ବାହାର କରିଦେବୁଁ । ସେତେବେଳକୁ ନା ଥିବ ସମୟ, ନା ଥିବ ସୁବିଧା–ହାତ ଗୋଡ଼ ଭାଙ୍ଗି ଚାରିଆଡ଼ୁ ବିବ୍ରତ ହୋଇ ସେ ରହିବେ, ଏହି ଉଦ୍ଦେଶ୍ୟ । ଏପରି କେତେ ଲୋକଙ୍କ ସାଙ୍ଗରେ କରାଗଲା । କେତେକ ସରଳ ବିଶ୍ୱାସୀ ଲୋକେ ବି ଆମ ଫାନ୍ଦରେ ପଡ଼ିଗଲେ । ଜଣେ ଅଧେ ଯେ, ଉତୁରି ନ ଗଲେ, ତାହା ନୁହେଁ । ସେ ତାଙ୍କର କର୍ମ ଜୋର ।

 

ଏହିପରି ଚାରିଆଡ଼ୁଁ ଶତ୍ରୁନାଶ କରି ଏକ ପ୍ରକାର ନିଶ୍ଚିନ୍ତ ଥାଉଁ । ମାତ୍ର ଶେଷରେ ଦେଖିଲାବେଳକୁ ପ୍ରତ୍ୟେକ ସ୍ଥାନରୁ କେହି ହେଲେ ଜଣେ ଆମ ବିରୁଦ୍ଧରେ ଛିଡ଼ା ହେଲେଣି । ସେତେବେଳେ ଆଉ କରିବୁଁ କ’ଣ, କମର କଷିଦେଇ ଲଢ଼ିବାକୁ ପଡ଼ିଲା । ପ୍ରତିଦ୍ୱନ୍ଦ୍ୱୀ ଗୁଡ଼ିକ କେହି କାହରିକୁ କମ୍‌ ନୁହନ୍ତି; କିନ୍ତୁ ବିଧି ଯେତେବେଳେ ଆମକୁ ଅନୁକୂଳ, କିଏ ଆମର କ’ଣ କରିବ । ଜିଲ୍ଲାବୋର୍ଡ଼ଗୁଡ଼ାକ ହାତରେ ଥିଲା ବୋଲି ଆମର କମରରେ ବହୁତ ବଳ । ସେତକ ଯୋଗୁଁ ଆମ ଦଳରେ ଅନେକ କର୍ମ୍ମୀ, ଅନେକ ମର୍ମ୍ମୀ, ଅନେକ ଧର୍ମୀ । ସେତକ ଯଦି ଯାଏ, ତେବେ ଆମ ଦଶା ଯେ କ’ଣ ହେବ ତା’ର ଠିକଣା ନାହିଁ–ଏହି ପଙ୍ଗପାଳ ଗୁଡ଼ାକ ସବୁ ଛାଡ଼ି ପଡ଼ିବେ, ଏକଥା ଆମେ ଠିକ୍‌ ଜାଣିଛୁଁ ଏବଂ ସେଇଥିଲାଗି ଯାହା ହେଉ ପଛକେ ଜୀବନ–ଝଗଡ଼ା କରି ଜିଲ୍ଲା ବୋର୍ଡ଼କୁ ହାତଛଡ଼ା କରିବୁ ନାହି । ମୁଁ ଦେଖୁଛି, ଅସୁରୁଣୀ ବୁଢ଼ୀର ଯେପରି ଥିଲା ‘ଆୟୁଷବାଳ’ କେରାଏ, ଏହି ଜିଲ୍ଲାବୋର୍ଡ଼ ଆମର ସେହିପରି । ଏ କେରାକ ଉପୁଡ଼ି ଗଲେ ଆମର ଅସ୍ତିତ୍ୱ ରହିବା ସନ୍ଦେହଜନକ ।

 

ଏବେ ଆମ ଦଳରୁ କିଏ କିପରି ଛିଡ଼ା ହେଲେ, ସେଥିରୁ ପଦେ ଅଧେ କହେଁ । ଆମ ଭିତରେ ଯେଉଁମାନେ ମୁଖିଆ, ମୁଖିଆ, ସେହିମାନଙ୍କର ତ ଯିବାର କଥା । କିନ୍ତୁ ସେ ଯେବେ ମୁହଁରେ ସେ କଥା କହି ଦେଉଛନ୍ତି ତେବେତ ତାଙ୍କର ମୁଖିଆ ହେବାର ସଇଲା । ସେଥିପାଇଁ ଦେଖିଲା ବେଳକୁ କାଉନ୍‌ସିଲ୍‌ ଯିବାପାଇଁ କେହି ମଙ୍ଗନ୍ତି ନାହିଁ । ସମସ୍ତେ ଏକ ବାକ୍ୟରେ କହିଲେ କି–‘‘ମୁଁ ଗଲେ ଏଣେ ଦେଶରେ ‘କର୍ମ୍ମ’ ବିଗିଡ଼ି ଯିବ ।’’ ଭିତରେ ଭିତରେ ଏଣେ ତାଙ୍କର ଅନୁସରଣୀଆ କେତେ ଜଣଙ୍କୁ ଲଗାଇ ଦେଇଥାନ୍ତି ଯେ, ସେମାନେ ଜିଦ୍‌କରି କହନ୍ତି କି, ‘‘ଆପଣ ନଗଲେ ତ’ ଚଳିବ ନାହିଁ ।’’ ଶେଷରେ ସେହି ‘ଆପଣମାନେ’ ଅତି କଷ୍ଟରେ ସ୍ୱାର୍ଥତ୍ୟାଗ (Self sacrifice) କରି ‘‘ବନ୍ଧୁବର୍ଗମାନଙ୍କର ଓ ଦେଶବାସୀଙ୍କର ଏକାନ୍ତ ଅନୁରୋଧରେ ବାଧ୍ୟ ହୋଇ’’ ଯିବାକୁ ମଙ୍ଗିଲେ । ମାତ୍ର ମଙ୍ଗିବା ସରିକି ମଙ୍ଗିଲେ ଅନେକ–ଯେତେ ସ୍ଥାନ ଅଛି ତା’ର ଦୁଇଗୁଣ କି ଚାରିଗୁଣ । ଯାହାଙ୍କର ଇଚ୍ଛା ଥିଲା ଅଥଚ କେହି ତାଙ୍କପାଇଁ ନ କହିଲେ, ସେମାନେ ମନ ଊଣା ବି କଲେ । ଏପରି ଅବସ୍ଥାରେ କରାଯାଏ କ’ଣ ! ସଭା ବସିଲା । Provincia Congress Committee ର ଘନଘନ ଗୁପ୍ତ ଅଧିବେଶନମାନ ଚାଲିଲା । ସେଠି କଳି ଗୋଳର ଶେଷନାହିଁ-। ଅନେକ କୁସ୍ତା କୁସ୍ତି ଉତ୍ତାରୁ ସ୍ଥିର ହେଲା କି, ‘‘ବଡ଼ ଆପଣେ ଯାହା ବିଳିବିଳିଇବେ ତାହା ବେଦବୋଲି ମାନିବାକୁ ହେବ ।’’

 

ଆମେ ସିନା ଅସହଯୋଗୀ ହେଇଛୁଁ, ତାହା ବୋଲି ଆମର ଜାତୀୟ ଗୁଣଟା ତ’ ଛାଡ଼ି ପାରିନାହୁଁ । ଆମ ଭିତରେ ଓଡ଼ିଆ-ବଙ୍ଗାଳି, ପୁରୀଆ ବାଲେଶ୍ୱରିଆ, ବ୍ରାହ୍ମଣ କରଣ ପ୍ରଭୃତି ଯେଉଁ ସବୁ ବାରଣ ବା Partition wall ଅଛି, ତାହାସବୁ ଉଠାଇ ଦେବା ତ’ ସହଜ ନୁହେଁ । ଅସହଯୋଗଟା ତ’ ଚିରଦିନ ରହିବ ନାହିଁ ବା ନଥିଲା, କିନ୍ତୁ ଆମର ଆପଣା ଭିତରେ କାମୁଡ଼ା କାମୁଡ଼ିଟା ଯେ, ବଂଶ ପରମ୍ପରାଗତ ଏହାକୁ ଛାଡ଼ିଲେ କ’ଣ ଘେନି ରହିବୁ ? ଆପଣଙ୍କର dictate ରେ ନାନାପ୍ରକାର ଟିକାଟୀପଣି ବାହାରିଲା, ପୁଣି ସଭା ସମିତି ବସିଲା । ଶେଷରେ ପୁରୀଟା ସତ୍ୟବାଦିଆଙ୍କୁ ଛାଡ଼ି ଦିଆହେଲା । ଆଉ ଏଣୁତେଣୁ ଗୋଟିଏ ଯୋଡ଼େ ବ୍ରାହ୍ମଣ ଦଳକୁ ମଧ୍ୟ ଦିଆହେଲା । ଏହିପରି ଆପୋଷିରେ ନିଷ୍ପତ୍ତି ହୋଇଗଲା । ଏଥିରେ କର୍ମ ଫାଟିଲା ଏକା ଜଣଙ୍କର । ସେ ଦୁର୍ଭାଗ୍ୟବଶତଃ ପୁରୀଆ, ମାତ୍ର ଅବ୍ରାହ୍ମଣ । ଏହି ଯୋଗୁଁ ତାଙ୍କର ବାଇଶବର୍ଷର ତପ ଶୁଖୁଆ ପୋଡ଼ାରେ ଗଲା । ଏବେ ସୁଦ୍ଧା ସେ ଶିଖିଲେ କି ନାହିଁ କେଜାଣି ।

 

ଜଣେ ଉଚ୍ଚପଦସ୍ଥ ସରକାରୀ ଲୋକଙ୍କୁ ଆମେ ହିଁ ରଖିଛୁଁ । ତାଙ୍କରି ଜରିଆରେ ଗୋଟାଏ ଜିଲ୍ଲାରେ ଅନେକ କାମ ହୋଇଛି । କେତେ ଲୋକଙ୍କୁ କେତେ ପ୍ରକାର ଆକାଶ କୁସୁମ ଆଶା ଦିଆ ହୋଇଛି । ଆଉ ଅଧିକାଂଶ ଲୋକଙ୍କୁ ଭୟ ଦେଖା ହୋଇଛି ।

 

ଆମେ ସବୁଠାରୁ ଦୁର୍ବଳ ଥିଲୁଁ ଜମିଦାର Constituency ରେ । ସେଠିକି ଆଉ କେହି ଲଢ଼ିବାକୁ ଆଗେଇଲେ ନାହିଁ । ଆମେ ଦେଖିଲୁଁ, ଆମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିର୍ବାଧରେ ଛାଡ଼ିଦେଲେ ସେ ଯେପରି ଧନୀ ଓ ଧୂର୍ତ୍ତ, ଅନ୍ୟଆଡ଼େ ଆମର ଅନିଷ୍ଟ କରିବେ । ତାଙ୍କୁ ଯେ, କୌଣସି ପ୍ରକାରରେ ଲଗାଇରଖିବା ଉଚିତ । ଯାହାକୁ କହିଲୁଁ, ଏତେ ବଡ଼ ବଳୀଆର ଲୋକ ସାଙ୍ଗରେ ପଟ ଦେବାକୁ କେହି ରାଜି ହେଲେ ନାହିଁ । ଶେଷରେ ପାଇଲୁଁ ଗୋଟାଏ ‘ଗୋ-ବିଚାରୀ’ ଜମିଦାର ପିଲା-। ତାକୁ ଟେକାଟେକି କରି ସ୍ୱର୍ଗକୁ ଚଢ଼ାଇ ଦେଲୁଁ । ସେ ବି ଯୋଗାଡ଼ ଯନ୍ତ୍ରକରି ଆମ ହାତରେ ମେଞ୍ଚାଏ ଗେଞ୍ଜିଦେଲେ । ଆମର ଦୁଇପ୍ରକାର ଲାଭ । ଆମେ ଜାଣୁ ତାଙ୍କର ଦଶା କ’ଣ ହେବ । ତଥାପି ଆମର ସ୍ୱାର୍ଥ ସିଦ୍ଧିପାଇଁ ତାଙ୍କର ମୁଣ୍ଡ କଟା ହେଲା, ଆମର ସେଥିରେ କ’ଣ ? ଏ ତ ରାଜନୀତି । ସାଧାରଣ ଅଶିକ୍ଷିତ ଲୋକେ ସିନା ଆମ କଥାରେ ଭୁଲନ୍ତି । ଜମିଦାରଗୁଡ଼ାକ ବଡ଼ ଅମାନିଆ ଜନ୍ତୁ । କେତେପ୍ରକାର ପ୍ରଲୋଭନ, ଖୁଞ୍ଜା, ଗାଲୁ, ଭୟ ପ୍ରଦର୍ଶନ ପ୍ରଭୃତିରେ କେତେଗୁଡ଼ିଏ ଭୋଟ ପାଇଲୁଁ ସତ୍ୟ, କିନ୍ତୁ ଯାହା ହେବାର ତାହା ହେଲା–ଆମ ଜମିଦାର ପିଲାଟି ଫେଲ୍‌ ହୋଇଗଲେ । ଆଉ ଗଲେ ଯେ, ସେ ଆମର ପ୍ରଧାନ ବିପକ୍ଷ । ସେ କିନ୍ତୁ ଯେତିକି ଧୂର୍ତ୍ତ, ସେତି’କି ବୋକା, ସେ ଜାଣି ପାରୁଛନ୍ତି ଯେ, ଆମଲାଗି ତାଙ୍କ ରାଜ୍ୟଠାରୁ ଆରମ୍ଭକରି ଅନ୍ୟାନ୍ୟ ସ୍ଥାନରେ ସୁଦ୍ଧା କେତେ ଅନିଷ୍ଟ ଘଟୁଛି । ଆମେ ବି ଏଣେ ପସରା ମେଲାଇ ବସିଛୁଁ । ଏପରି ବଦ୍‍ହିସାବ ତାଙ୍କର ଯେ, ଏଣେ ପଛକେ ଲକ୍ଷଲକ୍ଷ ଖରଚ କରିବେ ମାତ୍ର ଅତି ସହଜରେ ଯାହା ହୋଇ ପାରିବ, ତାହା କରିବାକୁ ନାରାଜ । ଆମକୁ ହାତକରିବା କିଛି ବେଶୀ କଥା ନୁହେଁ । ଆମ୍ଭେମାନେ ଯୋଗୀ-ବୈରାଗୀ ଲୋକ, ସାମାନ୍ୟରେ ସନ୍ତୁଷ୍ଟ ହୋଇ ପାରନ୍ତୁ, ମାତ୍ର ତାଙ୍କର ଜିଦ୍‌ ଅଲଗା ପ୍ରକାର । ହେଉ, ଥାଆନ୍ତୁ ସେ ତାଙ୍କର ଜିଦ୍‌ ଘେନି । ଯେତେବେଳେ ହେଜିବେ, ବଳେ ଆମ ବାଗକୁ ଆସିବେ ।

 

ଆଉ ଗୋଟାଏ ସ୍ଥାନରେ ଆମର ପ୍ରତିଦ୍ୱନ୍ଦ୍ୱୀ ଥିଲେ ଜଣେ ବଡ଼ଲୋକ–ସେ ଗଲା ଦୁଇଥର ଯାକ କାଉନ୍‌ସିଲକୁ ଗଲେଣି । ତାଙ୍କୁ ହଟାଇବା ସହଜ ନୁହେଁ ଜାଣି ଗୋଟାଏ ଉପାୟ ଧଇଲୁଁ । ଅନ୍ୟ ଜଣେ ବଡ଼ଲୋକଙ୍କୁ କୌଶଳ କ୍ରମେ ତାଙ୍କ ବନ୍ଧୁ ବାନ୍ଧବଙ୍କୁ ଫୁସଲାଇ ସେହି ସ୍ଥାନରେ ଛିଡ଼ା କରାଇ ଦେଲୁଁ । ଆମପକ୍ଷ ଭୋଟ ଯାକ ତ’ ଆମର ରହିଲା, ମାତ୍ର ଆମ ବିପକ୍ଷର ଯେତେ ଭୋଟ, ସବୁ ବାଣ୍ଟ ହୋଇଯିବାରୁ ଶେଷରେ ଆମେ ଜିତିଗଲୁଁ । ଏ କୌଶଳ କରି ନଥିଲେ ତାଙ୍କୁ ଜିଣିବା ସହଜ ହୋଇ ନଥାନ୍ତା । ବାକି ସ୍ଥାନମାନଙ୍କରେ ଆମକୁ ବେଗ ପାଇବାକୁ ହୋଇଛି ସତ୍ୟ, ମାତ୍ର ଆମର ବଳ ଖୁବ୍‌ ଥିଲା । ଆମ ଆଣ୍ଟ ଆଗରେ ନେତା ନେତା ମାହାର୍ଦ୍ଦ କିମ୍ୱା ଝଙ୍କାଝଙ୍କା ଚିଲିକା ମାଛ କିଛି ଖଟିଲା ନାହିଁ–ସାମାନ୍ୟ କୁହାବୋଲା ଧରାଧରିକୁ ବା ପଚାରେ କିଏ-!

 

ଏତେ କରିକରି ମଧ୍ୟ–ଆଶାତୀତ ଫଳ ପାଇଲେ ମଧ୍ୟ ଓଡ଼ିଶାରେ କିମ୍ୱା ମୋଟ ବିହାର-ଓଡ଼ିଶାରେ ଆମର ସଂଖ୍ୟାଧିକ୍ୟ (Majority) ହେଲାନାହିଁ । ତେବେ ଗୋଟାଏ ଆଶା ଏତିକି ଯେ, ପ୍ରତି ସଭାରେ ଆମର ସଂଖ୍ୟାଧିକ୍ୟ ହେବ । କାରଣ ଅପରପକ୍ଷୀୟ ଲୋକେ ତ ଆମଭଳି କର୍ମୀ ଜୀବନ ପାଇ ନାହାନ୍ତି, ଅର୍ଥାତ୍‌ କାଉନ୍‌ସିଲ ଜୀବିକା କରି ନାହାନ୍ତି ଯେ, ସମସ୍ତେ ପ୍ରତିଥର ସଭାରେ ଉପସ୍ଥିତ ହେବେ । ଏଣେ ଆମ ଦଳଯାକ ଜୀବନ ଝଗଡ଼ି ଗୋଟିଗୋଟି କରି ସବୁ ପହଞ୍ଚିବୁଁ । ଏଥିରୁ ଆମ ସଂଖ୍ୟା ବେଶି ହୋଇ ନ ଯିବ ତ କ’ଣ ?

 

ବାକି ଗୋଟାଏ ମେମ୍ୱର ସରକାର ତରଫରୁ ନିଯୁକ୍ତ ହେବାର କଥା । ସେ ଜଣକୁ କେହି ଜଣେହେଲେ ଆମେ ଖାତିର ମଧ୍ୟରେ ଆଣି ନଥିଲୁଁ । ଏଥର କିନ୍ତୁ ସରକାର ଆମକୁ ଚିତା କାଟିଦେଲେ । ଖାଲିକି ତ’ ଆମ ପଛରେ ପୋଲିସ୍‍, ଡିଟେକ୍‌ଟିଭ୍‌ ଲଗାଇ ଅଛନ୍ତି । କାଉନ୍‌ସିଲରେ ସୁଦ୍ଧା ଡିଟେକ୍‌ଟିଭ୍‌ ରଖିଲେଣି । ଓଡ଼ିଶା ଯାକରେ ଯେଉଁ ଲୋକକୁ ଆମର ଡର ବେଶି, ଅର୍ଥାତ୍‌ ଛକା-ପଞ୍ଜା ଖେଳରେ ଆମଠୁଁ ବଳି ଯାହାଙ୍କର କଲମ, ଏହିପରି ଜଣେ ବ୍ୟକ୍ତିଙ୍କୁ ବାଛି ପଠାଇଛନ୍ତି-। ଓଡ଼ିଶାଟା ଯାକରେ ଆଉ କେହି କ’ଣ ମିଳିଲା ନାହିଁ ? ତହିଁକି ପୁଣି ଆରଜଣକ ଆସିଛନ୍ତି । ସୁନାରେ ସୁହାଗା ଯୋଗ ହୋଇଛି । କପାଳରେ କ’ଣ ଅଛି କେଜାଣି ।

 

କଥାରେ କହନ୍ତି, ‘ସବୁ ଚୁଲି ମୁହଁ ପଶ୍ଚିମକୁ ।’ ପ୍ରକୃତିର ନିୟମ uniformity–କଥାଟା ସତ ଏକା; ସବୁ କୁକୁରଙ୍କ ଲାଙ୍ଗୁଡ଼ ବଙ୍କା । କହିବାକୁ ଗଲେ ଯେଉଁ କୁକୁରଙ୍କ ଲାଙ୍ଗୁଡ଼ ବଙ୍କା ନୁହେଁ, ସେଉଟା କୁକୁର ନୁହେଁ; ସେ ଗଧ ହୋଇପାରେ, ଗୋରୁ ହୋଇପାରେ, ଯାହା ଇଚ୍ଛା ତାହା ହୋଇପାରେ, କିନ୍ତୁ କୁକୁର ସେ କଦାପି ହୋଇ ନପାରେ । ସେହିପରି ଖଦଡ଼ ଯେ, ନ ପିନ୍ଧିଛି, ସେ ଆଉ ଯାହାହେଉ ପଛକେ ଦେଶହିତୈଷୀ ନୁହେଁ, ସେ ପୀର ହୋଇପାରେ, ପୟଗମ୍ୱର ହୋଇପାରେ, କିନ୍ତୁ ‘‘ଜନନୀ ଜନ୍ମ ଭୂମିଶ୍ଚ’’ ବୋଲି ଯେଉଁ ଦେଶ ତା’ର ଯେ, ହିତୈଷୀ, ତାହା ସେ କେବେ ନୁହେଁ । ଯେ, ଖଦଡ଼ ପିନ୍ଧିଲା, ସେ ହେଲା ଦେଶହିତୈଷୀ । ଯେ, ମୁଠାଏ ନିଶ ରଖିଲା, ସେ ହେଲା ‘ନିଶୁଆ ତେଲି’ । ଅତଏବ ତା’ର ଅବାରିତ ଦ୍ୱାର । ସେ ଚୋର ହେଉ, ରିସ୍ପତ୍‍ଖୋର ହେଉ, ଗାଲକଟା ହେଉ ବା ଜେଲ ଆସାମୀ ହେଉ, ଖଦଡ଼ ପାଶ୍‌ଟା ହାତରେ ଥିଲେ ତା’ର ସାତଖୁଣ ମାଫ୍-। ଏଥିପାଇଁ ଆମର ଖାସ୍‌ ତାଗିଦ୍‌ ଯେ, ଖଦଡ଼ ପିନ୍ଧିଥିବ ସବୁବେଳେ–ଅନ୍ତତଃ ପ୍ରକାଶ୍ୟ ସ୍ଥାନମାନଙ୍କରେ । ଖଦଡ଼ ହେଲା ଆମ ଦଳର ଚିହ୍ନ (badge) । ଏହି badge ଦେଖିଲେ ଆମ୍ଭେ ଆପଣା ଗୁପ୍ତ କଥାବାର୍ତ୍ତା ହୋଇ ପାରିବୁଁ । ଏପରି ଗୋଟାଏ କଟକଣା ନଥିଲେ ଆମର party secrets ଗୁଡ଼ାକ ପଦାରେ ପଡ଼ିଯାଆନ୍ତା । ‘ବାରଜାତି ତେର ଗୋଲା, ବଇଷମ ହେଲେ ସବୁ ଗଲା ।’

 

ଆମେ ଯେତେବେଳେ ଖାଣ୍ଟି ଗାନ୍ଧିବାଲା ନନ୍‌ କୋଅପରେଟର ଥିଲୁଁ, ସେତେବେଳେ ଲୋକେ ଆମକୁ କେତେ ସ୍ନେହ, ଶ୍ରଦ୍ଧା, ସହାନୁଭୂତି ଦେଖାଉଥିଲେ । ଏବେ କାହିଁକି ବେଜାୟ ଶତ୍ରୁ ଆମର ବଢ଼ିଲେଣି । ସେତେବେଳେ ଯେଉଁଠିକି ଗଲେ ଆମର କୋଟି ଆଦର ହେଉଥିଲା, ସବୁରି ସୁନାପୁଅ ହୋଇଥିଲୁଁ । ଏବେ ଯାହା ଯେଉଁଠି ମିଳୁଛି, ସବୁ ଭୟରେ । ଆମ ଭିତରର ଇଲ୍ଲତ ଓ ଗଲିଜ ଯାହା ଥିଲା, ଏବେ ସବୁ ପଦାରେ ପଡ଼ି ଦାଣ୍ଡରେ ଗଡ଼ିଲାଣି । ନୈତିକବଳ ନାମରେ ଯେଉଁ ପ୍ରଭାବ ବିସ୍ତାର କରିଥିଲୁଁ; ପ୍ରକୃତ ନୈତିକତା ନଥାଇ ତାହା ଆଉ କେତେ କାଳ ରହନ୍ତା ? ଏହିକ୍ଷଣି ଆମର ଯାହା ବଳ, ତାହା କେବଳ ବାହ୍ୟ କ୍ଷମତା ଉପରେ । ସେହି କ୍ଷମତା ବର୍ତ୍ତମାନ ଆମର ଜିଲ୍ଲା-ବୋର୍ଡ଼ମୟ । ଜିଲ୍ଲାବୋର୍ଡ଼ଗୁଡ଼ାକ ହାତ କରି ନଥିଲେ, ଏତେବେଳକୁ ଆମର ସତ୍ତା ବି ନଥାନ୍ତା । ଜିଲ୍ଲାବୋର୍ଡ଼ ନାମରେ ଦଳଟିକୁ ଜିଆଇ ରଖିଛୁଁ ବୋଲି ସିନା ଆଉ ପାଞ୍ଚଟା କାମରେ ହାତ ପକାଇ ପାରୁଛୁଁ । ଏହି ଜିଲ୍ଲାବୋର୍ଡ଼ ହାତରେ ଥିଲାକୁ ସିନା ପାଞ୍ଚ ଯାଗାରେ ଟିକିଏ ଖାତର-ମଦାର ଅଛି । ବର୍ତ୍ତମାନ ଆମ ଅସ୍ତିତ୍ୱର ଏକମାତ୍ର ସମ୍ୱଳ, ଏକମାତ୍ର ନିର୍ଭର, ଏକମାତ୍ର ଭରସା ଏହି ଜିଲ୍ଲାବୋର୍ଡ଼ । କି ଶୁଭ ମୁହୂର୍ତ୍ତରେ ସରକାର ଜିଲ୍ଲାବୋର୍ଡ଼ରେ ନିର୍ବାଚନ ପ୍ରଥା ପ୍ରବର୍ତ୍ତନ କରାଇଥିଲେ କେଜାଣି, ସେଥିପାଇଁ ସରକାରଙ୍କୁ ଶତଶତ ଧନ୍ୟବାଦ । କିଏ କହୁଥିଲେ ପରା ଯେ, ଏଇଟା ସରକାରଙ୍କର ଗୋଟାଏ ଚାଲାଖି । କ’ଣ କି, ଗୁଡ଼ାଏ ଆମଭଳିଆ ଅକର୍ମୀଙ୍କୁ କିଛି ରକମ ଗୋଟାଏ ଗୋଟାଏ ଦାନାଦିଆ କରାଇଲେ ଦେଶରୁ ଅଶାନ୍ତି, ଗୋଳମାଳ ଊଣା ପଡ଼ିଯିବ, ଆଉ unemployment ବା ବେକାର ସମସ୍ୟା କମିଯିବ । ସେ ଯାହାହେଉ ଆମେ ଏଥିପାଇଁ ଦୟାମୟ ଓ ସମଜଦାର ସରକାରଙ୍କଠାରେ ଋଣୀ । ତହୁଁ ଅଧିକ ଋଣୀ ଏହି ଆଇନର ପ୍ରଣେତା ଆମ ଦେଶର କୁଳବୃଦ୍ଧ ମଧୁସୂଦନଙ୍କଠାରେ । ତାଙ୍କଠେଇଁ ଆମେ ଯେ ଋଣୀ, ଏ କଥା କହିବା ଦରକାର ନାହିଁ, କାରଣ କାର୍ଯ୍ୟକଳାପରୁ ଲୋକେ ଏବଂ ସ୍ୱଂୟ ଦାସେ ଆମର କୃତଜ୍ଞତା ଜାଣି ପାରିଥିବେ । ଆମ ଦଳର ସ୍ୱଭାବ ଏହି ଯେ, ଆମର ଯେ ଯେତିକି ଉପକାର କରେ, ଆମେ ତାହାରି ସେତିକି ଅନିଷ୍ଟ କରୁଁ । ନ ପାରିଲେ ପଛରୁ ପୁଳାଏ କାମୁଡ଼ି ପକାଉଁ ଅର୍ଥାତ୍‌ ଆମେ ଯାହାର ଯେତିକି ବେଶି ଅନିଷ୍ଟ କରିବାରେ ଲାଗିଥିବୁଁ, ଯାହାର ଯେତିକି ନିନ୍ଦା, କୁତ୍ସାରଟନା କରୁଥିବୁଁ, ଭଦ୍ରତା ଓ ଶିଷ୍ଟାଚାର ସୀମା ଲଙ୍ଘନକରି ଗାଳି ଦେଉଥିବୁଁ, ଜାଣିବେ ଯେ, ସେହି ବ୍ୟକ୍ତି ଆମର ସେତିକି ଉପକାର ପୂର୍ବରୁ କରିଛି । ଏହି ହେଲା ଆମର କୃତଜ୍ଞତାର test ।

 

ଆମେ ଏଥର ଯେ, କାଉନସିଲକୁ ଗଲୁଁ, ମନେ କରିଥିଲୁଁ ଯେ, ସେଠାରେ ଆମ ଦଳର କ୍ଷମତା ବେଶି ହୋଇଯିବ । ଆମକୁ ସରକାର ଡରିବେ, ଆଉ ଜିଲ୍ଲାର ସାନସାନ ହାକିମ ଗୁଡ଼ାର ବା କିକଥା ! ସେ କଥାତ ହୋଇ ପାରିଲା ନାହିଁ । ତହିଁକି ଆମ ଦେଶ ଲୋକଙ୍କର mentality ବଡ଼ slavish; ଯେତେବେଳେ ଗାନ୍ଧିଙ୍କର ବୋଲବାଲା ଥିଲା, ‘ଗାନ୍ଧି ମହାରାଜା’ ବୋଲି ଲୋକେ ଗୋଟାଏ ଧାରଣା କରିଥିଲେ, ଅଳ୍ପଦିନ ଭିତରେ ସ୍ୱରାଜ୍ୟ ଅର୍ଥାତ୍‌ ଆମ ଦଳର ରାଜ୍ୟ ହୋଇଯିବ ବୋଲି ବିଶ୍ୱାସକରି ଲୋକେ ରହିଥିଲେ; ଆମପ୍ରତି ଲୋକଙ୍କର ସେତେବେଳେ ଭାରି ଭୟ ଭକ୍ତିଥିଲା । ଭାବିବେ ନାହିଁ, କେବେହେଲେ ଓଡ଼ିଆପୁଏ ଆମକୁ ଦେଶସେବକ ବୋଲି ଅତି ପ୍ରେମ ବା ଅତି ଶ୍ରଦ୍ଧାରେ ଏତେ ଭଲ ପାଉଥିଲେ । ସେଇଟା ଖାଲି କ୍ଷମତା ବା Power ଡରରେ । ଏବେ ସେ କଥାତ ବାଘ ଖାଇଲାଣି । ଯେତିକି ଖାତର ଅଛି, ତାହା କେବଳ ଜିଲ୍ଲବୋର୍ଡ଼ କ୍ଷମତା ହାତରେ ଅଛି ବୋଲି । ଏବେ ପୁଣି ତାହା ରହିବ କି ନାହିଁ କିଏ ଜାଣେ ! ସେଥିପାଇଁ ଆଗରୁ ବାଟ କଟାଗଲା । ଆମେ ଲାଟ୍‌ସଭାକୁ ଯାଇଥିଲୁଁ, ସ୍ୱୟଂ ଲାଟସାହେବ୍‍ ଆମକୁ ଅମୁକ କଥାକୁ ତମୁକ କଥା କହିଲେ । ଅମୁକ ମନ୍ତ୍ରୀଙ୍କ ଘରେ ସେଦିନ ଚା ଖାଇବାକୁ ଯାଇଥିଲୁଁ । ତାଙ୍କ ସଙ୍ଗରେ ଅମୁକ ଅମୁକ କଥାବାର୍ତ୍ତା ହେଲା, ଇତ୍ୟାଦି ଇତ୍ୟାଦି ପ୍ରକାର କଥା ଲୋକଙ୍କ ଆଗରେ କହିବୁଲିବା ଓ ସେ ସୁବିଧାରେ ପାଞ୍ଚଟା କଥାରେ ଆଶ ଦେଖାଇବା ବା ଧମକାଇବା ହେଲା ଆମର ମୂଳ ଉଦ୍ଦେଶ୍ୟ । ଦଳ ବଞ୍ଚାଇ ରଖିବାକୁ ହେଲେ, ପତିଆରା ବଜାୟ ରଖିବାକୁ ଗଲେ, ଏହି ପାଞ୍ଚରକମ ଭଡ଼ଙ୍ଗ ରଖିଥିବା ଦରକାର । କିନ୍ତୁ ପ୍ରକୃତରେ ଲାଟ୍‍ ସଭାରେ ଆମକୁ କେହି ଭଲ ପାଆନ୍ତି ନାହିଁ; ସରକାର ତରଫ ଲୋକେ ତ’ ଘୃଣା ଚକ୍ଷୁରେ ଦେଖନ୍ତି । ସେଦିନ ଆମ ଦଳର ଜଣେ ନେତାଙ୍କୁ କିଏ ପଚାରିଲା, ‘‘କି ହୋ, ଆମ ମେମ୍ବର କ’ଣ ନ କରୁଥିଲେ, ଆଉ ତୁମେ ଏବେ ଯାଇ କ’ଣ କଲ ?’’

 

ସେ ତା’ର ଉତ୍ତର ଦେଲେ କି, ‘‘ଆମେ କ’ଣ ଯାଇଛୁଁ କିଛି କରିବୁ ବୋଲି ? ସେଠି କିଛି କରିବାର ଜୁ ଆମର ବା ଆଉ କାହାରି ନାହିଁ । କେବଳ ଆମେ ଯାଇଛୁଁ ଅଧିକା କିଛି ନ ହେଉ ପଛକେ, ଯାହା ଅଛି ସେତିକି କିମିତି ରହିଥାଉ । ଆମର କାମ ଜଗିବା ।’’

 

‘‘ବେଶ୍‌, ଏତିକି ଜଗିବା କାମଟା କ’ଣ ଆଗ ଲୋକ କରିପାରୁ ନଥିଲେ ? ସେମାନେ ତ’ ବରଂ କହି ବୋଲି, କଳିକରି କିଛି କିଛି ଅଧିକା କରୁଥିଲେ ।’’

 

ଏହି କଥା କହି ସେ ଚାଲିଗଲେ । ଆମ ନେତାଟି ଭଲ ଲୋକ ବୋଲି କିଛି କହିଲେ ନାହିଁ । ମୁଁ ହୋଇଥିଲେ ଚାପୁଡ଼ାଏ ମାରି ତାକୁ ବୁଝାଇ ଦେଇଥାନ୍ତି ।

 

ଆମର କାଉନସିଲ ଭୋଟ୍‍ରେ ଜିତାଟା ଏଥର ଆସନ୍ତା ଜିଲ୍ଲାବୋର୍ଡ଼ ଭୋଟ୍‍ ବେଳକୁ କାମରେ ଲାଗିବ । Canvassing କାମରେ ବେଶି ପରିଶ୍ରମ ପଡ଼ିବ ନାହିଁ; କାରଣ କଢ଼ାଣ, ଦୋହଡ଼ ସରିଛି–ଖାଲି ପଟେ ମହି ଦେବାକୁ ହେବ । ତା’ପରେ ଆମ ସୈନ୍ୟ ସାମନ୍ତମାନେ ବାର ବାର Experience ଦ୍ୱାରା ବେଶି ଧୁରନ୍ଧର ହୋଇଗଲେଣି । ପୁଣି ବର୍ତ୍ତମାନ ବୋର୍ଡ଼ଟା ଆମ ହାତରେ ଥିବାରୁ, ଲୋକଙ୍କୁ ‘ହାତୀ ନେ, ଘୋଡ଼ା ନେ’ high promis ଦେଖାଇ ଭୁଲାଇବା ଆମ ପକ୍ଷରେ ସହଜ । ସ୍କୁଲ ମାଷ୍ଟର ପ୍ରଭୃତି କେହି କେହି ଲୋଭରେ ହେଉ ବା କେହି ଡରରେ ହେଉ ଆମର ସାହାଯ୍ୟ କରିବେ । ଏତେ ଥାଉଁଥାଉଁ ଯଦି ଆମେ ନଜିତିବା ତ’ ଆଉ ଜିତିବ କିଏ-? କେବଳ ଦୁଃଖ ଏତିକି ଯେ, ଯେଉଁ ଦେବପ୍ରତିମ ହାକିମ ଜଣେ ଆମକୁ ପୂର୍ବାପର ଅନେକ ସାହାଯ୍ୟ କରି ଆସୁଥିଲେ, ସେ ନାହାନ୍ତି । ତାଙ୍କର ହଠାତ୍‌ ବାହାରି ଯିବାଟା ଆମର ମୁଣ୍ଡରେ ଅକାଳ ଚଡ଼କ ପଡ଼ିଲାପରି । ଆଉ ଆମ Cause ର ଏତେ ହାନି ଘଟିଲା ଯେ, ଦେଶର ଉନ୍ନତି ଆହୁରି ଦଶବର୍ଷ ପଛେଇ ଗଲା । ସେଥିପାଇଁ ସଭା ସମିତିମାନ କରି ଘୋର ଆନ୍ଦୋଳନ ଉପସ୍ଥିତି କରିବା ଉଚିତ୍‍ । ତାହାହେଲେ ସରକାର ବି ବୁଝିବେ, ଆଉଲୋକେ ବି ଜାଣିବେ । ଏଣେ ଆମର ତା’ ସଙ୍ଗେସଙ୍ଗେ ନୂଆ ନିର୍ବାଚନ ପାଇଁ Propaganda work ଚାଲିବ । ଆଉ ସେ ଖବର ପାଇ ଆମର ସେହି ନିର୍ଯ୍ୟାତିତ ବନ୍ଧୁ ମନରେ କେତେକଟା ଆଶ୍ୱାସନା ପାଇବେ । ମୁଁ ଯେ, ଏକଥା କହିଲି, ତାହା ଶୁଣୁଛି କିଏ ? ଆମ ସମସ୍ତଙ୍କର ଇଚ୍ଛା ସେଇଆ; କିନ୍ତୁ ବିଲେଇ ବେକରେ ଘଣ୍ଟି ବାନ୍ଧି ଆପଣାକୁ ବିପନ୍ନ କରୁଛି କିଏ ସେ ? ବୋଇଲା–‘ଆରେ ଚଚ୍ଚା, ଆପଣା ବଞ୍ଚା ।’ ସେହି ହାକିମଙ୍କ ବଦଳି ସଙ୍ଗେସଙ୍ଗେ ଆମ ଭିତରୁ ଅଧେ ଲୋକଙ୍କ କାରବାର ବ୍ୟବହାର ବଦଳିବାର ଦେଖାଗଲାଣି-। କେହି କେହି ଖଦଡ଼କୁ ଆଠପହରି କରି, ହେଟ୍‍, କୋଟ୍‌ ଆସ୍ତେଆସ୍ତେ ଚଳାଇବାର ବନ୍ଦୋବସ୍ତ କଲେଣି । କାରଣ ଶୁଣାଯାଉଛି କି, ନୂଆ ହାକିମ ଯେ, ଆସିଛନ୍ତି, ତାଙ୍କର କୁଆଡ଼େ ଭାରି ଖଦଡ଼ ବିଦ୍ୱେଷ ! ପାଠକେ ହସିବେ ନାହିଁ । ଆମ ଦଳର ରୀତି ଏହିପରି । ଯେତେବେଳେ ଯୁଆଡ଼ୁ ପାଣି ବରଷେ, ଆମେ ସେହି ଆଡ଼କୁ ଛତା ଦେଖାଉଁ ପରା ! ଆମେ ଆପଣାର କାମ ହାସଲ କରିବାପାଇଁ ଲୋକଙ୍କ ସାଙ୍ଗରେ ଦୋସ୍ତି କରିଥାଉଁ, ମାତ୍ର କାହାରି ବିପଦ ଦେଖିଲାକ୍ଷଣି ଆମେ ତାହା ମୁହଁକୁ ନ ଚାହିଁ ପଛଘୁଞ୍ଚା ମାରୁଁ । ନିଜର ଜାତି ବା ଦେଶର ଅପେକ୍ଷା ନରଖି, ଆପଣାର ଦାନାକୁ ବିପନ୍ନକରି ଯେ, ଆମର ଆଖିବୁଜା ଉପକାର କରିଗଲା, ଏବେ ସେହି ଲୋକର ବିପଦବେଳେ ଆମେ ଏପରି ଭାବ ଦେଖାଇଲୁଣି ଯେ, କାହାର ବାପର ସାଧ୍ୟ ନାହିଁ କହିବ, ତାଙ୍କ ସହିତ ଆମର କେବେ କିଛି ସମ୍ପର୍କ ଥିଲା ବୋଲି । କେବଳ ଚକ୍ଷୁଲଜ୍ଜାକୁ ଟିକିଏ ଟିକିଏ ଆମ୍ପୁଡ଼ି କାମୁଡ଼ି ହେଉଛୁଁ, ଏତିକି; ପୁଣି ତାହା ମଧ୍ୟ ଗୋପନରେ । ଯାହା ହେବାର ତ’ ହୋଇଗଲା, କେବଳ ଦୁଃଖ ରହିଗଲା ଏତିକି ଯେ, ସେ ବିଚାରା ଧନ ପ୍ରାଣରେ ମରାଗଲେ, ଆଉ ତାଙ୍କ ବୁଦ୍ଧିରେ ପଡ଼ିଥିଲେ ଯେ, କେତେଜଣ ତାଙ୍କରି ଭଳିଆ କର୍ମଚାରୀ ସେମାନେ ମଧ୍ୟ ଚେଁଖେ ପାଇଲେ-! ସେ ମହାଶୟ ଆମର ଅନେକ ଉପକାର କରି ଯାଇଛନ୍ତି ସତ୍ୟ, ମାତ୍ର ସ୍ଥାୟୀଭାବରେ ଆମର କିଛି ସଂସ୍ଥା ନକରି ଯିବାକୁ ଯେଉଁ ଶେଷ ଉଦ୍ୟମଟା ଭିଡ଼ିଥିଲେ, ତାହା ଈଶ୍ୱରଙ୍କ ଇଚ୍ଛାରୁ ପଣ୍ଡ ହୋଇଗଲା । ପରିତାପ ! ପରିତାପ ! ଏଇଟା କୃତକାର୍ଯ୍ୟ ହୋଇଥିଲେ ସ୍ୱରାଜ ଇତିହାସରେ ତାଙ୍କ ନାମ ଅମର ହୋଇ ରହିଥାଆନ୍ତା, ଆଉ ଆମର ବାଲବଚ୍ଚାମାନେ ତ୍ରିସନ୍ଧ୍ୟା ତାଙ୍କର କଲ୍ୟାଣ କାମନା କରୁଥାନ୍ତେ । ଏହି ସେଦିନ ଗୋଟାଏ ଜିଲ୍ଲାରେ ଆମ ଦଳର ଲୋକମାନେ ଏହିପରି ଗୋଟାଏ ବେପାରରେ ଯେତେ ଲାଭ କରିଛନ୍ତି, ତାହାଦେଖି ଆମ ପାଟିରୁ ଲାଳ ଗଡ଼ୁଛି-। ଏହା କେବଳ ବୁଦ୍ଧିର ଖେଳ । ଆମେ ଯଦି ସେତିକି ବୁଦ୍ଧି ଖେଳାଇପାରନ୍ତୁ, ତେବେ ଆମର ବି ଦୁଃଖ ରହନ୍ତା ନାହିଁ । ଏ ବେପାରରେ ଉଭୟ ପ୍ରକାର ଲାଭ-ଧନ ଓ ମାନ । ଖୋଲିକରି କହେଁ ଯେ, ଗୋଟାଏ ଜିଲ୍ଲାରେ ବନ୍ୟାଯୋଗୁଁ ଫସଲ ନଷ୍ଟ ହୋଇଗଲା । ସେଥିଯୋଗୁଁ ସେ ବର୍ଷ ଭାରି ଖାଦ୍ୟାଭାବ ହେଲା, ଲୋକେ ବଡ଼ କଷ୍ଟ ପାଇଲେ । ଏହି ସୁବିଧା ଦେଖି ଆମର ବେକାର ଦେଶହିତୈଷିମାନଙ୍କୁ ଗୋଟାଏ ନୂତନ ଉଦ୍ୟମର ପନ୍ଥା ମିଳିଗଲା । ସମ୍ୱାଦ ଉପରେ ସମ୍ୱାଦ, ପତ୍ର ଉପରେ ପତ୍ର, ପ୍ରବନ୍ଧ, ଟେଲିଗ୍ରାମ୍‍ ପ୍ରଭୃତି ପଠାଇବା ରୂପ ସାମାନ୍ୟ ଖରଚ କରି ସମଗ୍ର ଭାରତବ୍ୟାପୀ ଗୋଟାଏ ମସ୍ତ ଆନ୍ଦୋଳନରୂପ ବେପାର ଲଗାଇ ଦିଆଗଲା । ଚାରିଆଡ଼େ ହା-ହୁତାଶ ପଡ଼ିଗଲା କି, ‘‘ଘୋର ଦୁର୍ଭିକ୍ଷ-ଅମୁକ ଜାଗାରେ ସହସ୍ର ସହସ୍ର ଲୋକ ଘାସ ପତର ଖାଇଯାଉଛନ୍ତି–ଶତଶତ କଙ୍କାଳସାର ହୋଇ ମରୁଛନ୍ତି ।’’ ଏଥିରେ ଗାନ୍ଧି କାନ୍ଦିଲେ, ଲଜପତ୍‌ ଚିତ୍କାର କଲେ, ଏଣ୍ଡରୁଜ୍‌ ଚିଲାମାରିଲେ । ସୁତରାଂ ପଇସାର ଅଭାବ ରହିଲାନାହିଁ । ନଈସୁଅପରି ସାରା ଦେଶରୁ ଏପରି କି, ବିଦେଶରୁ ମଧ୍ୟ ଟଙ୍କା ବୋହିଆସିଲା । ସରକାର ଯେତେ ନାହିଁକଲେ ସୁଦ୍ଧା ବାଧ୍ୟ ହୋଇ କିଛି କିଛି ସ୍ୱୀକାର କଲେ । ଯାହାହେଉ ଫଳରେ ଆମର କେତେଜଣ ନେତାଙ୍କ ନାମ ଚାରିଆଡ଼େ ବାଜିଗଲା, ଆଉ ଅଳ୍ପ ବହୁତରେ–ସମସ୍ତଙ୍କର କୋଠାବାଡ଼ି ହେଉ ବା ନହେଉ–ହାତଟା ଚିକ୍କଣ ଧରିଗଲା ।

 

ଏହି ଜ୍ୱଳନ୍ତ ଦୃଷ୍ଟାନ୍ତ କାଲିକାର; ଆମ ଆଖି ଆଗରେ ନାଚୁଛି । ସେଥିପାଇଁ ଆମେ ବି ସେହିପରି ଗୋଟାଏ କିଛି କରିବାର ସୁବିଧା ଅନେକ ଦିନରୁ ଖୋଜୁଥିଲୁଁ । ଏତେ ଦିନକେ ମିଳିଗଲା । ଆମର ବେଶି ସୁବିଧା ଯେ, ସରକାରଙ୍କ ବଡ଼ ହାକିମ ଆମ ହାତରେ । ଏପରି ସୁବିଧା କି ଛାଡ଼ିବାର କଥା । ହଠାତ୍‌ ଦିନେ ରାତି ପାହିଲାବେଳକୁ ଦେଶଯାକ ଖବରକାଗଜରେ ଦୁର୍ଭିକ୍ଷ ସମ୍ୱାଦ ଘୋଷଣା କରାହୋଇଛି । ଏହିପରି ଦିନାକେତେ ଲେଖାଲେଖି ଚାଲିଲା; ମାତ୍ର କପାଳ ଊଣାକୁ ନାଗରା କଣା ! ଏଥର ଗାନ୍ଧି କିଛି କହିଲେ ନାହିଁ, ଲଜପତ୍‌ ମାଲବ୍ୟ ଟଙ୍କା ଦେଲେନାହିଁ, ଏଣ୍ଡରୁଜ୍‍ ବା ରାମକୃଷ୍ଣ ଦଳ କିବା ଭାରତ ସେବାସମିତି ଆସିଲେ ନାହିଁ । ତାହାବୋଲି ଆମେ ହଟିଯିବାର ପାତ୍ର ନୋହୁଁ । ଆମେ ନିଜ ହାତରେ ଯେଉଁ ଖବରକାଗଜ ଅଛି, ସେଥିରେ ଖୁବ୍‌ ବଡ଼ ବଡ଼ ଅକ୍ଷର କରି ଲେଖିବାକୁ ଛାଡ଼ିଲୁ ନାହିଁ । ଲୋକେ ଘାସ ଖାଉଛନ୍ତି, କଙ୍କାଳ ସାର ହେଲେଣି, ମରିଗଲେଣି, ଇତ୍ୟାଦି ଯେତେ ଲେଖିଲେ ମଧ୍ୟ ଇଷଫ୍‌ କଥାବଳୀର ସେହି ‘ବାଘ ଓ ମେଷପାଳକ’ କଥାପରି ଦେଶଲୋକେ ବା ଖବରକାଗଜବାଲାମାନେ କେହି ଶୁଣିଲେ ନାହିଁ । ଆମେ ବି ସହଜରେ ଛାଡ଼ିଲୁ ନାହିଁ । ହାକିମମାନଙ୍କୁ ମତାଇ ଗଭର୍ଣ୍ଣମେଣ୍ଟ୍‍ ଜରିଆରେ ଆନ୍ଦୋଳନ ଲଗାଇଲୁଁ । ସେଥିରେ କେତେକ କାର୍ଯ୍ୟ ହୋଇଗଲା, କିନ୍ତୁ ଆମର ଉଦ୍ଦେଶ୍ୟ ତ’ ସଫଳ ହେଲାନାହିଁ । ଫଳରେ ଆମର ଫନ୍ଦିସବୁ ଚାରିଆଖିଆ ସରକାରଙ୍କୁ ଅଛପା ରହିଲାନାହିଁ । ତହିଁକି ଆମ ଦେଶର କେତେକ ଅସହଣି ଲୋକେ ଆମ ବିରୁଦ୍ଧରେ ଫୋଡ଼ିଲେ । ଆମେତ ଚାରିଦଉଡ଼ି କଟା, ନାଗା ବାଗା, ଆମର କିଏ କ’ଣ କରିବ ? କେବଳ କେତେଗୁଡ଼ିଏ ସରକାରୀ ଲୋକ ବଦ୍‍ନାମ ହୋଇଗଲେ, ଆଉ ଆମର ପ୍ରଧାନ ଭରସା, ବଳ, ମୁରବି (friend, philosopher and guide) ରୂପ ଜଣେ ନିର୍ଦ୍ଦୋଷ ପ୍ରାଣୀ ଆପଣାର ଜୀବିକା ହରାଇ ବରଫ ସେବନ କରିବାକୁ ବାହାରିଲେ । ଏହା ଏପରି ଆକସ୍ମିକ ଭାବରେ ହୋଇଗଲା ଯେ, ଭାବିବାକୁ ମଧ୍ୟ ସମୟ ମିଳିଲା ନାହିଁ । ସତେ ଯେପରି ଗୋଟାଏ electric shock ଲାଗିଗଲା । ଏବେ ଆମର ‘ହା-ହତୋଽସ୍ମି’ କରିବା ଛଡ଼ା ଆଉ କିଛି ନାହିଁ । ଖାଲି ଜଣକ ମୁହଁକୁ ଜଣେ ଚାହିଁ କହୁଛି–

 

‘‘ହେଲା କିସ !’’

 

ଆର ଜଣକ ଉତ୍ତର ଦେଉଛି–

 

‘‘ହେବ କିସ !’’

 

* ୧୯୨୧ ମସିହାରେ ଯେଉଁ ଅସହଯୋଗ ଆନ୍ଦୋଳନ ହୋଇଥିଲା, ସେହି ଜାତୀୟ ସଂଗ୍ରାମ ସେତେବେଳେ ଯେଉଁସବୁ ତ୍ରୁଟି ଯୋଗୁଁ ସଫଳତା ଲାଭ କରି ପାରିଲା ନାହିଁ-ସେ ସବୁକୁ ବିଦ୍ରୁପକରି କାନ୍ତକବି ‘ଉତ୍କଳ ସାହିତ୍ୟ’ରେ ଧାରାବାହିକଭାବେ ଏହି ଲଘୁ କାବ୍ୟରେ ପରିବେଶଣ କରିଥିଲେ ।

Image